ETV Bharat / bharat

ଫେଲ୍‌ ମାରିଲା 12 ଘଣ୍ଟାର ପରିଶ୍ରମ, ଜୀବନ ଯୁଦ୍ଧରେ ହାରିଗଲେ ବୋରୱେଲରେ ଖସି ପଡିଥିବା ଯୁବକ

author img

By ETV Bharat Odisha Team

Published : Mar 10, 2024, 8:42 PM IST

Delhi Jal Board borewell accident: ଖସିପଡିଥିବା ବ୍ୟକ୍ତିକୁ ଉଦ୍ଧାର ପରେ ହସ୍ପିଟାଲରେ ନେବା ରାସ୍ତାରେ ମୃତ । ଗତକାଲି ରାତିରେ ଘଟିଥିଲା ଅଘଟଣ । ଅଧିକ ପଢନ୍ତୁ

ଦିଲ୍ଲୀ ଜଳବୋର୍ଡ ସେଫ୍ଟିକ ଟାଙ୍କିରେ ଖସି ପଡିଥିବା ଯୁବକ 12 ଘଣ୍ଟା ପରେ ଉଦ୍ଧାର, ହସ୍ପିଟାଲରେ ଭର୍ତ୍ତି
ଦିଲ୍ଲୀ ଜଳବୋର୍ଡ ସେଫ୍ଟିକ ଟାଙ୍କିରେ ଖସି ପଡିଥିବା ଯୁବକ 12 ଘଣ୍ଟା ପରେ ଉଦ୍ଧାର, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର କେଶବପୁର ମାଣ୍ଡି ନିକଟରେ ଥିବା ଦିଲ୍ଲୀ ଜଳ ବୋର୍ଡର ବୋରୱେଲରେ ଖସିପଡିଥିବା ଯୁବକଙ୍କର ମୃତ୍ୟୁ ହୋଇଛି । ଆଜି ପ୍ରାୟ 12 ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରଯାଇ ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ରାତି ପ୍ରାୟ 2ଟା ବେଳେ ଏହି ଅଘଟଣ ଘଟିଥିଲା । ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଦିଲ୍ଲୀ ପୋଲିସର ମିଳିତ ଟିମ ଗତକାଲି ରାତିରୁ ଉଦ୍ଧାର ଅପରେସନ ଜାରି ରଖିଥିଲେ । ଆଜି ଅପରାହ୍ନରେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ପୂର୍ବରୁ ପ୍ରସ୍ତୁତ ରଖାଯାଇଥିବା ଆମ୍ବୁଲାନ୍ସରେ ତାକୁ ସ୍ଥାନୀୟ ଏକ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

ଗତକାଲି ଜଣେ ଶିଶୁ ଖସି ପଡିଥିବା ପ୍ରଥମେ ଖବର ପ୍ରସାରିତ ହୋଇଥିଲା । ତେବେ ଉଦ୍ଧାର ଅପରେସନ ଆଗେଇବା ସହ କେହି ଶିଶୁ ନୁହନ୍ତି ବରଂ ଜଣେ ଯୁବକ ଖସି ପଡିଥିବା ଜଣାପଡିଛି । ଉଦ୍ଧାର ଅପରେସନ ଶେଷ ହେବା ପରେ ଦିଲ୍ଲୀ ମନ୍ତ୍ରୀ ଅତିଶୀ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । କୌଣସି ଶିଶୁ ନୁହେଁ ବରଂ ଜଣେ ବ୍ୟକ୍ତି ଖସି ପଡିଥିଲେ । ହେଲେ ସେ କିପରି ଖସିପଡିଲେ, ସେନେଇ ମଧ୍ୟ ଦିଲ୍ଲୀ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଦେଶର ପ୍ରଥମ ବନ୍ଦେ ଭାରତ 'ସ୍ଲିପର କୋଚ୍‌' ଉନ୍ମୋଚନ କଲେ ରେଳମନ୍ତ୍ରୀ

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ମଧ୍ୟ ଭିନ୍ନ ସନ୍ଦେହ ସାମ୍ନାକୁ ଆସିଛି । ଏହା କୌଣସି ଖୋଲା ବୋରଓ୍ବେଲ ନୁହେଁ ବରଂ ଜଳବୋର୍ଡର ସେଫ୍ଟିକ ଟ୍ୟାଙ୍କ । ଏହାର ଚାରିପାର୍ଶ୍ବରେ ପାଚେରୀ ମଧ୍ୟ ରହିଛି । ଟାଙ୍କି ପରିସରରେ ଏକ ଦପ୍ତର ମଧ୍ୟ ରହିଛି । ରାତିରେ କର୍ମଚାରୀ କାର୍ଯ୍ୟରତ ମଧ୍ୟ ରୁହନ୍ତି । ହେଲେ ଏହି ପାଚେରୀ ଅତିକ୍ରମ କରି କେହି କିପରି ହତା ମଧ୍ୟରେ ପ୍ରବେଶ କଲେ ଓ ଟାଙ୍କି ମଧ୍ୟରେ ଖସିପଡିଲେ, ସେନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି । ଚୋରି କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିବା ବେଳେ ଏପରି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖସିପଡିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଲ୍ଲୀ ପୋଲିସ ସ୍ପଷ୍ଟ କରିନି । ସମସ୍ତ ଦିଗରୁ ତଦନ୍ତ ଆରମ୍ଭ ହୋଇଛି । ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.