ETV Bharat / bharat

ବୀଭତ୍ସ କାଣ୍ଡ ! ଘରେ ପଶି ୩ ଛୁଆଙ୍କୁ ହାଣିଲା ଯୁବକ

author img

By ETV Bharat Odisha Team

Published : Mar 20, 2024, 10:32 AM IST

Updated : Mar 20, 2024, 11:47 AM IST

Badaun Double Murder: ଉତ୍ତରପ୍ରଦେଶ ବଦୌନରେ ବୀଭତ୍ସ ହତ୍ୟାକାଣ୍ଡ । ଘରେ ପଶି ୩ ନାବାଳକ ଭାଇଙ୍କୁ ହାଣି ପକାଇଲା ଦୁର୍ବୃତ୍ତ । ଦୁଇ ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଘରେ ପଶି ୩ ଛୁଆଙ୍କୁ ହାଣିଲା ଯୁବକ
ଘରେ ପଶି ୩ ଛୁଆଙ୍କୁ ହାଣିଲା ଯୁବକ

ଲକ୍ଷ୍ନୌ: ଜଘନ୍ୟ...ବୀଭତ୍ସ... ନୃଶଂସ ! ଘରେ ପଶି ୩ ଛୁଆଙ୍କୁ ହାଣି ପକାଇଲା ଦୁର୍ବୃତ୍ତ । ଚା' ପିଇବାକୁ କହି ଖେଳିଲା ରକ୍ତର ହୋଲି । ଉତ୍ତରପ୍ରଦେଶ ବଦୌନ ଜିଲ୍ଲାରେ ଗତକାଲି (ମଙ୍ଗଳବାର) ରାତିରେ ଏମିତି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ସାଜିଦ ନାମକ ଏକ ଯୁବକ ଜଣକ ଘରେ ପଶି ତାଙ୍କର ୩ ଛୁଆଙ୍କୁ ହାଣି ଦେଇଥିବା ବେଳେ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ତେବେ ପୋଲିସର ଏନକାଉଣ୍ଟରରେ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସର ଯାଞ୍ଚ ଅନୁସାରେ, ଅଭିଯୁକ୍ତର ମୃତ ଛୁଆମାନଙ୍କ ଘରକୁ ଯିବାଆସିବା ଥିଲା । ଘଟଣା ଦିନ ରାତିରେ ସାଜିଦ ତାଙ୍କ ଘରକୁ ଯାଇ ଚା' ମାଗିଥିଲା । ଏହାପରେ ପିଲାମାନେ ଛାତ ଉପରେ ଖେଳୁଥିବା ବେଳେ ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲା ।

ବଦୌନ ଜିଲ୍ଲାର ବାବା କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ନାବାଳକଙ୍କ ଘର ଆଗରେ ସାଜିଦର ସେଲୁନ ଥିଲା । ଛୁଆମାନଙ୍କ ମାଆ ସଙ୍ଗୀତା ଘରେ ବିଉଟି ପାର୍ଲର କରିଥିଲେ । ସାଜିଦ ସହ ତାଙ୍କ ପରିବାରର ଭଲ ସମ୍ପର୍କ ଥିଲା । ମୃତକ ପିଲାଙ୍କ ଜେଜେମାଆ କହିବା ଅନୁସାରେ, ଅଭିଯୁକ୍ତ ସାଜିଦ ତାଙ୍କ ଘରକୁ ଅନେକ ସମୟରେ ଯିବାଆସିବା କରୁଥିଲା । ଘଟଣା ଦିନ ରାତି ୮ଟା ବେଳେ ମୁଣ୍ଡ ବିନ୍ଧୁଛି କହି ସେ ଘରକୁ ଆସିଥିଲା ଏବଂ ଚା' ମାଗିଥିଲା । ଆଉ ସ୍ତ୍ରୀର ଡେଲିଭରି ଥିବା କହି ସେ ବୋହୂ ସଙ୍ଗୀତାଙ୍କୁ ୫ ହଜାର ଟଙ୍କା ସାହାଯ୍ୟ ମାଗିଥିଲା ଏବଂ କାଲି ଫେରାଇ ଦେବ ବୋଲି କହିଥିଲା ।

ଏହି ସମୟରେ ୧୩ ବର୍ଷୀୟ ଆୟୁଷ ନିଜ ଦୁଇ ସାନ ଭାଇ ପୀୟୂଷ ଓ ଆହାନ ସହ ଛାତ ଉପରେ ଖେଳୁଥିଲା । ସାଜିଦ ଛାତକୁ ଯାଇ ପିଲମାନେ ଖେଳୁଥିବା ବେଳେ ଧାରୁଆ ଅସ୍ତ୍ରରେ ଜଣକ ପରେ ଜଣକୁ ହାଣି ପକାଇଥିଲା । ଏଥିରେ ଆୟୁଷ ଓ ଆହାନର ମୃତ୍ୟୁ ହୋଇଯାଇଥିବା ବେଳେ ସାନ ଭାଇ ପୀୟୁଷ ଗୁରୁତର ଆହତ ହୋଇଥିଲା । ଏହାଦେଖି ଜେଜେମାଆ ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା । ଏହି ଘଟଣା ପ୍ରଘଟ ହେବା ମାତ୍ରେ ଉତ୍ୟକ୍ତ ଲୋକମାନେ ଅଭିଯୁକ୍ତର ଦୋକାନ ଜାଳି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: କାଠ ଫାଳିଆରେ ପିଟି ସ୍ତ୍ରୀକୁ ହତ୍ୟା କଲା ସୈତାନ ସ୍ବାମୀ, ମୃତଦେହ ସହ କାଟିଲା ୩ ରାତି

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପୋଲିସ ଉପରେ ମଧ୍ୟ ଗୁଳିମାଡ କରିଥିଲା । ହେଲେ ପୋଲିସର ପାଲଟା ଗୁଳିଚାଳନାରେ ତା'ର ମୃତ୍ୟୁ ହୋଇଥିଲା । ତେବେ ହତ୍ୟାକାଣ୍ଡ ସମୟରେ ଅଭିଯୁକ୍ତ ସାଜିଦର ଭାଇ ଜାବେଦ ମୃତ ପିଲାମାନଙ୍କ ଘର ବାହାରେ ଛିଡା ହୋଇଥିଲା । ଏହି ଘଟଣା ପରେ ଜାବେଦ ଫେରାର୍ ହୋଇଯାଇଥିବା ବେଳେ ପୋଲିସ ତାକୁ ଖୋଜାଖୋଜି କରୁଛି । ତେବେ କାହିଁକି ସାଜିଦ ଏଭଳି ଜଘନ୍ୟ କାଣ୍ଡ ଭିଆଇଲା ତାହା ସ୍ପଷ୍ଟ ହୋଇନି । ପୋଲିସ ଦୁଇ ଶିଶୁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଛାନଭିନ୍ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 20, 2024, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.