ETV Bharat / bharat

ରାଉଜ ଆଭେନ୍ୟୁ କୋର୍ଟରୁ କବିତାଙ୍କୁ ପୁଣି ଝଟକା, ବଢିଲା ହେପାଜତ ଅବଧି - Delhi Liquor Policy Case

author img

By ETV Bharat Odisha Team

Published : Apr 15, 2024, 11:35 AM IST

K Kavitha
K Kavitha

K Kavitha Judicial Custody: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା କେ କବିତାଙ୍କ ପୁଣି ବଢିଲା ନ୍ୟାୟିକ ହେପାଜତ ଅବଧି । ସିବିଆଇ ତାଙ୍କୁ ଆଜି କୋର୍ଟରେ ହାଜର କରିଥିଲା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ଲଗାତାର ଝଟକା ପରେ ଝଟକା ଲାଗୁଛି । ରାଉଜ ଆଭେନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ୍ 23 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସିବିଆଇ ରିମାଣ୍ଡ ଶେଷ ହେବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସିବିଆଇ 14 ଦିନ ନ୍ୟାୟିକ ହେପାଜତ ପାଇଁ ଦାବି କରିଥିଲେ । 9ଦିନ ବୃଦ୍ଧି କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ 15 ତାରିଖରେ ବିଆରଏସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାକୁ ଗିରଫ କରିଥିଲା ଇଡି । ଏନେଇ ଇଡି ରିମାଣ୍ଡରେ ନେଇଥିବା ବେଳେ ଏପ୍ରିଲ 23 ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଥିଲେ ରାଉଜ ଆଭେନ୍ୟୁ କୋର୍ଟ । ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଥିଲା । କବିତାଙ୍କୁ 5 ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିବା ବେଳେ ଏପ୍ରିଲ 15 ତାରିଖ ଯାଏଁ ସିବିଆଇ ହେପାଜକୁ ପଠାଇଲେ କୋର୍ଟ । ତେବେ ଆଜି କୋର୍ଟରେ ହାଜର କରାଯାଇଥିବା ବେଳେ ପୁଣି 23 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ତେବେ ଇଡି ଏବଂ ସିବିଆଇ ରିମାଣ୍ଡ ଆସନ୍ତା 23 ତାରିଖରେ ଶେଷ ହେବ ।

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେ କବିତା, କୋର୍ଟଙ୍କୁ ଅବଗତ କଲା CBI - K Kavitha Key Conspirator

ତେବେ ସିବିଆଇ କୋର୍ଟରେ ହାଜର କରିବା ସମୟରେ କବିତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ସିବିଆଇ ରିମାଣ୍ଡ ନୁହେଁ । ଏହା ବିଜେପି ରିମାଣ୍ଡ ଅଟେ । ବିଜେପି ଯାହା ବାହାରେ କହୁଛି ସିବିଆଇ ସମାନ ପ୍ରଶ୍ନ କରୁଛି । ଏଥିରେ କିଛି ନୂଆ କଥା ନାହିଁ ।"

ପ୍ରକାଶଥାଉକି, ସିବିଆଇର ଅଭିଯୋଗ ଅନୁସାରେ କବିତା ଦିଲ୍ଲୀ ଅବକାରୀ ନୀତିର ଏକ ବଡ଼ ଅଂଶ ଲାଗି ଆପ୍‌କୁ ବିଜୟ ନାଏରଙ୍କ ଜରିଆରେ 100 କୋଟି ଟଙ୍କା ଦେଇଥିଲେ । ଏନେଇ ସିବିଆଇ ପାଖରେ କିଛି ପ୍ରମାଣ ମଧ୍ୟ ରହିଥିଲା । ଏଥିଲାଗି କେ. କବିତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି ସିବିଆଇ । ଏହାସହ ସିବିଆଇ ତଦନ୍ତ ଅନୁସାରେ ସାଉଥ ଇଣ୍ଡିଆର ମଦ ବ୍ୟସାୟୀ ଶରତ ଚନ୍ଦ୍ର ରେଡ୍ଡି ନୂଆ ଅବକାରୀ ନୀତି ଅଧୀନରେ ବ୍ୟବସାୟ କରିବାରେ ସାହାୟ୍ୟ କରିବା ପାଇଁ ଗତ 2021 ମାର୍ଚ୍ଚ 16 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । କେଜ୍ରିୱାଲ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ଲାଗି ପ୍ରତିଶୃତି ଦେଇଥିଲେ । ଏନେଇ କବିତା ତାଙ୍କୁ ଯୋଗାଯୋଗ କରିବେ ବୋଲି କହିଥିଲେ । ଏହି ବିଷୟକୁ କୋର୍ଟରେ ଉପସ୍ଥାପନ କରିଥିଲା ସିବିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.