ETV Bharat / bharat

ଦିଲ୍ଲୀ ମଦ ଦୁର୍ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେ କବିତା, କୋର୍ଟଙ୍କୁ ଅବଗତ କଲା CBI - K Kavitha Key Conspirator

author img

By ETV Bharat Odisha Team

Published : Apr 12, 2024, 4:27 PM IST

Updated : Apr 12, 2024, 5:03 PM IST

K Kavitha
K Kavitha

K Kavitha: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କହିଲା ସିବିଆଇ । ଶୁଣାଣି ବେଳେ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ କବିତାଙ୍କୁ ସିବିଆଇ ହେପାଜତକୁ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । କବିତା ତଦନ୍ତ ସମୟରେ ସହଯୋଗ କରିପାରୁନଥିବା ବେଳେ ସନ୍ତୋଷଜନକ ଉତ୍ତର ମଧ୍ୟ ଦେଇପାରୁନଥିବା ସିବିଆଇ କୋର୍ଟଙ୍କୁ ଅବଗତ କରିଛି । ଏହାସହିତ କବିତାଙ୍କୁ 5 ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆଜି ଆବେଦନ କରିଥିବା ବେଳେ କୋର୍ଟ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ସିବିଆଇ ହେପାଜତକୁ ପଠାଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବା ବେଳେ ସିବିଆଇ ତାଙ୍କୁ ଗରିଫ କରିଥିଲା ।

ସିବିଆଇର ଅଭିଯୋଗ ଅନୁସାରେ କବିତା ଦିଲ୍ଲୀ ଅବକାରୀ ନୀତିର ଏକ ବଡ଼ ଅଂଶ ଲାଗି ଆପ୍‌କୁ ବିଜୟ ନାଏରଙ୍କ ଜରିଆରେ 100 କୋଟି ଟଙ୍କା ଦେଇଥିଲେ । ଏ ନେଇ ସିବିଆଇ ହାତରେ କିଛି ହ୍ବାଟ୍ସଆପ ଚାଟ୍‌ ଓ ଟ୍ରାନଞ୍ଜାକ୍ସନ ଡକ୍ୟୁମେଣ୍ଟ ଲାଗିଛି । ଏଥିଲାଗି କେ. କବିତାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କହିଛି ସିବିଆଇ । ଏହାସହ ସିବିଆଇ ତଦନ୍ତ ଅନୁସାରେ ସାଉଥ ଇଣ୍ଡିଆର ମଦ ବ୍ୟସାୟୀ ଶରତ ଚନ୍ଦ୍ର ରେଡ୍ଡି ନୂଆ ଅବକାରୀ ନୀତି ଅଧୀନରେ ବ୍ୟବସାୟ କରିବାରେ ସାହାୟ୍ୟ କରିବା ପାଇଁ ଗତ 2021 ମାର୍ଚ୍ଚ 16 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । କେଜ୍ରିୱାଲ ମଧ୍ୟ ଉକ୍ତ ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ଲାଗି ପ୍ରତିଶୃତି ଦେଇଥିଲେ । ଏ ନେଇ କବିତା ତାଙ୍କୁ ଯୋଗାଯୋଗ କରିବେ ବୋଲି କହିଥିଲେ ।

ଏହା ବି ପଢନ୍ତୁ-ED ପରେ ବାନ୍ଧିଲା CBI: ଜେଲ ଭିତରେ ପୁଣି ଥରେ ଗିରଫ ହେଲେ କବିତା

ଏହାପରେ ମାର୍ଚ୍ଚ 19ରେ ଉକ୍ତ ବ୍ୟବସାୟୀଙ୍କୁ କବିତା ଯୋଗାଯୋଗ କରିଥିବା ବେଳେ ମାର୍ଚ୍ଚ 20ରେ ଭେଟିଥିଲେ । ସିବିଆଇର କହିବାନୁସାରେ ବିଜୟ ନାଏରଙ୍କୁ 100 କୋଟି ଟଙ୍କା ଦେଇଥିବା ନେଇ ଅଭିଯୁକ୍ତ ସ୍ବୀକାର କରିଛି । ଏହାପରେ ଗତ 2021 ନଭେମ୍ବରରେ ଶରତ ଚନ୍ଦ୍ର ରେଡ୍ଡିଙ୍କୁ ଅନ୍ୟ ଏକ ଜମିଜମା ବାବଦକୁ 25 କୋଟି ଟଙ୍କା ଦେବା ଲାଗି କବିତା ବାଧ୍ୟ କରିଥିଲେ । ହେଲେ ଯେତେବେଳେ ଶରତ ଏଥିଲାଗି ରାଜି ହୋଇନଥିଲେ, ସେ ତାଙ୍କ ମଦ ବ୍ୟବସାୟକୁ କ୍ଷତି ପହଞ୍ଚାଇବା ଲାଗି ଧମକ ଦେଇଥିଲେ । ଏ ନେଇ ତଦନ୍ତ ବେଳେ ଶରତ ଚନ୍ଦ୍ର ରେଡ୍ଡି ସ୍ବୀକାର କରିଥିବା ସିବିଆଇ କହିଛି ।

ଅନ୍ୟପଟେ ଗତ ମଙ୍ଗଳବାର କବିତାଙ୍କୁ ଏପ୍ରିଲ 23 ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ଗତ ମାର୍ଚ୍ଚ 15 ତାରିଖରେ ଏହି ଦୁର୍ନୀତି ମାମଲାରେ କବିତାଙ୍କ ହାଇଦ୍ରାବାଦ ବଞ୍ଜାରା ହିଲ୍ସ ସ୍ଥିତ ବାସଭବନରୁ ଇଡି ଗିରଫ କରିଥିଲା । ମାର୍ଚ୍ଚ 11 ଅର୍ଥାତ ଗତକାଲି କବିତାଙ୍କୁ ପଚରାଉଚରା ପରେ ଜେଲ ଭିତରେ ଗିରଫ କରିଥିଲା ସିବିଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 12, 2024, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.