ETV Bharat / bharat

କାଲି ବାପାଙ୍କୁ ଉଠାଇ ନେଇଥିଲା ପୋଲିସ, ଆଜି ଆତ୍ମସମର୍ପଣ କରିବେ ପ୍ରଜ୍ଜଳ ! - Prajwal Revanna to Surrender

author img

By ETV Bharat Odisha Team

Published : May 5, 2024, 1:03 PM IST

Prajwal Revanna Likely to Surrender: ଆଜି ‘ଏସଆଇଟି’ ନିକଟରେ ଆତ୍ମସମର୍ପଣ କରିପାରନ୍ତି ପ୍ରଜ୍ଜଳ ରେବନ୍ନା । ଏବେ ବିଦେଶରେ କରିଛନ୍ତି ଆତ୍ମଗୋପନ । ଜାରି ହୋଇସାରିଛି ଏକାଧିକ ନୋଟିସ । କାଲି ବାପାଙ୍କୁ ଗିରଫ କରିଥିଲା ପୋଲିସ । ଅଧିକ ପଢନ୍ତୁ

ଆଜି ଆତ୍ମସମର୍ପଣ କରିପାରନ୍ତି ପ୍ରଜ୍ଜଳ, କାଲି ବାପାଙ୍କୁ ଉଠାଇ ନେଇଛି ପୋଲିସ
ଆଜି ଆତ୍ମସମର୍ପଣ କରିପାରନ୍ତି ପ୍ରଜ୍ଜଳ, କାଲି ବାପାଙ୍କୁ ଉଠାଇ ନେଇଛି ପୋଲିସ (ଫଟୋ- ଇଟିଭି ଭାରତ, ଓଡିଶା)

ବେଙ୍ଗାଲୁରୁ: ଯୌନ କେଳେଙ୍କାରୀ ଓ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡାଙ୍କ ନାତି ସାଂସଦ ପ୍ରଜ୍ଜଳ ରେବନ୍ନା ଆଜି ତଦନ୍ତକାରୀ ସଂସ୍ଥା ନିକଟରେ ଆତ୍ମସମର୍ପଣ କରିପାରନ୍ତି । ସେ ଏବେ ସୁଦ୍ଧା ଭାରତ ଫେରିଥିବା ନେଇ ସ୍ପଷ୍ଟ ହୋଇନଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ସେ କର୍ଣ୍ଣାଟକ ପୋଲିସର ‘ଏସଆଇଟି’ ନିକଟରେ ଆତ୍ମସମର୍ପଣ କରିବା ନେଇ ‘ଜେଡିଏସ’ ସୂତ୍ରରୁ ସୂଚନା ମିଳିଛି । ଗତକାଲି ପ୍ରଜ୍ଜଳଙ୍କ ବାପା ତଥା ବିଧାୟକ ଏଚ.ଡି ରେବନ୍ନାଙ୍କୁ ପୋଲିସ ହେପାଜତକୁ ନେଇଥିଲା । ଆଜି ତାଙ୍କୁ ପୂର୍ବାହ୍ନରେ କୋର୍ଟରେ ହାଜର ମଧ୍ୟ କରାଯାଇଛି । ବେଲ୍ ମିଳିବାର ସମ୍ଭାବନା କ୍ଷୀଣ ଥିବାରୁ ତାଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତ କିମ୍ବା ପୋଲିସ ରିମାଣ୍ଡରେ ପଠାଇପାରନ୍ତି ।

ପ୍ରଜ୍ଜଳ ଏବେ ହାସନ ସଂସଦୀୟ କ୍ଷେତ୍ରରୁ ସାଂସଦ ଥିବାବେଳେ ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଜଣେ ମହିଳାଙ୍କ ପରିବାର ପ୍ରଜ୍ଜଳ ଓ ତାଙ୍କ ବିଧାୟକ ପିତାଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଅପହରଣ ଅଭିଯୋଗ ଆଣିଥିଲେ । ପରେ ପ୍ରଜ୍ଜଳଙ୍କର ଅନେକ ଅଶ୍ଳୀଳ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ମାମଲା ଲୋକଲୋଚନକୁ ଆସିବା ପୂର୍ବରୁ ପ୍ରଜ୍ଜଳ ବିଦେଶ ପଳାଇ ଯାଇଥିଲେ । ସେ ଏବେ କେଉଁଠାରେ ଅଛନ୍ତି, ତାହା ତାଙ୍କ ଦଳ କିମ୍ବା ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନି । ମାତ୍ର ‘ଜେଡିଏସ’ର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସି.ଏସ ପୁଟ୍ଟୁରାଜଙ୍କ ସୂଚନା ଅନୁସାରେ, ପ୍ରଜ୍ଜଳ ଆଜି ଦେଶକୁ ଫେରିବା ସହ ସଂଧ୍ୟା ସୁଦ୍ଧା କର୍ଣ୍ଣାଟକ ଏସଆଇଟି ନିକଟରେ ଆତ୍ମସମର୍ପଣ କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi visit

ଏହା ମଧ୍ୟ ପଢନ୍ତୁ :- SIT ହେପାଜତରେ ପ୍ରଜ୍ଜ୍ବଳଙ୍କ ବାପା ଏଚଡି ରେବନ୍ନା - HD Revanna taken into custody

ପ୍ରଜ୍ଜଳଙ୍କ ଗିରଫଦାରୀ ଦାବିରେ କଂଗ୍ରେସ ରାଜଧାନୀ ବେଙ୍ଗାଲୁରୁ ସମେତ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରଖିଛି । ଜେଡିଏସ ଏବେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ବ୍ୟାନରରେ ସାଧାରଣ ନିର୍ବାଚନ ଲଢୁଥିବାରୁ ବିଜେପିକୁ ମଧ୍ୟ ବିରୋଧୀ ସମାଲୋଚନା କରିଛନ୍ତି । ବେଙ୍ଗାଲୁରୁ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ପ୍ରଜ୍ଜଳଙ୍କ ବିରୋଧରେ ତାଙ୍କ ଦଳ ମଧ୍ୟ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି । ସେ ଏବେ ତଦନ୍ତ ନସରିବା ପର୍ଯ୍ୟନ୍ତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଅସ୍ଥାୟୀ ଭାବେ ନିଲମ୍ବିତ ହୋଇଛନ୍ତି । ଆଜି ଯଦି ସେ ଆତ୍ମସମର୍ପଣ କରନ୍ତି, ତେବେ ତାଙ୍କୁ ପୋଲିସ ଗିରଫ କରିବା ସହିତ ଆବଶ୍ୟକ ପ୍ରକ୍ରିୟା ସହ ଆସନ୍ତାକାଲି କୋର୍ଟରେ ହାଜର କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.