ETV Bharat / politics

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi visit

author img

By ETV Bharat Odisha Team

Published : May 5, 2024, 9:52 AM IST

PM Modi, BJP chief Nadda to come Odisha: ଆଜି ଓଡିଶାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ସିରିଜ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଆଜି ସନ୍ଧ୍ୟାରେ ନିର୍ବାଚନୀ ଘୋଷଣାପତ୍ର ଉନ୍ମୋଚନ କରିବେ ନଡ୍ଡା । ଅଧିକ ପଢନ୍ତୁ

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା (ଫଟୋ ଇଟିଭି ଭାରତ, ଓଡିଶା)

ଭୁବନେଶ୍ବର: ନିର୍ବାଚନୀ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଦୁଇ ଶୀର୍ଷ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାର୍ଟି ମୁଖ୍ୟ ଜେ.ପି ନଡ୍ଡା । ପ୍ରଧାନମନ୍ତ୍ରୀ ମୋଦି ଆଜି (ରବିବାର) ରାତି 9ଟା 30ରେ ଭୁବନେଶ୍ୱରରେ ପହଞ୍ଚିବେ ଓ ରାଜଭବନରେ ରାତ୍ରିଯାପନ କରିବେ । ଏଥିପାଇଁ ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତିରେ ସେ ଦଳର ରାଜ୍ୟ ନେତୃତ୍ବଙ୍କ ସହ ମଧ୍ୟ ବୈଠକ କରିବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇଟି ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉଭୟ ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ସମାନ୍ତରଳ ଭାବେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଗକୁ ମଧ୍ୟ ଏକାଧିକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ଅପରାହ୍ନରେ ଭୁବନେଶ୍ବରରେ ପହଞ୍ଚିବେ । ସନ୍ଧ୍ୟାରେ ସେ ପାର୍ଟି ରାଜ୍ୟ ମୁଖ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହ ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ନିର୍ବାଚନୀ ରଣନୀତି ଓ କାର୍ଯ୍ୟକର୍ତ୍ତାକୁ ନିର୍ବାଚନୀ ଟାକ୍ସ ଦେବେ ନଡ୍ଡା । ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଓ କେନ୍ଦ୍ରୀୟ ନେତା ମଧ୍ୟ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ।

ଓଡ଼ିଶାରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 13 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁରକୁ ମିଶାଇ 4 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ଭୋଟିଂ ହେବ । ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଉଭୟ ଦଳ ଏକାକୀ ଲଢୁଛନ୍ତି । ଓଡ଼ିଶାର ‘ଅସ୍ମିତା’ ବିପଦରେ କହି ନିଜେ ପ୍ରଧାନମନ୍ତ୍ରୀ ମୋଦି ଓ ତମାମ ବିଜେପି ଶୀର୍ଷ ନେତା ରାଜ୍ୟରେ ନବୀନ-ପାଣ୍ଡିଆନ କ୍ଷମତା ଯୁଗଳବନ୍ଦୀକୁ ପରୋକ୍ଷ ଟାର୍ଗେଟ କରିସାରିଲେଣି । ଏଥର ରାଜ୍ୟରେ ପରିବର୍ତ୍ତନ ଓ ମୋଦିଙ୍କ ନେତୃତ୍ବରେ ଡବଲ ଇଞ୍ଜିନ ସରକାର କଥା କହି ବିଜେପି ନିର୍ବାଚନ ଲଢୁଥିବା ବେଳେ ନବୀନଙ୍କ ବିକାଶଧାରାର ଉଦାହରଣ ଦେଇ ‘ଯୋଡିଶଙ୍ଖ’ରେ ଭୋଟ ମାଗିବାରେ ବ୍ୟସ୍ତ ବିଜେଡି ।

ଏହା ମଧ୍ୟ ପଢନ୍ତୁ:- ‘ଟିକା ନେଇଥିବା ଯୁବଗୋଷ୍ଠୀ ଏବେ ହୃଦଘାତର ଶିକାର ହେଉଛନ୍ତି’ - Priyanka On Vaccines

ଦେଶରେ ସାମଗ୍ରିକ ଭାବେ 370ରୁ ଅଧିକ ଆସନ ଜିତି କେନ୍ଦ୍ରରେ ପ୍ରଚଣ୍ଡ ବହୁମତ ସହ ତୃତୀୟ ପାଳି ଆରମ୍ଭ କରିବା ଲକ୍ଷ୍ୟରେ ନିର୍ବାଚନ ଲଢୁଥିବା ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ମଧ୍ୟ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବା ପାଇଁ ଆଶାବାଦୀ । ତେଣୁ ବର୍ତ୍ତମାନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଉପରେ ସମସ୍ତଙ୍କ ନଜର ରହିଛି । ଦେଶବ୍ୟାପୀ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳକୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଟାର୍ଗେଟ କରି ଘାଇଲା କରୁଥିବା ପ୍ରଧାନମନ୍ତ୍ରୀ ମୋଦି ବିଜେଡି ଓ ନବୀନଙ୍କ ବିରୋଧରେ କେତେ ଶାଣିତ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଲଢେଇ ଦିଗ ଓ ଦୃଷ୍ଟି ନିରୂପଣ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.