ETV Bharat / bharat

କଚ୍ଚାତିବୁ ବିବାଦ: 2015ରେ RTI ତଥ୍ୟରେ ମୋଦି ସରକାର ଏହା ଶ୍ରୀଲଙ୍କାର ଅଂଶ ବୋଲି ସ୍ବୀକାର କରିଥିବା କହିଲେ ଚିଦାମ୍ବରମ - Katchatheevu Row

author img

By ETV Bharat Odisha Team

Published : Apr 1, 2024, 8:48 PM IST

କଚ୍ଚାତିବୁ ବିବାଦ: 2015 ରେ RTI ତଥ୍ୟରେ ବୈଦେଶିକ ମନ୍ତ୍ରଣାଳୟ ଏହା ଶ୍ରୀଲଙ୍କାର ଅଂଶ ବୋଲି ସ୍ବୀକାର କରିଥିବା କହିଲେ ଚିଦାମ୍ବରମ
କଚ୍ଚାତିବୁ ବିବାଦ: 2015 ରେ RTI ତଥ୍ୟରେ ବୈଦେଶିକ ମନ୍ତ୍ରଣାଳୟ ଏହା ଶ୍ରୀଲଙ୍କାର ଅଂଶ ବୋଲି ସ୍ବୀକାର କରିଥିବା କହିଲେ ଚିଦାମ୍ବରମ

Katchatheevu Row: 2015 ରେ ଆରଟିଆଇ ତଥ୍ୟ ମନେ ପକାଇ ଜୟଶଙ୍କର ଓ ବିଜେପି ସରକାରକୁ ଟାର୍ଗେଟ କଲେ ଚିଦାମ୍ବରମ । କଣ ରଖିଲେ ତଥ୍ୟ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ସମୟରେ ଦେଶରେ ରାଜନୈତିକ ଆରୋପ-ପ୍ରତ୍ୟାରୋପର ଏକ ବଡ ମୁଦ୍ଦା ଭାବେ ସାମ୍ନାକୁ ଆସିଛି ତାମିଲନାଡୁ ଉପକୂଳରେ ଥବା କଚ୍ଚତିବୁ ଦ୍ବୀପ ପ୍ରସଙ୍ଗ । ଏହାକୁ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଭାରତ ସରକାର ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିବା ଅଭିଯୋଗ କରିଛି ଭାରତୟ ଜନତା ପାର୍ଟି । ଗତକାଲି ଏହି ପ୍ରସଙ୍ଗରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିବା ପରେ ଏବେ ବିଦେଶ ମନ୍ତ୍ରୀ ଜୟଶଙ୍କର ମଧ୍ୟ ପ୍ରେସମିଟ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ଏହା ପରେ କଂଗ୍ରେସ କ୍ୟାମ୍ପରୁ ମଧ୍ୟ ପାଲଟା ଟାର୍ଗେଟ ସାମ୍ନାକୁ ଆସିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଚିଦାମ୍ବରମ ଏହି ପ୍ରସଙ୍ଗରେ ବିଜେପି ସରକାର ଓ ଜୟଶଙ୍କରଙ୍କ ଭୂମିକାକୁ ସମାଲଚନା କରିଛନ୍ତି । ବିଜେପି ଏବେ ଏହି ପ୍ରସଙ୍ଗରେ ଆରଟିଆଇ ତଥ୍ୟ କଥା କହୁଛି । ହେଲେ ସେମାନେ 2015ରେ ସେମାନଙ୍କ ଶାସନ ଆରମ୍ଭ ହେବା ପରେ ସରକାର ରଖିଥିବା ତଥ୍ୟ ସମ୍ପର୍କରେ ସ୍ପଷ୍ଟ କରିବା ଉଚିତ ବୋଲି କହିଛନ୍ତି ଚିଦାମ୍ବରମ । 2015 ରେ ଆସିଥିବା ତଥ୍ୟ ଅନୁସାରେ, ବିଜେପି ସରକାର ସ୍ପଷ୍ଟୀକରଣ ରଖିଥିଲା ଯେ, ଏହି ଦ୍ବୀପକୁ ଦ୍ବିପାକ୍ଷିକ ଆଲୋଚନା ପରେ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇଥିଲା । ଏହା ଶ୍ରୀଲଙ୍କାର ଏକ ଅଂଶ ।


ଆଜି ଏହି ପ୍ରସଙ୍ଗରେ ଜୟଶଙ୍କର ପ୍ରେସମିଟ କରି ବିସ୍ତୃତ ତଥ୍ୟ ରଖିବା ସହ ଏହାକୁ ଭୁଲ ନିଷ୍ପତ୍ତି ବୋଲି ଦର୍ଶାଇ କଂଗ୍ରେସକୁ ଦାୟୀ କରିଥିଲେ । ଭାରତ-ଶ୍ରୀଲଙ୍କା ମଧ୍ୟରେ 1974 ମସିହାରେ ହୋଇଥିବା ସାମୁଦ୍ରିକ ସୀମା ଚୁକ୍ତିନାମା ଅନୁସାରେ, ଏହି ଅଂଶ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇଥିଲା । ଯାହା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଏବେ ବଡ ସମସ୍ୟାରେ ପକାଇବା ଆରମ୍ଭ କରିଛି । ସେତେବେଳେ ଶାସନରେ ଥିବା କଂଗ୍ରେସ ଏହି ପ୍ରସଙ୍ଗରେ ତତ୍ପରତା ଦେଖାଇନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଜୟଶଙ୍କର କହିଛନ୍ତି ।

ଆଜି ଏହି ପ୍ରସଙ୍କରେ ଏକାଧିକ ଟ୍ବିଟ କରି ଚିଦାମ୍ବରମ କହିଛନ୍ତି, ‘‘27-1-2015 ରେ ଏହି ସମ୍ପର୍କରେ ଏକ ତଥ୍ୟ ସୂଚନା ଅଧିକାର ଅଧିନିୟମ ବଳରେ ଆସିଥିଲା । ସେତେବେଳେ ବିଦେଶ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ, ଏହି କ୍ଷୁଦ୍ର ଦ୍ୱୀପ ଶ୍ରୀଲଙ୍କାର ଅଂଶ । ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରାଯାଇଥିବା ସରକାର ସ୍ପଷ୍ଟ କରିଥିଲେ । ବୈଦେଶିକ ମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରଣାଳୟ ବର୍ତ୍ତମାନ କାହିଁକି ଏହି ପ୍ରଶ୍ନ ଉଠାଉଛନ୍ତି ? ମୋଦି ସରକାର ଶାସନକୁ ଆସିବା ପରେ ଶ୍ରୀଲଙ୍କା ଦ୍ବାରା ଭାରତୀୟ ମତ୍ସ୍ୟଜୀବୀମାନେ ମଧ୍ୟ କଣ ଗିରଫ ହୋଇନାହାନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ନିର୍ବାଚନକୁ ସରଗରମ କଲା କଚ୍ଚାତିବୁ ଦ୍ବୀପ ପ୍ରସଙ୍ଗ: ମୋଦି କହିଲେ, କଂଗ୍ରେସର ଭୁଲ କର୍ମ ପାଇଁ ଦେଶକୁ ଏବେ ବହୁମୁଲ୍ୟ ଦେବାକୁ ପଡୁଛି - PM Modi target congress

ତେବେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ପ୍ରସଙ୍ଗରେ ସିଧା କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ସମୟର ଭୁଲ ନିଷ୍ପତ୍ତି କାରଣରୁ ଦେଶକୁ ଏବେ ମଧ୍ୟ ମୂଲ୍ୟ ଦେବାକୁ ପଡୁଛି । ତତ୍କାଳୀନ ଭାରତ ସରକାର ଦେଶର ଏହି ଅଭିନ୍ନ ଅଂଶକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଦେଇଥିଲେ ବୋଲି ମୋଦି କହିଥିଲେ ।

କ’ଣ ଏହି କଚ୍ଚାତିବୁ ପ୍ରସଙ୍ଗ:- କଚ୍ଚାତିବୁ ହେଉଛି ଭାରତ ମହାସାଗରେ ତାମିଲନାଡୁ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଏକ କ୍ଷୁଦ୍ର ଦ୍ବୀପ । ଯାହାକି ପୂର୍ବରୁ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା । ମାତ୍ର ଏହା ଏବେ ଶ୍ରୀଲଙ୍କା ନିୟନ୍ତ୍ରଣରେ ରହିଛି । ସୂଚନା ଅଧିକାର ଅଧିନିୟମ ବଳରେ ମିଳିଥିବା ତଥ୍ୟ ଅନୁସାରେ, 1974 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଦେଇଥିଲେ । ତେବେ ନିର୍ବାଚନର ଠିକ ପୂର୍ବରୁ ତାମିଲନାଡୁ ବିଜେପି ପ୍ରଦେଶ ଅଧ୍ୟକ୍ଷ କେ.ଆନ୍ନାମଲାଇଙ୍କ ଦ୍ବାରା ଏହି ତଥ୍ୟ ସାମ୍ନାକୁ ଆସିବା ପରେ ବିଜେପି ଏହାକୁ ସିଧା ଭାରତର ସାର୍ବଭୌମତ୍ବ ଓ ଅଖଣ୍ଡତା ସହ ଯୋଡି କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.