ETV Bharat / bharat

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହେମନ୍ତ - Hemant Soren Moves SC

author img

By ETV Bharat Odisha Team

Published : May 6, 2024, 12:32 PM IST

Hemant Soren Moves SC: ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ହେମନ୍ତ ସୋରେନ । ନିର୍ବାଚନ ପାଇଁ ତୁରନ୍ତ ଶୁଣାଣି ପାଇଁ ମଧ୍ୟ କଲେ ଆବେଦନ । ‘ଇଡି’ କାର୍ଯ୍ୟାନୁଷ୍ଠାନକୁ କରିଥିଲେ ଚ୍ୟାଲେଞ୍ଜ । ମାମଲା ଖାରଜ କରିଦେଇଥିଲେ ଝାଡଖଣ୍ଡ ହାଇକୋର୍ଟ । ଅଧିକ ପଢନ୍ତୁ

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହେମନ୍ତ
ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହେମନ୍ତ (ଫଟୋ- ଇଟିଭି ଭାରତ, ଓଡିଶା)

ନୂଆଦିଲ୍ଲୀ/ରାଞ୍ଚି : ଜମି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ (ଇଡି) ଦ୍ବାରା ଗିରଫ ହୋଇ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫଦାରୀକୁ ଚ୍ଯାଲେଞ୍ଜ କରି ହେମନ୍ତ କରିଥିବା ଆବେଦନକୁ ଝାଡଖଣ୍ଡ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୋରେନ ।

ସୋରେନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ମାମଲା ପରିଚାଳନା କରିବେ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ 3ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ତେବେ ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ଏହି ମାମଲାର ତୁରନ୍ତ ଶୁଣାଣି କରିବା ପାଇଁ ହେମନ୍ତଙ୍କ ଓକିଲ ଶିବଲ ଆବେଦନରେ ଦର୍ଶାଇଛନ୍ତି । ଏହାକୁ ତୁରନ୍ତ ଶୁଣାଣି ତାଲିକାଭୁକ୍ତ କରାଯାଇପାରେ । ପୂର୍ବରୁ ଗିରଫଦାରୀ ପରେ ଏହି ମାମଲାରେ ସୋରେନଙ୍କୁ ଏକାଧିକ ଥର ରିମାଣ୍ଡରେ ନେଇସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଫେବୃଆରୀ 15 ତାରିଖରେ 13 ଦିନିଆ ‘ଇଡି’ ରିମାଣ୍ଡ ଶେଷ ହେବା ପରେ ସେ ଏବେ ରାଞ୍ଚିର ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରାଗାରରେ ବିଚାର ବିଭାଗୀୟ ଜେଲରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ମୋଦି ନାରାରେ କମ୍ପିଲା କନିଷି, 'ଜୁନ୍ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ, ଓଡ଼ିଶାରେ ବିଜେଡି ଅସ୍ତଗାମୀ' - PM Modi Address rally In Berhampur

ଜାନୁଆରୀ 31 ତାରିଖରେ ବହୁଚର୍ଚ୍ଚିତ ଜମି ଘୋଟାଲା ମାମଲାରେ ଗିରଫ ହୋଇଥିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଡି’ ହେମନ୍ତଙ୍କୁ ପ୍ରାୟ 6 ଘଣ୍ଟା ଜେରା କରିବା ପରେ ରାତିରେ ଗିରଫ କରିଥିଲା । ଏହା ପୂର୍ବରୁ ସେ ଇଡି ଅଧିକାରୀଙ୍କ ସହ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏବେ ଝାଡଖଣ୍ଡରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଥିବା ବେଳେ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ସାଧାରଣ ନିର୍ବାଚନ ଲଢୁଛନ୍ତି । ଗିରଫଦାରୀ ପରେ ବେଲ ପାଇବାରେ ଏପର୍ଯ୍ୟନ୍ତ ସଫଳ ହୋଇନାହାନ୍ତି ହେମନ୍ତ ସୋରେନ । ସେ ଇଡିର କାର୍ଯ୍ୟାନୁଷ୍ଠାନକୁ ଅସାମ୍ବିଧାନିକ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ମାମଲା କରିଥିଲେ । ସେଠାରୁ ନିରାଶ ହେବା ପରେ ସେ ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଯାହାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.