ETV Bharat / bharat

ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା

author img

By ETV Bharat Odisha Team

Published : Mar 9, 2024, 10:25 PM IST

ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା
ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା

Arun Goel Resigns Weeks Before Lok Sabha Polls: ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର କିଛି ଦିନ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ତାଙ୍କ ଇସ୍ତଫା ଗ୍ରହଣ କରିସାରିଥିବା ମଧ୍ୟ ସୂଚନା ମିଳିଛି । ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନରଙ୍କୁ ନେଇ ନିର୍ବାଚନ ଆୟୋଗ ଗଠିତ । ପୂର୍ବରୁ ଗୋଟିଏ ନିର୍ବାଚନ କମିଶନର ପଦ ଖାଲି ପଡିଥିଲା ଏବଂ ବର୍ତ୍ତମାନ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ସମଗ୍ର ଦାୟିତ୍ୱ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନିକଟରେ ନ୍ୟସ୍ତ ହେବାକୁ ଯାଉଛି । ଆସନ୍ତା ସପ୍ତାହରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି । ଏହା ପୂର୍ବରୁ ଜଣେ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ନିର୍ବାଚନ ପରିଚାଳନା ପ୍ରକ୍ରିୟାକୁ ଅନେକାଂଶରେ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ମଧ୍ୟ ରହିଛି ।

ଗୋଏଲଙ୍କ କାର୍ଯ୍ୟକାଳ ଡିସେମ୍ବର 2027 ପର୍ଯ୍ୟନ୍ତ ଥିଲା । ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଗୋଏଲ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଥିଲେ । ରାଷ୍ଟ୍ରପତି ତାଙ୍କ ଇସ୍ତଫା ଗ୍ରହଣ ମଧ୍ୟ କରିଛନ୍ତି । ବର୍ତ୍ତମାନ ଗୋଏଲ କାହିଁକି ଇସ୍ତଫା ଦେଇଛନ୍ତି, ତାହା ସମ୍ପର୍କରେ ସ୍ପଷ୍ଟ ସୂଚନା ଜଣାପଡିନାହିଁ । ପୂର୍ବରୁ ଅନୁପ ପାଣ୍ଡେଙ୍କ ଅବସର ଏବଂ ଏବେ ଗୋଏଲଙ୍କ ଇସ୍ତଫା ପରେ ବର୍ତ୍ତମାନ ତିନିଜଣିଆ ନିର୍ବାଚନ ଆୟୋଗ କମିଟିରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ହିଁ କାର୍ଯ୍ୟରତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମେଣ୍ଟ ନୁହେଁ, ମୋଦି ଗ୍ୟାରେଣ୍ଟିକୁ ନେଇ ନିର୍ବାଚନ ଲଢିବ ଦଳ: ଜୁଏଲ ଓରାମ

ଗୋଏଲଙ୍କ ନିଯୁକ୍ତିକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ଗୋଏଲଙ୍କ ନିଯୁକ୍ତିକୁ ଅସାମ୍ବିଧାନିକ ଓ ଏହାକୁ ରଦ୍ଦ କରିବା ପାଇଁ ଯୁକ୍ତି ଦର୍ଶାଯାଇଥିଲା । ସମ୍ବିଧାନର ଧାରା 14 ଏବଂ 324 (2) ଏବଂ ନିର୍ବାଚନ ଆୟୋଗ (କାର୍ଯ୍ୟକାରିଣୀ ଏବଂ କାର୍ଯ୍ୟନିର୍ବାହୀ କ୍ଷମତା) 1991 ଅଧିନିୟମର ଉଲ୍ଲଘଂନ ହୋଇଛି ବୋଲି ମାମଲାରେ ଦର୍ଶାଯାଇଥିଲା । ଏକାଧିକ ଶୁଣାଣି ପରେ ଏହି ଆବେଦନକୁ ସର୍ବୋଚ୍ଚ କୋର୍ଟଙ୍କ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ହେଲେ ସର୍ବୋଚ୍ଚ କୋର୍ଟରୁ ଆଶ୍ବସ୍ତି ପାଇଥିବା ଗୋଏଲ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର କିଛି ଦିନ ପୂର୍ବରୁ ଅପ୍ରତ୍ୟାଶିତ ଭାବେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.