ETV Bharat / bharat

ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଲମ୍ବିଲା ଅବକାରୀ ଘୋଟାଲା ମାମଲାର ତଦନ୍ତ, AAP ନେତାଙ୍କୁ ED ସମନ - ED summons AAP leaders from Goa

author img

By ETV Bharat Odisha Team

Published : Mar 27, 2024, 10:51 PM IST

ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗୋଆ AAP ନେତାଙ୍କୁ ED ସମନ, କାଲି ହେବେ ଜେରା
ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗୋଆ AAP ନେତାଙ୍କୁ ED ସମନ, କାଲି ହେବେ ଜେରା

ED summons AAP leaders from Goa: ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଲମ୍ବିଲା ଅବକାରୀ ଘୋଟାଲା ମାମଲାର ତଦନ୍ତ । ଗୋଆର AAP ନେତାଙ୍କୁ ED ସମନ । କାଲି ଦିଲ୍ଲୀରେ ହେବେ ଜେରା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାର ତଦନ୍ତ ଏବେ ଦିଲ୍ଲୀରୁ ଗୋଆ ପର୍ଯ୍ୟନ୍ତ ଲମ୍ବିବାକୁ ଯାଉଛି । କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରାଡାରରେ ଗୋଆର କିଛି ଆମ ଆଦମୀ ପାର୍ଟି ନେତା ରହିଛନ୍ତି । କାରଣ କେଜ୍ରିଓ୍ବାଲଙ୍କ ପାର୍ଟି ସେଠାରେ ମଧ୍ୟ 2022 ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା । ସେହି ସମୟରେ ସେଠାରେ ମଧ୍ୟ ଏହି ଟଙ୍କା ବିନିଯୋଗ ହୋଇଥିବାର ସନ୍ଦେହ କରାଯାଉଛି । ତେଣୁ ଗୋଆରେ ଆମ ଆଦମୀ ପାର୍ଟିର କିଛି ନେତାଙ୍କୁ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି । ଆସନ୍ତାକାଲି ଏହି ନେତାମାନେ ଦିଲ୍ଲୀ ଆସି କେନ୍ଦ୍ରୀୟ ସଂସ୍ଥାର ମୁଖ୍ୟାଳୟରେ ହାଜର ହେବେ ।

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ହାଜର ହେବା ପାଇଁ ସମନ ପାଇଥିବା ସମସ୍ତ ଆମ ଆଦମୀ ପାର୍ଟି ନେତାମାନେ ବିଧାନସଭା ନିର୍ବାଚନ ସମୟରେ ଦଳ ସହ ଯୋଡି ହୋଇଥିଲେ । ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଓ ଅନ୍ୟ ବ୍ୟାପାରରେ ମଧ୍ୟ ସେମାନେ ନିୟୋଜିତ ଥିଲେ । ସାଉଥ ଗ୍ରୁପ କମ୍ପାନୀ ଠାରୁ ଆମ ଆଦମୀ ପାର୍ଟି ପ୍ରାୟ 100 କୋଟିର ଅର୍ଥରାଶି ସଂଗ୍ରହ କରିଛି । ସେଥିମଧ୍ୟରୁ ପ୍ରାୟ 45 କୋଟି ଗୋଆ ବିଧାନସଭା ନିର୍ବାଚନରେ ଖର୍ଚ୍ଚ ହୋଇଥିଲା । ଏହି ସ୍ଥାନୀୟ ନେତାମାନେ ଏହି ଟଙ୍କା କାରବାର ସମ୍ପର୍କରେ ଜାଣନ୍ତି । 2022 ରେ ଶେଷ ହୋଇଥିବା ଗୋଆ ବିଧାନସଭା ନିର୍ବାଚନରେ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି ପ୍ରତିଦ୍ବନ୍ଦ୍ବିତା କରିଥିଲା । ମୋଟ 40 ଆସନ ମଧ୍ୟରୁ ପାର୍ଟି ମାତ୍ର 2ଟି ଆସନ ବିଜୟୀ ହୋଇଥିଲା । ରାଜ୍ୟରେ ଦଳର ମୋଟ ଭୋଟ ପ୍ରତିଶତ 6.77 ଥିଲା ।

ଏହା ମଧ୍ୟ ପଢନ୍ତୁ :- ହସ୍ପିଟାଲରୁ ଡିସଚାର୍ଜ ହେଲେ ସଦଗୁରୁ, 20ରେ ହୋଇଥିଲା ବ୍ରେନ ସର୍ଜରୀ - Sadhguru Discharged from Hospital

ଏବେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କୁ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ମାମଲାରେ ଏବେ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ଅଛନ୍ତି । ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲାରେ ପ୍ରଥମେ ଗିରଫ ହୋଇ ଜେଲ ଯାଇଥିଲେ । ଏବେ ସୁଦ୍ଧା ମଧ୍ୟ ସେ ବେଲ ପାଇବାରେ ସଫଳ ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.