ETV Bharat / bharat

ହାଜର ହେଉ ନାହାନ୍ତି କେଜ୍ରିଓ୍ୱାଲ, ମଦ ଦୁର୍ନୀତି ମାମଲାରେ ଇଡିର ପଞ୍ଚମ ସମନ

author img

By ETV Bharat Odisha Team

Published : Jan 31, 2024, 4:21 PM IST

Kejriwal
Kejriwal

ED Issues 5th Summons to Kejriwal: ଦିଲ୍ଲୀ ଅବକାରୀ ଘୋଟାଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ 5ମ ଥର ପାଇଁ ସମନ ଜାରି କଲା ଇଡି । ବିଭିନ୍ନ କାରଣ ଦର୍ଶାଇ ହାଜର ହେଉ ନାହାନ୍ତି କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ଘନଘନ ସମନ । ପଞ୍ଚମ ଥର ପାଇଁ ଆଜି(ବୁଧବାର) କେଜ୍ରିୱାଲଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆସନ୍ତା ଫେବୃଆରୀ 2 ତାରିଖରେ ପଚରାଉଚରା ପାଇଁ ଇଡି ଅଫିସରେ ହାଜର ହେବାକୁ ସମନରେ କୁହାଯାଇଛି । ପୂର୍ବରୁ ତାଙ୍କୁ 4 ଥର ସମନ କରାଯାଇଥିଲେ ହେଁ ସେ ହାଜର ହୋଇନଥିଲେ । ଅନେକ କାରଣ ଦର୍ଶାଇ ଇଡି ସମନକୁ ଏଡାଇ ଦେଇଥିଲେ ଆପ୍ ସୁପ୍ରିମୋ ।

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମୟ ଜାରି କରାଯାଉଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ କହି ଇଡିରେ ହାଜର ହେଉନାହାନ୍ତି । ପୂର୍ବରୁ ନଭେମ୍ବର 2 ତାରିଖ, ଡିସେମ୍ବର 21, ଜାନୁଆରୀ 3 ଏବଂ ଜାନୁଆରୀ 18 ତାରିଖରେ ସମନ ଜାରି କରାଯାଇଥିଲା । କିନ୍ତୁ ଆପ ସୁପ୍ରିମୋ ହାଜର ହେଉନଥିବା ବେଳେ ଆଜି ପଞ୍ଚମ ଥର ତାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଜି ବି ଇଡିରେ ହାଜର ହେବେନି କେଜ୍ରିୱାଲ !

ଶେଷଥର ପାଇଁ ଅର୍ଥାତ ଜାନୁଆରୀ 18 ତାରିଖରେ ସମନ ଜାରି କରାଯାଇଥିବା ବେଳେ ହାଜର ନହୋଇ ନିଜ ପ୍ରତିକ୍ରିୟା ରଖି ପ୍ରଶ୍ନ କରିଥିଲେ କେଜ୍ରିଓ୍ବାଲ । ସାଧାରଣ ନିର୍ବାଚନର ମାତ୍ର 2 ମାସ ପୂର୍ବରୁ ତାଙ୍କୁ କାହିଁକି ସମନ ଜାରି କରାଯାଉଛି ବୋଲି ଇଡି ସମନର ପ୍ରତିଉତ୍ତର ଦେଇଥିଲେ । କେଜ୍ରିଓ୍ବାଲ କହିଥିଲେ, "ଏହା ଆଇନ ଆଖିରେ ଅବୈଧ ଓ ବେଆଇନ ମଧ୍ୟ । ଏହି ସମୟରେ ମତେ ନୋଟିସ କାହିଁକି ଜାରି କରାଯାଉଛି । ଏହା ସମ୍ପର୍କରେ ମୁଁ ଅନେକ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖି ସାରିଲେଣି । ସେମାନେ ଏହାର କୌଣସି ପ୍ରତିଉତ୍ତର ଦେଉନାହାନ୍ତି । 2ମାସ ହେଲା ତଦନ୍ତ ଚାଲିଛି କିନ୍ତୁ ସେମାନେ କୌଣସି ପ୍ରମାଣ ମଧ୍ୟ ପାଇନାହାନ୍ତି ।"

ପ୍ରକାଶଥାଉକି, ଦିଲ୍ଲୀର ଆପ୍ ସରକାର 2021 ମସିହାରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏହି ନିୟମ ଅନୁସାରେ ଘରୋଇ ଦୋକାନରେ ମଦ ବିକ୍ରି ନେଇ ଅନୁମତି ଦେଇଥିବା ବେଳେ ସରକାରୀ ଦୋକାନଗୁଡିକୁ ବନ୍ଦ କରାଯାଇଥିଲା । ତେବେ ଅବକାରୀ ନୀତି ଓ ମଦ ବିକ୍ରି କରିବା ଲାଗି ଜାରି ହେଉଥିବା ଲାଇସେନ୍ସରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ପରେ ଦିଲ୍ଲୀ ଉପରାଜ୍ୟପାଳ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଉଭୟ ଇଡି ଓ ସିବିଆଇ ଏହି ମାମଲାର ତଦନ୍ତ କରୁଛନ୍ତି । ତେବେ ପୂର୍ବରୁ ଇଡି ସମନକୁ 4ଥର ଏଡାଇ ଦେଇଥିବା ବେଳେ ଆଜି 5ମ ଥର ସମନ ଜାରି କରାଯାଇଛି । ତେବେ ଆସନ୍ତା 2 ତାରିଖରେ କ୍ରେଜିଓ୍ବାଲ ହାଜର ହେବେ ନା କାରଣ ଦର୍ଶାଇ ଏଡାଇବେ ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.