ETV Bharat / bharat

କାଲି ପ୍ରଥମ ପର୍ଯ୍ୟାୟ ମତଦାନ, ବୁଥସ୍ତର ମ୍ୟାନେଜମେଣ୍ଟ ଉପରେ କଂଗ୍ରେସର ଫୋକସ - Congress Booth level management

author img

By ETV Bharat Odisha Team

Published : Apr 18, 2024, 4:09 PM IST

Etv Bharat
Etv Bharat

Congress Booth level management : ଆସନ୍ତାକାଲି (ଶୁକ୍ରବାର)ଠୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ 102 ଆସନ ପାଇଁ ପଡ଼ିବ ଭୋଟ । କଂଗ୍ରେସ ବୁଥ ସ୍ତର ପରିଚାଳନା ଉପରେ ବିଶେଷ ଗୁରୁତ୍ବାରୋପ କରିଛି । ତେବେ କଣ ରହିଛି ଦଳର ରଣନୀତି ପଢନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନର ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ରଣନୀତି । ବୁଥ ସ୍ତରର ସଂଗଠନ ଉପରେ ସମୀକ୍ଷା କଲା ଦଳ । ଆସନ୍ତାକାଲି ମୋଟ 21 ରାଜ୍ୟର 102 ଲୋକସଭା ଆସନ ଲାଗି ପଡ଼ିବ ଭୋଟ । ଏହାରି ମଧ୍ୟରେ କଂଗ୍ରେସ ବୁଥ ଲେଭଲ ମ୍ୟାନେଜମେଣ୍ଟ ଉପରେ ଫୋକସ ରଖିଛି । ବୁଥ ସ୍ତରରେ ଯେପରି ସୁରୁଖୁରୁରେ ମତଦାନ ହୋଇପାରିବ ଓ ସେଠାରେ ସମ୍ଭବତଃ କୌଣସି ତ୍ରୁଟି ଉପରେ ନଜର ରଖିବା ଉପରେ ଦଳ ଗୁରୁତ୍ବାରୋପ କରିଛି ବୋଲି ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେ ।

ୟୁପି ପ୍ରଭାରୀ ତଥା ଦଳର ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେ ‘ଇଟିଭି ଭାରତ’କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମତଦାନ ଦିନ ରଣନୀତି ସମ୍ପର୍କରେ ଆମେ ଦଳୀୟ କର୍ମୀଙ୍କୁ ବିଶେଷ ନିର୍ଦ୍ଦେଶନାମା ଦେଇଛୁ । ଯାହା ଦ୍ବାରା ସେମାନେ ବୁଥ ସ୍ତରରେ ସର୍ବାଧିକ ମତଦାନ କରିପାରିବେ ଏବଂ ସେଠାରେ ଘଟୁଥିବା କୌଣସି ତ୍ରୁଟି ଉପରେ ନଜର ରଖିପାରିବେ । ମୁଁ ଗତ ଏକ ମାସ ଧରି ବୁଥ ସ୍ତରର ପରିଚାଳନା ସମ୍ପର୍କରେ ସ୍ଥାନୀୟ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଆସୁଛି । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା 8ଟି ଲୋକସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଛି । ଆମେ ସମସ୍ତ କଂଗ୍ରେସ କର୍ମୀଙ୍କୁ ବୁଥ୍ ସ୍ତରରେ ସପା କର୍ମଚାରୀଙ୍କ ସହ ମିଶି କାମ କରିବାକୁ କହିଛୁ।"

ଏହା ବି ପଢନ୍ତୁ- ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଦାଖଲ

ସେ ଆହୁରି କହିଛନ୍ତି, "ଶାନ୍ତିପୂର୍ଣ୍ଣ ଭାବରେ ଏବଂ ବହୁ ସଂଖ୍ୟାରେ ମତଦାନ ଉପରେ ନଜର ରହିଛି । ଆମେ ଆମର କର୍ମୀଙ୍କୁ ତାଲିମ ଦେଇଛୁ ଯାହା ଦ୍ବାରା ସେମାନେ ଭୋଟରଙ୍କ ପରିଚୟ ନିଶ୍ଚିତ କରିପାରିବେ। ଇଭିଏମ ଉପରେ ବିଶେଷ ନଜର ରଖିବାକୁ କୁହାଯାଇଛି । ଲକ୍ଷ୍ନୌରେ ଏକ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । ସମସ୍ତ ପ୍ରାର୍ଥୀ ଏହି ନିୟନ୍ତ୍ରଣ କକ୍ଷ ସହିତ ଯୋଗାଯୋଗରେ ରହିବେ । ଜାତୀୟ ସ୍ତରରେ ସ୍ଥାପିତ କଣ୍ଟ୍ରୋଲ ରୁମ ସହିତ ଲକ୍ଷ୍ନୌ ଟିମ ଯୋଗାଯୋଗ କରିବ । ପ୍ରଚାର ସମୟରେ ଆମେ ହୃଦୟଙ୍ଗମ କରିଛୁ ଯେ କଂଗ୍ରେସ ପାଇଁ ଜନସାଧାରଣଙ୍କ ସମର୍ଥନ ରହିଛି, କିନ୍ତୁ ଏହାକୁ ଭୋଟରେ ପରିଣତ କରିବା ଆମେ ଅଧିକ ଗୁରୁତ୍ବ ଦେଉଛୁ ।"

ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ, ଶିବସେନା (ଉଦ୍ଧବ ଗୋଷ୍ଠୀ) ଏବଂ ଏନସିପି ଶରଦ ପାୱାର ଦଳ ମଧ୍ୟରେ ମେଣ୍ଟ ରହିଛି । ଏଠାରେ ମୋଟ 48ଟି ଲୋକସଭା ଆସନ ଅଛି । କଂଗ୍ରେସ ଏଠାରେ 17ଟି ଆସନ ପାଇଛି । ପ୍ରଥମ ପର୍ଯ୍ୟାୟରେ ଏହି 17ଟି ଆସନ ମଧ୍ୟରୁ 5ଟିରେ ଭୋଟ୍ ଗ୍ରହଣ କରାଯିବ । ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଆଶିଷ ଦୁଆ ଇଟିଭି ଭାରତକୁ କହିଛନ୍ତି ଯେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟରେ ଆମେ ବୁଥ ଏଜେଣ୍ଟ ଏବଂ ସମଗ୍ର ଦଳକୁ ସତର୍କ ରହିବାକୁ ପରାମର୍ଶ ଦେଇଛୁ । ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ କେବଳ 5ଟି ଆସନରେ ହେବ, କିନ୍ତୁ ଗ୍ରାଉଣ୍ଡରେ ଆମକୁ ଅନ୍ୟ ସହଯୋଗୀଙ୍କ ସହ ମିଶି କାମ କରିବାକୁ ପଡିବ । ଆମେ ସମଗ୍ର ପ୍ରକ୍ରିୟା ଉପରେ ନଜର ରଖିଛୁ ।"

ଉତ୍ତର ପୂର୍ବରେ ଅରୁଣାଚଳ ପ୍ରଦେଶର 2ଟି ଆସନ, ମଣିପୁରରେ 2ଟି ଆସନ, ନାଗାଲାଣ୍ଡ ଓ ମେଘାଳୟରେ ଗୋଟିଏ ଆସନରେ ଭୋଟ୍ ଗ୍ରହଣ କରାଯିବ । ଆସାମରୁ 5ଟି ଏବଂ ତ୍ରିପୁରାରୁ ଗୋଟିଏ ସିଟରେ ମଧ୍ୟ ଭୋଟ ପଡ଼ିବ । ଦଳର ବିଶେଷ ସୂତ୍ରର ସୂଚନା ଅନୁସାରେ, " ଗତ ମାସରେ ଏକ ବୁଥ ସ୍ତରୀୟ ଦଳ ଗଠନ କରାଯାଇଥିଲା । ତାଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା । ଉତ୍ତର ପୂର୍ବ ପରି କଠିନ ଭୌଗୋଳିକ କ୍ଷେତ୍ରରେ କି ପ୍ରକାର କାର୍ଯ୍ୟ କରାଯିବ ସେ ବିଷୟରେ ସେମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା । ସେ କହିଛନ୍ତି ଯେ ଏଠାରେ ଆମର ଦଳ ଭୋଟରଙ୍କ ସହ ସମୟ ବିତାଉଛନ୍ତି । ବର୍ତ୍ତମାନ ସେମାନଙ୍କର କାମ ହେଉଛି ଏହି ଭୋଟରମାନଙ୍କୁ ବୁଥକୁ ନେବା ।"

ତ୍ରିପୁରା, ନାଗାଲାଣ୍ଡ ଓ ମଣିପୁର ପ୍ରଭାରୀ ଗିରିଶ ଚୋଣ୍ଡାକର ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, " ଆମ ବୁଥ ସ୍ତରୀୟ ଟିମ ପ୍ରସ୍ତୁତ ଅଛନ୍ତି । ତ୍ରିପୁରାରେ ନିର୍ବାଚନୀ ହିଂସା ଏକ ସାଧାରଣ କଥା । ଗତ ବର୍ଷ କିଛି ସପ୍ତାହ ଧରି ସେଠାକାର ଲୋକଙ୍କ ସହିତ ଆମେ ଅଛୁ । ସେମାନେ କଂଗ୍ରେସକୁ ସମର୍ଥନ କରନ୍ତି । ଆମକୁ ମତଦାତାଙ୍କୁ କିପରି ସୁରକ୍ଷିତ ଭାବେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ନେଇପାରିବୁ ତାହା ଉପରେ ଗୁରୁତ୍ବ ଦେଉଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.