ଓଡିଶା

odisha

ପୁଣି କୋଟିଆରେ ଆନ୍ଧ୍ରର ଜବରଦଖଲ, ଲାଗିଲା ଜଗନଙ୍କ ଦଳୀୟ ପତାକା

By ETV Bharat Odisha Team

Published : Jan 1, 2024, 8:26 PM IST

Updated : Jan 1, 2024, 8:36 PM IST

Kotia Issue: ପୁଣି କୋଟିଆ ଉପରେ ଆଧିପତ୍ୟ ଜାହିର କଲା ଆନ୍ଧ୍ର । ନୂଆବର୍ଷରେ କୋଟିଆ ପଞ୍ଚାୟତରେ ଲାଗିଲା ଜଗନଙ୍କ ଦଳୀୟ ପତାକା । ଅଧିକ ପଢନ୍ତୁ

YSRCP flag in Kotia
YSRCP flag in Kotia

ପୁଣି କୋଟିଆରେ ଆନ୍ଧ୍ରର ଜବରଦଖଲ, ଲାଗିଲା ଜଗନଙ୍କ ଦଳୀୟ ପତାକା

କୋରାପୁଟ:କୋଟିଆକୁ ନେଇ ବିବାଦ ଭିତରେ ପୁଣି ଥରେ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କଲା ଆନ୍ଧ୍ର । ନୂଆ ବର୍ଷରେ ଆନ୍ଧ୍ର ସରକାର ଓଡ଼ିଶାର କୋଟିଆ ପଞ୍ଚାୟତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ୱାଇଏସଆର କଂଗ୍ରେସର ଦଳୀୟ ପ୍ରଚାର ପତାକା ଉଡାଇବା ଚର୍ଚ୍ଚାର ବିଷୟ ପାଲଟିଛି । କୋଟିଆ ପଞ୍ଚାୟତର ଉପର ସେମ୍ବି ଓ ନେରେଡିବାଲାସା ମଧ୍ୟରେ ଥିବା ଧୂଳିପଦର ଗାଁର ପ୍ରବେଶ ଛକରେ ଆଜି (ସୋମବାର) ସକାଳେ "ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ହିଁ ଆମ ଭରସା" ବୋଲି ତେଲୁଗୁରେ ଲେଖାଥିବା ପତାକା ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି ।

ଓଡ଼ିଆରେ ପଢିଲେ ଗାଁର ନାଁ ଧୂଳିପଦର ଓ ତେଲୁଗୁରେ ପଢିଲେ ଧୁଲିଭଦ୍ରା । ଧୂଳିପଦର ଗ୍ରାମରେ କେନ୍ଦ୍ର ଓ ଜଗନ ସରକାରଙ୍କ ମିଳିତ ବାର୍ତ୍ତାକୁ ବହନ କରି ଯେଉଁ ଫଳକକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଆଜି ଠିକ ସେହି ଫଳକ ନିକଟରେ ଜଗନଙ୍କ ସମର୍ଥନରେ ଆନ୍ଧ୍ରପ୍ରଦେଶର ପ୍ରତି ପଞ୍ଚାୟତରେ ଦଳୀୟ ପତାକା ଲାଗିଥିବା ଦେଖିବାକୁ ମିଳିଛି । ଏହାରି ସହିତ ପୁଣିଥରେ ନିଜ ଉପସ୍ଥିତିକୁ ଜବରଦସ୍ତି ଓଡ଼ିଶା ଉପରେ ଲଦି ଦେଇ ଅନୁପ୍ରବେଶ କରିବାର ପ୍ରଚେଷ୍ଟା କରିଛି ଆନ୍ଧ୍ର। ଜିଲ୍ଲାର ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ଧୂଳିପଦର ଓ ଫଗୁଣସିନେରୀରେ ଆନ୍ଧ୍ର ଦ୍ବାରା ଲଗାଯାଇଥିବା ଫଳକରେ କେନ୍ଦ୍ର ଓ ଆନ୍ଧ୍ର ଜଗନ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ସୂଚନା ରହିଛି ।

ଏହା ବି ପଢନ୍ତୁ- Kotia Issue: କୋଟିଆର ଓଡ଼ିଶା ପିନକୋଡ ପ୍ରମାଣ ପରେ ଆନ୍ଧ୍ର ନେତା ଛାନିଆ

'ମୋ ମାଟି ମୋ ଦେଶ' ଶୀର୍ଷକ ଫଳକରେ ମାଟି ମା' ପ୍ରତି କୃତଜ୍ଞ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ସହିତ ସ୍ବଚ୍ଛ ପବନ, ଜଳ ତଥା ଉର୍ବର ମାଟିକୁ କିପରି ସୁରକ୍ଷିତ ରଖି ଭବିଷ୍ୟତ ପିଢି ପାଇଁ ସଂରକ୍ଷିତ କରିହେବ ସେ ସଂକ୍ରାନ୍ତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଛି । କୋଟିଆ ପଞ୍ଚାୟତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ମାଟି ମା'ର ପରିସୀମାକୁ ନେଇ ସଂଗ୍ରାମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମିଳିତ ବାର୍ତ୍ତା ତେଲୁଗୁରେ ଲେଖାଥିବା ଫଳକକୁ ଜିଲ୍ଲାବାସୀ ଦୃଢ ବିରୋଧ କରିଥିଲେ । କୋଟିଆରେ ଓଡ଼ିଶା ସହ ସଂଗ୍ରାମରେ ପରାହତ ହୋଇ ଆନ୍ଧ୍ର ସରକାର କେନ୍ଦ୍ର ସରକାରଙ୍କ ସହ ହାତ ମିଶାଇ ଏହି ବିବାଦୀୟ ଅଞ୍ଚଳକୁ କଳେ ବଳେ କୌଶଳେ ହାତେଇବା ପାଇଁ କରାଯାଉଥିବା ଚକ୍ରାନ୍ତରେ ଆଜିର ପତାକା ଆଉ ଏକ ଫର୍ଦ୍ଦ ଯୋଡ଼ିଛି ।

କୋଟିଆକୁ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରିବାକୁ ନେଇ ଓଡିଶା ପକ୍ଷରୁ ଘୋର ବିରୋଧ କରାଯାଉଛି । ଏଣୁ ଆନ୍ଧ୍ର କୋଟିଆରେ ଲୁଚି ଛପି ପ୍ରବେଶ କରୁଛି । ସୀମାବର୍ତ୍ତୀ ଅଞ୍ଚଳବାସୀଙ୍କୁ ବିଭିନ୍ନ ସମୟରେ ପ୍ରଲୋଭିତ କରାଇ ଆନ୍ଧ୍ରରେ ମିଶାଇବା ପାଇଁ ବଡ଼ ଷଡଯନ୍ତ୍ର ଚଳାଇଛି । ଉଭୟ ଓଡ଼ିଶା ଓ ଆନ୍ଧ୍ର ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନକୁ ଯାଉଥିବା ବେଳେ ଓଡ଼ିଶା ମାଟିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖିବାର ପତାକା ଉତ୍ତୋଳନ କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ କି ଜିଲ୍ଲା ପ୍ରଶାସନ ନୀରବ ରହିବାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ଉତ୍ତୋଳିତ ପତାକାକୁ ଓହ୍ଲାଇ ଆଣିବା ପାଇଁ ସାଧାରଣରେ ଦାବି କରାଯାଇଛି ।

ଇଟିଭି ଭାରତ, କୋରାପୁଟ

Last Updated :Jan 1, 2024, 8:36 PM IST

ABOUT THE AUTHOR

...view details