ETV Bharat / state

Kotia Issue: କୋଟିଆର ଓଡ଼ିଶା ପିନକୋଡ ପ୍ରମାଣ ପରେ ଆନ୍ଧ୍ର ନେତା ଛାନିଆ

author img

By

Published : May 29, 2023, 8:18 PM IST

Updated : May 29, 2023, 8:51 PM IST

Kotia Issue
Kotia Issue

କୋଟିଆର ପିନକୋଡ ଓଡ଼ିଶା ସପକ୍ଷରେ ଏକ ବଳିଷ୍ଠ ପ୍ରମାଣ ସାଜିବ ବୋଲି ଚର୍ଚ୍ଚା ହେବା ପରେ ଛାନିଆ ହୋଇଛନ୍ତି ଆନ୍ଧ୍ର ସରକାର । ଏହି ଖବର ପ୍ରସାରିତ ହେବା ପରେ ଆନ୍ଧ୍ର ନେତା କୋଟିଆ ପଞ୍ଚାୟତକୁ ଆସି ଆଦିବାସୀମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Kotia Issue: କୋଟିଆର ଓଡ଼ିଶା ପିନକୋଡ ପ୍ରମାଣ ପରେ ଆନ୍ଧ୍ର ନେତା ଛାନିଆ

କୋରାପୁଟ: କୋଟିଆକୁ ନେଇ ଓଡିଶାର ରାଜନୈତିକ ନେତା, ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ ଓ ବିଭିନ୍ନ ସଂଗଠନ ମିଳିତ ଭାବେ ଉଦ୍ୟମ କରୁଛନ୍ତି । ଏହି କ୍ରମରେ କୋଟିଆ ପୋଷ୍ଟ ଅଫିସର ପିନକୋଡ, ଓଡ଼ିଶା ଡିଭିଜନ ଅଧୀନରେ ରହିଥିବାରୁ ଏହା ଓଡ଼ିଶା ପାଇଁ ଏକ ବଳିଷ୍ଠ ପ୍ରମାଣ ସାଜିଛି । 'କୋଟିଆ ଓଡ଼ିଶାର' ସ୍ଲୋଗାନ ଦେଇ ପୋଷ୍ଟାଲ କଭର ଜାରି ହେବା ପରେ ଛାନିଆ ହୋଇଛନ୍ତି ଆନ୍ଧ୍ର ନେତା । କୋଟିଆ ପିନକୋଡକୁ ନେଇ ଓଡ଼ିଶା ଆନ୍ଧ୍ର ବିରୋଧରେ ଷଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶର ପ୍ରମୁଖ ରାଜନୈତିକ ଦଳ ଲୋକ ସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବଜି । ଏନେଇ ସେ ନିଜର କିଛି ବରିଷ୍ଠ ନେତାଙ୍କ ସହିତ କୋଟିଆର ବିଭିନ୍ନ ପଞ୍ଚାୟତରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି।

ଆନ୍ଧ୍ର ନେତା ବାବଜୀ ତାଙ୍କ ଦଳର ବରିଷ୍ଠ ନେତାଙ୍କ ସହ ଓଡ଼ିଶା ଓ ଆନ୍ଧ୍ର ସୀମାରେ ଥିବା କୋଟିଆ ପଞ୍ଚାୟତର କୁମ୍ବିମଡା, ପାନୁକୁବାଲାସା, ଧୂଳିପଦର, ଉପର ସେମ୍ବି, ନେରେଡିବାଲାସା ପ୍ରଭୃତି ଗ୍ରାମ ପରିଦର୍ଶନ କରି ଆଦିବାସୀମାନଙ୍କ ସହ କଥାବାର୍ତ୍ତା କରିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡିକର କାର୍ଯ୍ୟକାରିତା ସହ ଜଡିତ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବିବାଦୀୟ ଗ୍ରାମଗୁଡିକର ବହୁମୂଲ୍ୟ ଖଣିଜ ସମ୍ପଦକୁ ନିଜ ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ଓଡ଼ିଶା ସରକାର ଓ କର୍ତ୍ତୃପକ୍ଷ ଭଲ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟର ସମସ୍ତ ରାଜନୈତିକ ଦଳ ସମାନ ପ୍ଲାଟଫର୍ମରେ ଆସି କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରୁଛନ୍ତି। ଏହି ଏକତା ଯୋଗୁଁ କେନ୍ଦ୍ର ସରକାର କୋଟିଆକୁ ଡାକଘରକୁ ଓଡ଼ିଶାର ପିନକୋଡ 764039 ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଓଡ଼ିଶାର ସ୍ବେଚ୍ଛାସେବୀ ଓ ନେତାମାନେ ସୁପ୍ରିମକୋର୍ଟରେ କୋଟିଆକୁ ଓଡ଼ିଶାର ବୋଲି ପ୍ରମାଣ କରିବା ପାଇଁ ଏହାକୁ ଏକ ଦଲିଲ ଭାବରେ ବ୍ୟବହାର କରିବେ । କୋରାପୁଟ ଜିଲ୍ଲା କଲେକ୍ଟର ଅବଦଲ ଅଖତର, ଏସପି ଅବିନାଶ ସୋନାକରଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଫିସର କୋଟିଆ ପଞ୍ଚାୟତର ଗ୍ରାମଗୁଡିକୁ ଗସ୍ତ କରି ଆଦିବାସୀମାନଙ୍କୁ ବିଭ୍ରାନ୍ତ କରିଛନ୍ତି । ସେମାନେ ଆନ୍ଧ୍ରପ୍ରଦେଶର ରାଜ୍ୟ ଅଧିକାରୀଙ୍କ ସହ ସମ୍ପର୍କ ନକରି ବିକାଶ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଏବଂ ସେମାନେ ଆନ୍ଧ୍ର ପ୍ରଦେଶ ରାଜ୍ୟରେ ଚାଲିଥିବା ରାଜନୈତିକ ମତଭେଦକୁ ସେମାନଙ୍କ ସପକ୍ଷରେ ଭଲ ଉପଯୋଗ କରୁଛନ୍ତି ବୋଲି ଆନ୍ଧ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଏହା ବି ପଢନ୍ତୁ- ଓଡ଼ିଶା ସ୍ବାସ୍ଥ୍ୟବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ୩୩୦ କୋଟି, ନିଯୁକ୍ତି ପାଇବେ ଡାକ୍ତର ଓ ପାରାମେଡିକ

ଆଦିବାସୀଙ୍କ ଅଭିଯୋଗକୁ ଆନ୍ଧ୍ର ସରକାର ବୁଝିବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ବାରା କୋଟିଆ ପଞ୍ଚାୟତର ବିଭିନ୍ନ ଅପହଞ୍ଚ ଗ୍ରାମକୁ ରାସ୍ତା ପହଞ୍ଚାଇବା ସହ ଜଳ ଓ ବିଦ୍ୟୁତ ଯୋଗାଣ କରାଇବାର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇଥିବା ବେଳେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇବାର ପ୍ରଚେଷ୍ଟା କରାଯାଇଛି । କୋଟିଆ ସମେତ ବିଭିନ୍ନ ଗ୍ରାମରେ ବିଦ୍ୟାଳୟ ଗୃହ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି । ଓଡ଼ିଶା ପକ୍ଷରୁ ସ୍ବାଧୀନତା ପୂର୍ବବର୍ତ୍ତୀ ମାନଚିତ୍ର, ବହୁ ଗୁରୁତ୍ବପୂର୍ଣ୍ଣ ଦଲିଲକୁ ଦାଖଲ କରିବା ସହ କୋଟିଆରେ ପଞ୍ଚାୟତ ନିର୍ବାଚନର ସଫଳତାକୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟରେ କୋଟିଆକୁ ଓଡିଶାର ଏକ ଅଭିନ୍ନ ଅଙ୍ଗ ବୋଲି ପ୍ରମାଣ କରିବା ଦିଗରେ ବଳିଷ୍ଠ ଉପସ୍ଥାପନା କରାଯିବା ଦ୍ବାରା ଆନ୍ଧ୍ରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା ମଧ୍ୟ ବ୍ୟତିବ୍ୟସ୍ତ ହୋଇଛନ୍ତି।

ଏଥିଲାଗି ସେ ବାରମ୍ବାର ଏହି ଅଞ୍ଚଳକୁ ଗସ୍ତ କରି କୋଟିଆବାସୀଙ୍କୁ ଆନ୍ଧ୍ରପ୍ରଦେଶ ଆଡ଼କୁ ଆକର୍ଷିତ କରାଇବା ପାଇଁ ପ୍ରଚେଷ୍ଟା କରିଛନ୍ତି । ତେବେ ଶନିବାର ଦିନ ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ (ଇପିଏ)ର ବରିଷ୍ଠ କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ବଜିତ ମହାନ୍ତିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଳାପାଳ ସଞ୍ଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ବତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫାର ଉନ୍ମୋଚନ କରି ସେହି ପୋଷ୍ଟ ଅଫିସରୁ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରିଥିଲେ । କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋଡ 764039 ଓଡିଶା ପୋଷ୍ଟାଲ ଡିଭିଜନ ଅଧିକୃତ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି ବୋଲି ଧୀର ମତବ୍ୟକ୍ତ କରିଥିଲେ ।

ତେବେ ଏହି ପିନକୋଡ କୋଟିଆ ଓଡ଼ିଶାର ବୋଲି ପ୍ରମାଣିତ କରିବ। ଏହି ଖବର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଗଣମାଧ୍ୟମରେ ପ୍ରଚାର ହେବା ପରେ ଆଜି ଅଚାନକ ବାବଜୀ ନିଜ ଦଳର ବରିଷ୍ଠ ନେତା ସୂର୍ଯ୍ୟ, ଚନ୍ଦ୍ରଶେଖର, ପ୍ରକାଶ ଏବଂ ଅନ୍ୟମାନଙ୍କ ସହ ଏହି ଅଞ୍ଚଳ ଗସ୍ତ କରିବା ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ଵନ୍ଦ୍ବକୁ ପଦାରେ ପକାଇଛି । କୋଟିଆ ପ୍ସଞ୍ଚାୟତ ଗସ୍ତ କରି ବାବଜୀ ଆନ୍ଧ୍ର ସରକାର କୋଟିଆ ସଂଗ୍ରାମରେ ପଛରେ ପଡିଯିବା ଅଭିଯୋଗ କରିଛନ୍ତି। କୋଟିଆରେ ଓଡ଼ିଶାର ପିନକୋଡକୁ ନେଇ ନେଇ ଆନ୍ଧ୍ରରେ କେତେ ପରିମାଣର ଅବଶୋଷ ସୃଷ୍ଟି କରିଛି ତାହା ସହଜରେ ଅନୁମାନ କରିହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି ।

ଇଟିଭି ଭାରତ, କୋରାପୁଟ

Last Updated :May 29, 2023, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.