ଭୁବନେଶ୍ବର:ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ଦୀର୍ଘ ଦିନ ଧରି ଚୁପ ଥିବା ରାଜ୍ୟ ସରକାର ଆଜି ହଠାତ ଶ୍ରୀମନ୍ଦିର ନେଇ ସକ୍ରିୟ ହେବାରେ ନିର୍ବାଚନୀର ଗନ୍ଧ ବାରିଛି କଂଗ୍ରେସ । ନିର୍ବାଚନ ଥିବାରୁ ଖୁବଶୀଘ୍ର ଆଚରଣ ବିଧି ଲାଗୁ ହେବ, କମିଟି କଣ କରିବ ସେ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କେବଳ ନିର୍ବାଚନୀ ବୈତରଣୀ ପାର ପାଇଁ ରତ୍ନଭଣ୍ଡାର କମିଟି ଗଠନ ହୋଇଥିବା କହିଛି କଂଗ୍ରେସ ।
ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, " କଂଗ୍ରେସ ଦଳ ସବୁବେଳେ ରତ୍ନଭଣ୍ଡାର ଖୋଲିବା, ରତ୍ନାଲଙ୍କର ଗଣତି ମଣତି କରାଯାଉ । ହେଲେ ବିଜେଡି ସରକାର କଥା ଶୁଣିଲା ନାହିଁ । ଯେତେବେଳେ ଜନ ଅସନ୍ତୋଷ ବ୍ୟାପିଲା, ଲୋକଙ୍କ ସନ୍ଦେହ ବଢ଼ିଲା କାହିଁକି ରତ୍ନ ଭଣ୍ଡାର ଖୋଲାଯାଉ ନାହିଁ । ସେତେବେଳେ ଚୁପ ଥିଲେ, ଏବେ ନିର୍ବାଚନ ଆସିଲା, ସେଥିପାଇଁ ଆଜି ମନେ ପଡିଲା । ଆଗକୁ ନିର୍ବାଚନ ଅଛି କେବଳ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ରତ୍ନଭଣ୍ଡାର କମିଟି ଗଠନ ଏକ ପ୍ଲାନ । ଜଗନ୍ନାଥଙ୍କୁ ଧରି ବୁଲୁଛନ୍ତି । କଂଗ୍ରେସ ରତ୍ନଭଣ୍ଡାର ଖୋଲିବା, ଚାରି ଦ୍ୱାର ଖୋଲିବା ନେଇ କେତେ ଦାବି କରିଛି ହେଲେ ଶୁଣିଲେ ନାହିଁ, ଆଜି ମନେ ପଡ଼ିଲା ଜଗନ୍ନାଥଙ୍କ କଥା । ଓଡିଶାବାସୀ ସବୁ ଦେଖୁଛନ୍ତି । ଏହାର ଜବାବ ଦେବେ ।"
ଏହା ବି ପଢନ୍ତୁ- ରତ୍ନଭଣ୍ଡାର ଅଳଙ୍କାର ତଦାରଖ ପାଇଁ କମିଟି ଗଠିତ; ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷ