ବେଦାନ୍ତ ଗେଟ୍ ସାମ୍ନାରେ ବଂଜାରୀ ଗ୍ରାମବାସୀଙ୍କ ଧାରଣା

By

Published : Jun 30, 2023, 2:47 PM IST

thumbnail

ଝାରସୁଗୁଡା: ବେଦାନ୍ତ କମ୍ପାନୀ ବିରୋଧରେ ଗ୍ରାମବାସୀଙ୍କ ଆନ୍ଦୋଳନ  । ଝାରସୁଗୁଡା ସ୍ଥିତ ବେଦାନ୍ତ କମ୍ପାନୀ ଗେଟ୍ ସମ୍ମୁଖରେ ଧାରଣା ଦେଲେ ବଂଜାରୀ ଗ୍ରାମବାସୀ  । ବେଦାନ୍ତ ସେମାନଙ୍କ ଜମିକୁ ଅକ୍ତିଆର କରିନେଇଥିବା ଅଭିଯୋଗ କରି ଏହି ଧାରଣା ପ୍ରଦର୍ଶନ କରିଛନ୍ତି  । ଯାହା ସୂଚନା ମିଳିଛି, ବଂଜାରୀ ଗ୍ରାମର ଭାସ୍କର ସାହୁଙ୍କ ଭାଇମାନଙ୍କ ପ୍ରାୟ ଅଢେଇ ଏକର ଜମିକୁ ବେଦାନ୍ତ ନିଜ ଅକ୍ତିଆରରେ ନେବା ପାଇଁ ଚେଷ୍ଟା କରୁଥିବା ତାଙ୍କର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି  । ସେମାନେ ଉକ୍ତ ଜମିରେ ବର୍ଷ ବର୍ଷ ଧରି ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ପରେ ଏହି ଜମିକୁ ନେଇ ପାରିବାରିକ ବିବାଦ ପରେ ଝାରସୁଗୁଡା ସିଭିଲ କୋର୍ଟରେ କେସ ନଂ ୧୦୦/୨୦୧୨ ମାମଲା ଚାଲିଛି  । ଏହାରି ମଧ୍ୟରେ ବେଦାନ୍ତ ଉକ୍ତ ଜମିକୁ କୌଶଳ କରି ଦଲାଲମାନଙ୍କ ଜରିଆରେ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  ।  

ସେହିପରି ବଂଜାରୀ ଗ୍ରାମର ୟୁନିଟ ନଂ-୫, ଖାତା ନଂ-୪୬୦ରେ ଥିବା ପ୍ଲଟ ନଂ- ୬୨୪୫ ର ୦.୪୦ ଡିସିମିଲ ଜମି, ପ୍ଲଟ ନଂ-୬୨୪୬ର ୦.୩୬ ଡିସିମିଲ ଏବଂ ୟୁନିଟ ନଂ-୬୨୪୮ର ୧ ଏକର ୭୬ ଡିସିମିଲ ଜମିରେ ଗ୍ରାମବାସୀ ଚାଷ କରୁଛନ୍ତି । ଏହି ଜମିକୁ ବେଦାନ୍ତ କମ୍ପାନୀ ଦଲାଲମାନଙ୍କ ସାହାଯ୍ୟରେ ଅକ୍ତିଆର କରିବାକୁ ଚେଷ୍ଟା କରୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପୂର୍ବରୁ ମଧ୍ୟ ବେଦାନ୍ତ କମ୍ପାନୀ ଏହିପରି ଭାବେ ଗ୍ରାମର ଅନେକ ଲୋକଙ୍କ ଜମି ଦଖଲ କରିଛି  । କମ୍ପାନୀ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଜମି ଅଧିଗ୍ରହଣ କରିବା ପରେ ସେସବୁ ପ୍ରତିଶ୍ରୁତି ପୂରଣ କରୁନାହିଁ  । ତେଣୁ ଗ୍ରାମବାସୀ ମିଶି ଗୁରୁବାର ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରି ୨ ନଂ ଗେଟ୍ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ଯଦି କମ୍ପାନୀ ଏହା ପ୍ରତି ଧ୍ୟାନ ନଦିଏ ତେବେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦିଆଯାଇଛି ।

ଇଟିବି ଭାରତ, ଝାରସୁଗୁଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.