ପୋକ କରୁଥିଲେ ସବୁ ସର୍ବନାଶ, ମଶାରୀ ଭିତରେ ହେଉଛି ଚାଷ

By ETV Bharat Odisha Team

Published : Jan 3, 2024, 11:02 PM IST

thumbnail

Vegetable Cultivation Under Net: ବାଲେଶ୍ୱର: ପୋକ ଦାଉରୁ ଚାଷକୁ ସୁରକ୍ଷିତ ରଖିବା ପାଇଁ ବୁଦ୍ଧିକୁ ନିଜ କାମରେ ପ୍ରୟୋଗ କରି ସଫଳତା ସାଉଁଟିଛନ୍ତି ଜଣେ ଚାଷୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ମାଣତ୍ରୀ ପଞ୍ଚାୟତ ଗୋପାଳପୁର ଗାଁର ଯୁବଚାଷୀ ଭାଗୀରଥି ବାରିକ । କୃଷି କାର୍ଯ୍ୟ ପାଇଁ ଯେଉଁ ନିଆରା କୌଶଳଟି ଆପଣେଇଛନ୍ତି ,ସେଥିରେ ସେମିତି କିଛି ଉନ୍ନତ କୃଷି ଜ୍ଞାନକୌଶଳ ଉପଯୋଗ ହୋଇନାହିଁ । ବରଂ ଅନ୍ୟମାନଙ୍କ ପାଇଁ ତାହା ମାମୁଲି ହୋଇପାରେ କିନ୍ତୁ ଭାଗୀରଥିଙ୍କ ପାଇଁ ବହୁତ ଗୁରୁତ୍ବ ବହନ କରିଛି । ଯାହାକୁ ନେଇ ଏବେ ସେ ନିଜ ଅଞ୍ଚଳରେ ଚର୍ଚ୍ଚାରେ । 

ନିଜ ଜମିରେ ସୁନା ଫଳାଉଛନ୍ତି ଭାଗୀରଥି । ବର୍ଷ ତମାମ ସେଠାରେ ପରିବା ଚାଷ କରୁଛନ୍ତି । ବାଇଗଣ, ପୋଟଳ, କୋବି, ବିଲାତି, ଆଖୁ ଆଦି ଚାଷ ସାଙ୍ଗକୁ ଉନ୍ନତମାନର ଫୁଲ ଓ ପରିବା ଚାରା ମଧ୍ୟ ବିକ୍ରି କରୁଛନ୍ତି ।ଗ୍ରାହକମାନଙ୍କୁ ତଟକା ପରିବା ଭେଟି ଦେବା ପାଇଁ ଜୈବିକ କୃଷି ପଦ୍ଧତିକୁ ଅନୁସରଣ କରୁଛନ୍ତି । କୌତୁହଳର ବିଷୟ ହେଉଛି, ରୋଗପୋକ ଦାଉରୁ ସୁରକ୍ଷା ନିମନ୍ତେ ଭାଗୀରଥି ନିଜ ଚାଷ ଜମିକୁ ପୂରା ମଶାରି ଜାଲି ଦ୍ଵାରା ଆଚ୍ଛାଦିତ କରିଛନ୍ତି । 

ତେବେ ଗଛରେ ରୋଗପୋକ ଲାଗିବା ତ ଦୂର କଥା, ମଶାମାଛି ବି ସେଠିକୁ ଯାଇ ପାରୁନାହାନ୍ତି । ୫୦ଡ଼ିସିମିଲ ଜମିରୁ ୧୦ଘୁଣ୍ଟ ଜମିରେ ମଶାରୀ ଜାଲ ଘେରି ୮୦୦ ବାଇଗଣ ଗଛ ଲଗାଇଛନ୍ତି । ମଶାରି ଜାଲି ଲଗାଇବା ଦ୍ଵାରା ରୋଗପୋକକୁ ଭୟ ନାହିଁ । ଏହି ଫସଲ ବାବଦରେ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଛି ପ୍ରାୟ ୧୮ ହଜାର ଟଙ୍କା । ଖର୍ଚ୍ଚକୁ ଛାଡ଼ିଦେଲେ ଚାଷରୁ ବାର୍ଷିକ ପ୍ରାୟ ୧ଲକ୍ଷ ଟଙ୍କା ଯାଏ ଆୟ କରି ପାରୁଛନ୍ତି ସେ । 

ଏହା ମଧ୍ୟ ପଢନ୍ତୁ .....ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଚାଷ ନିଶା, 10ଜଣଙ୍କୁ ଦେଇଛନ୍ତି ରୋଜଗାର

ସେ ପିଲାଦିନେ ବାପା ହୃଷୀକେଶ ପାଖରୁ ଚାଷ କାର୍ଯ୍ୟ ଶିଖିଥିଲେ । ପରବର୍ତ୍ତୀ ସମୟରେ ପାରମ୍ପରିକ ଧାନଚାଷ ସହିତ ପରିବା ଓ ଆଖୁଚାଷ କରିଥିଲେ । ଏହି କାମରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି । ଏଥର ବିନା କୀଟନାଶକରେ ବାଇଗଣ ଚାଷ କରିଥିବା ସ୍ଥାନକୁ ଜାଲି ଘୋଡାଇଛନ୍ତି । ଦିନ ସମୟରେ ମଶାରି ଜାଲି ଉପରେ ସିଧସାଳଖ ସୂର୍ଯ୍ୟକିରଣ ପଡ଼ୁଛି । ବିଲରେ କୋଡାଖୁସା ସହିତ ଖତ ଓ ପାଣି ଦେଲେ କାମ ଶେଷ । ଏଭଳି ଢଙ୍ଗରେ ଚାଷ କରି ଭାଗୀରଥି ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସିତ ହୋଇଛନ୍ତି  ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.