ଦେବଗଡ଼ରେ ଡବଲ ଇଞ୍ଜିନ ସରକାର ଗଢିବାକୁ ହେମାମାଳିନୀଙ୍କ ଆହ୍ୱାନ - Hema malini Campaigns in Deogarh

By ETV Bharat Odisha Team

Published : May 19, 2024, 8:37 AM IST

Updated : May 19, 2024, 2:02 PM IST

thumbnail
Hema Malini (ETV Bharat Odisha)

Hema Malini Campaigns in Deogarh: ଦେବଗଡ: ବିଜେପି ପ୍ରଚାର ମଇଦାନରେ ଅଭିନେତ୍ରୀ ହେମାମାଳିନୀ । ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଦେବଗଡ଼ ଆସିଲେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ । ଦେବଗଡ଼ ବିଧାନସଭା ଓ ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେଇ ଜିଲ୍ଲାରେ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଏବଂ ରାଜ୍ୟ ଓ କେନ୍ଦ୍ରରେ ବିଜେପିକୁ କ୍ଷମତାସୀନ କରାଇବାକୁ ଲୋକଙ୍କୁ କଲେ ନିବେଦନ । ଶନିବାର ଦିନ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଡଅଁରା ହାଇସ୍କୁଲ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଅଭିନେତ୍ରୀ ହେମାମାଳିନୀ । ପୂର୍ବାହ୍ନ 12ଟା ସମୟରେ ଏକ ହେଲିକେପ୍ଟର ଯୋଗେ ହେମାମାଳିନୀ ଡଅଁରା ହାଇସ୍କୁଲ ପଡ଼ିଆରେ ଅବତରଣ କରିବା ପରେ ତାଙ୍କୁ ବିଜେପିର ନେତୃବୃନ୍ଦ ସ୍ୱାଗତ କରି ସଭାମଞ୍ଚକୁ ପାଛୋଟି ନେଇଥିଲେ । ସଭାସ୍ଥଳରେ ପହଞ୍ଚିବା ପରେ ସେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଉଦବୋଧନ ଦେଇଥିଲେ । 

ସେ କହିଥିଲେ ଯେ , ରାଜ୍ୟରେ ଦୀର୍ଘ 25 ବର୍ଷ ଧରି ବିଜେଡି ସରକାର କ୍ଷମତାରେ ରହିଥିଲେ ସୁଦ୍ଧା କୌଣସି ବିକାଶମୂଳକ କାର୍ଯ୍ୟ କରି ପାରିନାହିଁ । ତେଣୁ ଚଳିତ ନିର୍ବାଚନରେ ଲୋକେ ଏହି ସରକାରକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଦେବଗଡ଼ ବିଧାନସଭା ବିଜେପି ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବହୁ ଭୋଟରେ ଜିତାନ୍ତୁ । ଏଥିସହିତ ମୋଦିଙ୍କ ଉଜ୍ଜ୍ଵଳା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରାଇବା ପାଇଁ ଲୋକେ ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ଭୋଟରେ ନିର୍ବାଚିତ କରିବାକୁ ନିବେଦନ କରିଥିଲେ ।

ଏହାମଧ୍ୟ ପଢନ୍ତୁ... ପ୍ରଚାର ଅଧାରୁ ଛାଡି ଚାଲିଗଲେ ଅଭିନେତ୍ରୀ ହେମାମାଳିନୀ, ଜାଣନ୍ତୁ କାରଣ - HEMAMALINI ILL

 
ଏହି ବିଜୟ ସଂକଳ୍ପ ସମାବେଶରେ ଦେବଗଡ଼ ବିଧାନସଭା ବିଜେପି ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ରାଜ୍ୟ ବିଜେପି ସମ୍ପାଦକ ପିଙ୍କି ପ୍ରଧାନ, ବିକାଶ ଫାଉଣ୍ଡେସନ ଅଧ୍ୟକ୍ଷା ତଥା ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୁରଙ୍କ ସମେତ ବହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । 

ଇଟିଭି ଭାରତ, ଦେବଗଡ଼

Last Updated : May 19, 2024, 2:02 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.