ବାପୁଙ୍କ ସ୍ମୃତିକୁ ସତେଜ ରଖିଛି ପ୍ରଦେଶ ସେବା ସଂଗଠନ, ଗାନ୍ଧୀ ଜୟନ୍ତୀରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

By ETV Bharat Odisha Team

Published : Oct 2, 2023, 9:08 PM IST

thumbnail

ଭଦ୍ରକ: ଆଜି ଦେଶ ପାଳନ କରୁଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀ । ସ୍ବାଧୀନତା ପାଇଁ ଇଂରେଜ ସରକାର ବିରୋଧରେ ଲଢ଼ୁଥିବାବେଳେ ଗାନ୍ଧୀ ଆସିଥିଲେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ପୀରହାଟ ଅଞ୍ଚଳକୁ । ପୀରହାଟ ବଜାର ଦେଇ ଚାରିବାଟିଆ ମନ୍ତେଇ ନଈ କୂଳରେ ଇଂରେଜ ବିରୋଧୀ ସଭା କରିଥିଲେ ମହାତ୍ମା ଗାନ୍ଧୀ । ସେହି ସ୍ମୃତିକୁ ସର୍ବଦା ମନେ ରଖିବା ଲକ୍ଷ୍ୟ ନେଇ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଚାରିବାଟିଆ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ପୀରହାଟ ପୁରୁଣା ବଜାରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ବାପୁଜୀଙ୍କ ପ୍ରିୟ ରାମ ଧୂନ୍‌ର ତାଳେ ତାଳେ ଶୋଭାଯାତ୍ରା ବୁଲିଥିଲା । ଏହି ଶୋଭାଯାତ୍ରା ସମୟରେ ପ୍ରାୟ ୫୦୦ ଫୁଟ ଲମ୍ବର ଏକ ତ୍ରିରଙ୍ଗା ପତାକା ଧରି ସଂଗଠନର ସଦସ୍ୟମାନେ ରାଜ୍ୟ ରାଜପଥରେ ପୀରହାଟରୁ କୋହ୍ଲ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଯାତ୍ରା ସମୟକୁ ବିଭିନ୍ନ ଛକ ବଜାରରେ ମିଳିଥିଲା ଭବ୍ୟ ସମ୍ବର୍ଦ୍ଧନା । କିଏ ଜାତୀୟ ପତାକାକୁ ସଲାମ କରୁଥିଲା ତ ଆଉ କିଏ ପୁଷ୍ପମାଲ୍ୟାର୍ପଣ କରି ଜାତିର ଜନକଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଥିଲା । ଏହି ପଦଯାତ୍ରାରେ ସଂଗଠନର ସଭ୍ୟମାନଙ୍କ ସହିତ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଗାନ୍ଧୀ ମାର୍ଗକୁ ନବୀକରଣ, ଆଲୋକୀକରଣ, ସାହାପୁର ଛକଠାରେ ଏକ ଶୌଚାଳୟ ନିର୍ମାଣ କରିବା ଏବଂ ମନ୍ତେଇ ନଈରେ ଏକ ସେତୁ ନିର୍ମାଣ କରିବା ନେଇ ଏକ ଦାବିପତ୍ର ରାଜ୍ୟପାଳଙ୍କ ନିକଟକୁ ପ୍ରେରଣ କରାଯାଇଥିବା ସଂଗଠନ ପକ୍ଷରୁ ସୂଚନା ମିଳିଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.