ପୀଠରେ ଆଜି ନବମୀ, ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By ETV Bharat Odisha Team

Published : Oct 22, 2023, 8:41 PM IST

thumbnail

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଶରତକାଳୀନ ଷୋହଳ ଦିନାତ୍ମକ ବେଶରେ ଦର୍ଶନ ଦେଉଛନ୍ତି ମା' ଦଶଭୂଜା । ଆଜି ପୀଠରେ ନବମୀ ପୂଜା ଅନୁଷ୍ଠିତ ହୋଇଛି । ତେବେ କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପହଡ଼ ଫିଟିବା ମାତ୍ରେ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇ ପଡ଼ିଥିଲେ । ତେବେ ମା' କଟକ ଚଣ୍ଡୀଙ୍କ ପୀଠରେ ଆଜି ଭକ୍ତମାଙ୍କର ଖଚାଖଚ ଭିଡ଼ ହୋଇଥିଲା । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା'ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇଛନ୍ତି । ତେବେ କଟକର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ଚାଲିଛି।  

ଏହା ବି ପଢନ୍ତୁ- ମହାକାଳୀ ବେଶରେ ଦର୍ଶନ ଦେଲେ ମା’ କଟକ ଚଣ୍ଡୀ

ଧୂପ ଦୀପ ଆଳତିରେ ପ୍ରକମ୍ପିତ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ମନ୍ଦିର । ମନ୍ଦିର ପରିସରରେ ଲାଗିଛି ଭକ୍ତଙ୍କ ଭିଡ଼ । ନବରାତ୍ର ପୂଜା ଚାଲୁଥିବାରୁ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କୁ ଏକ ଭିନ୍ନ ବେଶରେ ଦେଖିବାକୁ ପାଉଛନ୍ତି ଭକ୍ତ । ତେବେ ଦୁର୍ଗାପୂଜା ଅବସରରେ ମା' ଚଣ୍ଡୀଙ୍କ ନିକଟରେ ନବରାତ୍ର ପୂଜା ଚାଲିଛି । ଘଣ୍ଟ ଘଣ୍ଟିର ନାଦରେ କମ୍ପୁଛି ମନ୍ଦିର ପରିସର । ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ମା'ଙ୍କ ଦର୍ଶନ କରିଛନ୍ତି । ଏହାସହିତ ଷୋଡଶ ଉପଚାରରେ ଏହି ମହାଲକ୍ଷ୍ମୀ ବେଶକୁ ଦେଖିବା ପାଇଁ ମନ୍ଦିର ପରିସରରେ ପ୍ରବଳ ଭିଡ଼ ଜମିଥିଲା । ଏହି ପବିତ୍ର ବେଶ ସମୂହ ମୂଳା ଅଷ୍ଟମୀଠାରୁ ଆରମ୍ଭ ହୋଇ ମା'ଙ୍କ ବିସର୍ଜନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଏ । ଶେଷ ଦିନରେ ମା' ମହିଂସା ମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ମହିଂସାଷୁରକୁ ବଦ୍ଧ କରିଥାନ୍ତି ବୋଲି ଲୋକଙ୍କ ମନରେ ବିଶ୍ବାସ ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.