ଶେଷ ହେଲା ମିଳିତ ସମରଭ୍ୟାସ ସାଗର କବଚ-୨

By ETV Bharat Odisha Team

Published : Sep 23, 2023, 11:04 AM IST

thumbnail

ପାରାଦ୍ବୀପ: ପାରାଦ୍ୱୀପ ସମୁଦ୍ର ମଧ୍ୟରେ ଆରମ୍ଭ ହୋଇଥିବା ମିଳିତ ସମରଭ୍ୟାସ ସାଗର କବଚ-୨ ଶୁକ୍ରବାର ଶେଷ ହୋଇଛି । ଏହି ସମରଭ୍ୟାସ ପାରାଦ୍ବୀପ ସମୁଦ୍ର ଗର୍ଭରେ ଦୁଇ ଦିନ ଧରି ଚାଲିଥିଲା । ଏଥିରେ ମେରାଇନ ପୋଲିସ, ତଟରକ୍ଷୀ ବାହିନୀ, ନାଭାଲ, ବନ ବିଭାଗ, ମତ୍ସ୍ୟ ବିଭାଗ, ଓ ଗୁଇନ୍ଦା ବିଭାଗ ଭାଗ ନେଇଥିଲେ । ସମୁଦ୍ର ମଧ୍ୟ ଦେଇ ଅନୁପ୍ରବେଶ କରିଥିବା ଶତ୍ରୁକୁ କିଭଳି ପ୍ରତିହତ କରାଯାଇ ପାରିବ ତାକୁ ନେଇ ସମରଭ୍ୟାସ କରାଯାଇଥିଲା । ଏଥିପାଇଁ ଦୁଇଟି ଟିମ ଗଠନ କରାଯାଇଥିଲା । ବ୍ଲୁ ଟିମ୍ ଜଳସୀମାକୁ ସୁରକ୍ଷା ଦେଉଥିବା ବେଳେ ରେଡ଼ ଟିମ୍ ଜଳସୀମାକୁ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଫଳରେ ସମୁଦ୍ର ମଝିରେ ଉଭୟଙ୍କ ମଧ୍ୟରେ ଗୁଳିଗୋଳା ବର୍ଷଣ ସହିତ ଅନୁପ୍ରବେଶ ରୋକିବାରେ ବ୍ଲୁ ଟିମ ସଫଳ ହୋଇଥିଲା । 

ଏହାମଧ୍ୟ ପଢନ୍ତୁ: Watch: ଭାରତ-ପାକ୍ ସୀମାରେ ଭାରତୀୟ ସେନାର ଯୁଦ୍ଧାଭ୍ୟାସ, ଆଚମ୍ବିତ କଲା ସେନାର ଶୌର୍ଯ୍ୟ ପ୍ରଦର୍ଶନ

ତଟରକ୍ଷୀ ବାହିନୀ ପକ୍ଷରୁ ମଧ୍ୟ ହେଲିକପ୍ଟର ଯୋଗେ କିଭଳି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ପାରିବ ସେନେଇ କୌଶଳ ପ୍ରଦର୍ଶନ କରାଯାଇଥିଲା । ଉଡନ୍ତା ହେଲିକପ୍ଟରରୁ ଦଉଡି ମାଧ୍ୟମରେ ଯବାନମାନେ ଚଳନ୍ତା ବୋଟକୁ ଓହ୍ଲାଇ ରେଡ଼ ଟିମକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏହି ସମରଭ୍ୟାସରେ ପଶ୍ଚିମବଙ୍ଗ ମଧ୍ୟ ସାମିଲ ହୋଇଥିଲା । ସମ୍ପ୍ରତି ପୂର୍ବ ସମୁଦ୍ର ତଟ ଜଳସୀମା ପାର ହୋଇ ବାଂଲାଦେଶ ଅନୁପ୍ରବେଶକାରୀ ବାରମ୍ବାର ଭାରତ ମଧ୍ୟକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଆସୁଛି । ଜଳପଥ ଦେଇ ଅନୁପ୍ରବେଶ ପାଇଁ ସେମାନେ ବିଶେଷ ଭାବରେ ଓଡ଼ିଶାର ପାରାଦ୍ୱୀପକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି । ଅନୁପ୍ରବେଶ ବଢୁଥିବାରୁ ତଟରକ୍ଷୀ ବାହିନୀ ଏହା ଉପରେ ସତର୍କ ଦୃଷ୍ଟି ରଖିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.