ETV Bharat / sukhibhava

Jan Aushadhi Diwas: ନିଃସନ୍ଦେହରେ ଜେନେରିକ୍ ମେଡିସନ୍ ସେବନ କରନ୍ତୁ, ସୁସ୍ଥ ରୁହନ୍ତୁ

author img

By

Published : Mar 7, 2023, 10:27 AM IST

Updated : Mar 7, 2023, 10:52 AM IST

ସହଜରେ ଏବଂ ସୁଲଭ ମୂଲ୍ୟରେ ଲୋକେ କିପରି ଔଷଧ ପାଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜନ ଔଷଧି ଯୋଜନା । ମାତ୍ର ଆଜି ବି ଅଧିକାଂଶ ଲୋକେ ଏଥିପ୍ରତି ଅବଗତ ନାହାନ୍ତି । ଏଥିପାଇଁ ଜେନେରିକ୍ ମେଡିସିନ୍ ଦିବସ ପାଳନର ଆବଶ୍ଯକତା ପଡିଛି । ଅଧିକ ପଢନ୍ତୁ

Jan Aushadhi
Jan Aushadhi

ହାଇଦ୍ରାବାଦ: ଆଜି ଜନ ଔଷଧି ଦିବସ । ଦେଶରେ ଜନୌଷଧି ବା ଜେନେରିକ୍ ମେଡିସିନ୍‌ର ବ୍ୟବହାର ବୃଦ୍ଧି ଏବଂ ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚର ପ୍ରଥମ ସପ୍ତାହକୁ ଜନ ଔଷଧି ସପ୍ତାହ ରୂପେ ପାଳନ କରାଯାଉ ଥିବାବେଳେ ମାର୍ଚ୍ଚ 7କୁ ଜନ ଔଷଧି ଦିବସ ଭାବେ ପାଳନ କରାଯାଏ । ତେବେ ଜେନେରିକ୍ ମେଡିସନ୍ କଣ ଏବଂ ଏହାର ବ୍ୟବହାର କାହିଁକି ଆବଶ୍ୟକ, ଜାଣନ୍ତୁ...

ରୋଗ ଧନୀ-ଗରିବ ଦେଖେନି । ଆମ ସମାଜରେ ଅନେକ ବ୍ୟକ୍ତି ବିଭିନ୍ନ ଜଟିଳ ରୋଗର ଶିକାର ହୁଅନ୍ତି । କିନ୍ତୁ ରୋଗ ଉପଶମ ପାଇଁ ଔଷଧ କିଣିବା ବେଳେବେଳେ କଷ୍ଟକର ହୋଇପଡେ । ଆର୍ଥିକ ଅଭାବ ରୋଗର କଷ୍ଟକୁ ଦୁଇଗୁଣା କରିଦିଏ । କାରଣ ବଜାରରେ ଉପଲବ୍ଧ ଔଷଧ ଦର ଆକାଶ ଛୁଆଁ । ଡାକ୍ତର ବତାଇଥିବା ଔଷଧ ସେବନ କରିବା ସମସ୍ତଙ୍କ ପାଇଁ ସହଜ ହୋଇପାରେନି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ସ୍ବଳ୍ପ ମୂଲ୍ୟରେ କିପିର ଲୋକେ ଆବଶ୍ୟକୀୟ ଔଷଧ ପାଇପାରିବେ, ତା'ର ବ୍ୟବସ୍ତା କରିଛନ୍ତି ।

PMBJP
PMBJP

ଏଥିପାଇଁ ସ୍ଥାପନ ହୋଇଛି ଜନ ଔଷଧି କେନ୍ଦ୍ର, ଯେଉଁଠାରେ ସୁଲଭ ମୂଲ୍ୟରେ ମିଳେ ଆବଶ୍ୟକୀୟ ଔଷଧ । ମାତ୍ର ଏତେ ସବୁ ବ୍ୟବସ୍ତା ସତ୍ତ୍ବେ, ଲୋକଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରୁନାହିଁ । କାରଣ ଅଧିକାଂଶ ଲୋକେ ଜନଔଷଧିର ଉପାଦେୟତା ବାବଦରେ ଅବଗତ ନାହାନ୍ତି । ଏପରି ଏକ ସୁବିଧା ରହିଛି ବୋଲି ଅନେକ ଲୋକଙ୍କୁ ଜଣାନାହିଁ । ଏହାକୁ ଦୃଷ୍ଟିରେ ରଖି ପ୍ରକୃତ ହିତାଧିକାରୀ କିପରି ଏହି ସୁବିଧା ପାଇପାରିବ ସେଥିପାଇଁ ଜନ ଔଷଧି ଦିବସ ଆରମ୍ଭ କରାଯାଇଛି । ଏହି ଦିବସ ମାଧ୍ୟମରେ ଜନ ଔଷଧି କେନ୍ଦ୍ରରୁ ଔଷଧ କ୍ରୟ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଏ । କମ୍ ମୂଲ୍ୟରେ ମିଳୁଥିଲେ ମଧ୍ୟ ଏହି ଔଷଧ ଅନ୍ୟ ଦାମୀ ଔଷଧ ସହ ସମାନ ବୋଲି ଲୋକେ ଜାଣିବା ଆବଶ୍ୟକ, ତାହା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ଜେନେରିକ୍ ମେଡିସିନ୍ କ'ଣ ? : ଜେନେରିକ୍ ମେଡିସିନ୍‌ରେ କୌଣସି ବ୍ରାଣ୍ଡ୍ ନଥାଏ । ଏହି ଔଷଧର ମୂଲ୍ୟ ଅନ୍ୟ ବ୍ରାଣ୍ଡ୍ ଅପେକ୍ଷାକୃତ କମ୍ ହୋଇଥାଏ । କିନ୍ତୁ ଏଗୁଡ଼ିକ ନିରାପଦ, ପ୍ରଭାବଶାଳୀ ଏବଂ ଲାଭଦାୟକ । ସରଳ ଭାଷାରେ କହିବାକୁ ଗଲେ, ମହଙ୍ଗା ଔଷଧକୁ କମ୍ ମୂଲ୍ୟରେ ବିକ୍ରି ହେଉଥିବା ମେଡିସିନ୍‌କୁ ଜେନେରିକ୍ ମେଡିସିନ୍ କୁହାଯାଏ । ସାଧାରଣ ବର୍ଗର ଲୋକଙ୍କ ପାଇଁ ଏପରି ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି ।

ଇତିହାସ : ନଭେମ୍ବର 2008ରେ ରସାୟନ ଏବଂ ଉର୍ବରକ ମନ୍ତ୍ରାଳୟ, ଭାରତ ସରକାରଙ୍କ ଫାର୍ମାସ୍ୟୁଟିକାଲ ବିଭାଗ ଦ୍ବାରା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା(PMBJP) ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ଜନ ଔଷଧି କେନ୍ଦ୍ର ସ୍ଥାପନ କରାଯାଇଛି । ବାସ୍ତବରେ ଲୋକେ କିପରି ଏଥିପାଇଁ ଜାଗୃତ ରହିବେ, ସେଥିପାଇଁ ପ୍ରୟାସ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 7 ମାର୍ଚ୍ଚ 2019 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଔଷଧି ଦିବସ ପାଳନ କରିବାକୁ ଘୋଷଣା କରିଥିଲେ । ଲୋକଙ୍କ ନିକଟରେ କିପରି ଏହି ସୁବିଧା ପହଞ୍ଚିପାରିବ ସେହି ଉଦ୍ଦେଶ୍ୟରେ ଏକ ନିର୍ଦ୍ଦିଷ୍ଟ ଦିବସ ପାଳନର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ହୃଦୟଙ୍ଗମ କରିଥିଲେ ।

ଜେନେରିକ ଔଷଧର ସୁବିଧା : ବର୍ତ୍ତମାନ 9 ହଜାରରୁ ଅଧିକ ଜନଔଷଧି କେନ୍ଦ୍ରରେ 50% ରୁ 90% ଔଷଧ କମ୍ ମୂଲ୍ୟରେ ଉପଲବ୍ଧ ହେଉଛି । ଜେନେରିକ୍ ମେଡିସିନ୍ ଏବଂ ଜେନେରିକ୍ ମେଡିକାଲର ଉପଲବ୍ଧତା ବିଷୟରେ କହିବାକୁ ଗଲେ, 31 ଜାନୁଆରୀ 2023 ସୁଦ୍ଧା ଦେଶର ମୋଟ 766 ଜିଲ୍ଲା ମଧ୍ୟରୁ 743ଟି ଜିଲ୍ଲାରେ 9 ହଜାର 82ଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ସ୍ଥାପନ ହୋଇସାରିଛି । ଏଥିମଧ୍ୟରୁ 1,759ଟି କେନ୍ଦ୍ରରେ ମେଡିସିନ୍ ଏବଂ 280ଟି କେନ୍ଦ୍ରରେ ସର୍ଜିକାଲ୍ ଉପକରଣ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି । ପ୍ରୋଟିନ୍ ପାଉଡର, ମାଲ୍ଟ-ବେସ୍‌ଡ ଖାଦ୍ୟ ସପ୍ଲିମେଣ୍ଟ, ପ୍ରୋଟିନ୍ ବାର୍, ଇମ୍ୟୁନିଟି ବାର୍, ସାନିଟାଇଜର୍, ଅକ୍ସିମିଟର ଏବଂ ନ୍ୟୁଟ୍ରାସ୍ୟୁଟିକଲ୍ସ ପ୍ରଡକ୍ଟ ମଧ୍ୟ ଉପଲବ୍ଧ ହେଉଛି । ସବୁଠୁ ବଡ କଥା ହେଉଛି କି ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି 10 ହଜାର ଜନ ଔଷଧି କେନ୍ଦ୍ର ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ତେଣୁ ସଚେତନ ହୁଅନ୍ତୁ ଏବଂ ସ୍ବଳ୍ପ ମୂଲ୍ୟରେ ଜନ ଔଷଧିରୁ ମେଡିସିନ୍ ଗ୍ରହଣ କରି ସୁସ୍ଥ ରୁହନ୍ତୁ ।

Last Updated :Mar 7, 2023, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.