ETV Bharat / sukhibhava

ଅନୁସନ୍ଧାନ: ଗର୍ଭଧାରଣ ରୋକୁଥିବା ହର୍ମୋନାଲ୍ କଣ୍ଟ୍ରାସେପ୍ଟିଭ୍ ସ୍ତନ କର୍କଟ ସହ ଜଡିତ

author img

By

Published : Mar 24, 2023, 2:12 PM IST

breast cancer
breast cancer

ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ଗର୍ଭନିରୋଧକ ବଟିକା ସେବନ କରୁଥିଲେ ସାବଧାନ ହୋଇଯାଆନ୍ତୁ । ଅନୁସନ୍ଧାନ ଅନୁସାରେ, ହର୍ମୋନାଲ୍ କଣ୍ଟ୍ରାସେପ୍ଟିଭ୍ ସ୍ତନ କର୍କଟ ହେବାର ଆଶଙ୍କା ସହ ଜଡିତ । ପଢନ୍ତୁ ଅଧିକ

ଲଣ୍ଡନ: କେତେକ ଘାତକ ରୋଗ ମଧ୍ୟରୁ କର୍କଟ ଅନ୍ୟତମ । ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାର କର୍କଟରେ ଆକ୍ରାନ୍ତ ହୁଅନ୍ତୁ । ମହିଳାମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା କେତେକ ଗମ୍ଭୀର ପ୍ରକାର ମଧ୍ୟରୁ ବ୍ରେଷ୍ଟ କ୍ୟାନସର ବା ସ୍ତନ କର୍କଟ ଅନ୍ୟତମ । ଏହି ପ୍ରକାର କର୍କଟକୁ ନେଇ ଏକ ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ହର୍ମୋନାଲ୍ କଣ୍ଟ୍ରାସେପ୍ଟିଭ୍(ଗର୍ଭନିରୋଧକ) ବ୍ରେଷ୍ଟ କ୍ୟାନସର ବିପଦକୁ ବଢାଇଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ଅନୁସନ୍ଧାନ ଅନୁସାରେ, କେବଳ ପ୍ରୋଜେଷ୍ଟୋଜେନ-ଓନ୍‌ଲି (progestogen-only) ହରମୋନାଲ ଗର୍ଭନିରୋଧକରେ ସ୍ତନ କର୍କଟ ହେବାର 20 ରୁ 30 ପ୍ରତିଶତ ଅଧିକ ବିପଦ ରହିଛି । ଅଧ୍ୟୟନରୁ ଆହୁରି ମଧ୍ୟ ଜଣାପଡିଛି ଯେ, ଗର୍ଭନିରୋଧକ ପ୍ରକ୍ରିୟା ବ୍ୟବହାର, ଯାହା ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟୋଜେନକୁ ମିଶ୍ରଣ କରିଥାଏ, ସ୍ତନ କର୍କଟ ହେବାର ଆଶଙ୍କାକୁ ସାମାନ୍ୟ ହ୍ରାସ କରିଥାଏ ଏବଂ ଏହି ପ୍ରକ୍ରିୟା ବନ୍ଦ ହେବା ପରେ କର୍କଟ ଆଶଙ୍କା ହ୍ରାସ ପାଇଥାଏ । ପ୍ରକାଶ ଥାଉ କି, ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ହେଉଛି ଷ୍ଟେରଏଡ୍ ହରମୋନ୍ ଯାହା ସ୍ତନ୍ୟପାୟୀ ପ୍ରଜନନ ନିୟନ୍ତ୍ରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

PLOS ମେଡିସିନ୍ ପତ୍ରିକାରେ ପ୍ରକାଶିତ ଫଳାଫଳ ଅନୁସାରେ, ହର୍ମୋନାଲ ଗର୍ଭନିରୋଧକ ବ୍ୟବହାର ସ୍ତନ କର୍କଟ ସହ ଅଧିକ ଜଡିତ ଥିଲା । ଅନୁସନ୍ଧାନରୁ ଏହା ମଧ୍ୟ ଜଣାଗଲା ଯେ, ଗର୍ଭନିରୋଧକ ବ୍ୟବହାର ବନ୍ଦ ହେବା ପରେ କର୍କଟ ଆଶଙ୍କା ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଅକ୍ସଫୋର୍ଡ ପପୁଲେସନ୍‌ର ଷ୍ଟାଟିଷ୍ଟିକାଲ୍ ପ୍ରୋଗ୍ରାମର କିର୍ଷ୍ଟିନ ପିରି କହିଛନ୍ତି ଯେ, ନୂତନ ଅନୁସନ୍ଧାନରୁ ଏହା ଜଣାପଡିଲା ଯେ, ସମସ୍ତ ପ୍ରକାରର ପ୍ରୋଜେଷ୍ଟୋଜେନ-ଓନ୍‌ଲି ଗର୍ଭନିରୋଧକ ବ୍ୟବହାର ସ୍ତନ କର୍କଟ ରୋଗର ସାମାନ୍ୟ ବୃଦ୍ଧି ସହିତ ଜଡିତ ।

ବୟସ ବଢିବା ସହିତ ଜଣେ ମହିଳାଙ୍କର ସ୍ତନ କର୍କଟ ହେବାର ଆଶଙ୍କା ବଢିଥାଏ । କମ୍ ବୟସରୁ ଅଳ୍ପ ପରିମାଣରେ ଉଭୟ ପ୍ରକାରର ଓରାଲ୍ ଗର୍ଭନିରୋଧକ(ପାଟିରେ ଖିଆ ଯାଉଥିବା ଔଷଧ) ଔଷଧ ମଧ୍ୟ ସ୍ତନ କର୍କଟ ବିପଦ ସହ ଜଡିତ ବୋଲି ଅନୁସନ୍ଧାନକାରୀ କହିଛନ୍ତି । ପୂର୍ବରୁ ପ୍ରୋଜେଷ୍ଟୋଜେନ-ଓନ୍‌ଲି ଗର୍ଭନିରୋଧକ ସ୍ତନ କର୍କଟ ବିପଦ ସହ ଜଡିତ ବୋଲି ଜଣାପଡିଥିଲା । ମାତ୍ର ବର୍ତ୍ତମାନ ଏହାର ଚାରିଟି ପ୍ରକାର ସ୍ତନ କର୍କଟ ଆଶଙ୍କା ସହ ଜଡିତ ବୋଲି ଜଣାପଡିଛି । ସେଥିମଧ୍ୟରୁ ଓରାଲ୍‌ ସେବନରେ ସ୍ତନ କର୍କଟ ହେବାର ଆଶଙ୍କା 29 ପ୍ରତିଶତ ଥିବାବେଳେ ଇଞ୍ଜେକ୍ସନରେ 18 ପ୍ରତିଶତ, ଇମପ୍ଲାଣ୍ଟେଡ୍‌ରେ 28 ପ୍ରତିଶତ ଏବଂ ଇଣ୍ଟ୍ରାଟେରାଇନ୍ ଡିଭାଇସ୍‌ରେ 21 ପ୍ରତିଶତ ଅଧିକ ବିପଦ ରହିଛି ।

ଏହି ଅଧ୍ୟୟନରେ ଅକ୍ସଫୋର୍ଡ ପପୁଲେସନ୍ ହେଲ୍‌ଥ କ୍ୟାନସର ଏପିଡେମୋଲୋଜି ୟୁନିଟ୍‌ର ଅନୁସନ୍ଧାନକାରୀମାନେ 9,498 ମହିଳାଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ । ଅଧ୍ୟୟନରେ ସାମିଲ ଥିବା ମହିଳାଙ୍କ ବୟସ 20 ରୁ 49 ବର୍ଷ ମଧ୍ୟରେ ଥିଲା ଏବଂ ଏମାନେ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ପ୍ରତିବର୍ଷ ପ୍ରାୟ 2.3 ନିୟୁତ ମହିଳା ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ତେଣୁ ରୋଗକୁ ଦୂର କରିବା ପାଇଁ ଗର୍ଭନିରୋଧକ ସେବନର ମାତ୍ରା କମ୍ ସହ ଧୂମପାନ ଏବଂ ମଦ୍ୟାପାନ ଅଭ୍ୟାସକୁ ଦୂର କରିବା ସହ ଏକ ସୁସ୍ଥକର ଖାଦ୍ୟ ଗ୍ରହଣ ଏବଂ ଓଜନ ନିୟନ୍ତ୍ରଣ କରିବା ଆବଶ୍ୟକ । ଏହା ବ୍ୟତୀତ ସ୍ତନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘା' ଲାଗିରହିବା, କୌଣସି ସ୍ଥାନରେ କ୍ଷତ, ରକ୍ତସ୍ରାବ ହେବା ଇତ୍ୟାଦି ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବାକୁ ଅନୁସନ୍ଧାନକାରୀମାନେ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.