ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ଟାର୍ଗେଟ, ବିଭିନ୍ନ ସମସ୍ୟା ନେଇ ସାମାଜିକ କର୍ମୀ ମୁକ୍ତିକାନ୍ତଙ୍କ ପ୍ରଶ୍ନବାଣ

author img

By

Published : Jan 3, 2023, 5:31 PM IST

Muktikanta Biswal asks questions to CM Naveen
Muktikanta Biswal asks questions to CM Naveen

ଆସନ୍ତା ଜାନୁଆରୀ ୫ ତାରିଖରେ ନବନିର୍ମିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମକୁ ଉଦଘାଟନ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଉରକେଲାକୁ ଗସ୍ତ କରିବେ (CM Naveen Rourkela Visit) । ଗସ୍ତ ପୂର୍ବରୁ ସହରର ବିଭିନ୍ନ ସମସ୍ୟା ନେଇ ନବୀନଙ୍କୁ ମୁକ୍ତିକାନ୍ତଙ୍କ ପ୍ରଶ୍ନବାଣ । ଏହି ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବେ ବୋଲି ସେ ଆଶା କରିଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ଟାର୍ଗେଟ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୫ତାରିଖରେ ରାଉରକେଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ସହରର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଉରକେଲାର ଜଣେ ସାଧାରଣ ବ୍ୟକ୍ତି ଭାବେ ପ୍ରଶ୍ନ କରିଛନ୍ତି ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ବାଳ (Social Worker Muktikanta Biswal) । ହକି ବିଶ୍ବକପ ଲାଗି ରାଉରକେଲାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି । ପ୍ରଦୂଷଣକୁ ରୋକିବା ଲାଗି କିଛି କଳ କାରଖାନକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ଖେଳାଳି ଓ ବିଦେଶୀ ନାଗରିକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହା ସବୁ କରାଯାଉଥିବା ବେଳେ ରାଉରକେଲାବାସୀଙ୍କ ପାଇଁ ଆଜି ଯାଏଁ କାହିଁକି ଚୁପ ରହିଥିଲେ ? ରାଉରକେଲାବାସୀ କଣ ମଣିଷ ନୁହଁନ୍ତି ବୋଲି ମୁକ୍ତିକାନ୍ତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି (Muktikanta Biswal asks 5 questions to CM Naveen) ।

ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତିକାନ୍ତଙ୍କ ୫ ପ୍ରଶ୍ନ:-

  1. ରାଉରକେଲା ସରକାରୀ ଡାକ୍ତରଖାନାର ସ୍ଥିତି କେମିତି ଅଛି ?
  2. ରାଉରକେଲାରେ ପାଣି ପବନ ଯେ ବିଷାକ୍ତ, କଣ ଆଜି ଜାଣିଲେ ସରକାର ?
  3. ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଦେଇଥିବା ପ୍ରତିଶୃତି ମନେ ଅଛି ତ ?
  4. ହକିର ଏନ୍ତୁଡ଼ିଶାଳ ରାଉରକେଲାରେ ହକିର ବିକାଶ ତଥା ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସରକାର କେତେ ସଚେତନ ?
  5. ଷ୍ଟିଲପ୍ଲାଣ୍ଟର କାରଖାନା ବନ୍ଦ ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ସରକାର କଣ ବ୍ୟବସ୍ଥା କରିଛନ୍ତି ?

ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରଶ୍ନବାଣ ମାରିଛନ୍ତି ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ । ହକିର ଏନ୍ତୁଡ଼ିଶାଳ ରାଉରକେଲା ମାଟିରେ ହକି ବିଶ୍ବକପ ହେବା ନିଶ୍ଚିତ ଅଞ୍ଚଳବାସୀଙ୍କ ପାଇଁ ଗୌରବର ବିଷୟ । ହେଲେ ସହରର ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କରିଛନ୍ତି । ହକି ବିଶ୍ବକପ ପାଇଁ ସହରକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିବେ । ତେବେ ଏଭଳି ସ୍ଥିତିରେ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ଥିତି କିପରି ଅଛି ସେନେଇ ସରକାର ଅବଗତ ଅଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏନେଇ ସେ କହିଛନ୍ତି, "ହକି ବିଶ୍ବକପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କିନ୍ତୁ ଛୋଟବଡ଼ ଅଘଟଣ ଘଟିଲେ ଜୀବନ ବଞ୍ଚାଇବାକୁ ଲୋକେ କେଉଁ ଡାକ୍ତରଖାନାକୁ ଯିବେ ? ସରକାର ରାଉରକେଲା ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ସରକାର ଅବଗତ ଅଛନ୍ତି ତ ? ସରକାର ସ୍ବାସ୍ଥ୍ୟକ୍ଷେତ୍ରରେ ପ୍ରସ୍ତୁତି ଶେଷ କରିଛନ୍ତି ତ ?"

ଏହା ବି ପଢନ୍ତୁ-Archana Nag case: ତୃତୀୟ ଥର ଇଡିରେ ହାଜର ହେଲେ ପ୍ରମୋଦ ସ୍ବାଇଁ

ରାଉରକେଲା ସହରର ପାଣିପବନ ବିଷାକ୍ତ ସମ୍ପର୍କରେ ମୁକ୍ତିକାନ୍ତ କହିଛନ୍ତି, "ପ୍ରଦୂଷଣକୁ ନେଇ ରାଉରକେଲାବାସୀଙ୍କ ସୁରକ୍ଷାକୁ ଅଣଦେଖା କରୁଥିବା ସରକାର ଆଜି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ରାଉରକେଲାର ପାଣି ପବନ ଆଦି ବିଷାକ୍ତ ପାଲଟିଥିବା ବେଳେ ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପର୍ଯ୍ୟନ୍ତ ରାଉରକେଲାବାସୀଙ୍କ ଜୀବନ ପ୍ରତି ଖେଳ ଖେଳି ଚାଲିଥିଲେ । ହକି ବିଶ୍ବକପ ସମୟରେ ପ୍ରଦୂଷଣ ଧରା ପଡିଯିବା ଭୟରେ ୨୨ଟି ସ୍ପଞ୍ଜ କାରଖାନାକୁ ପ୍ରଶାସନ ପକ୍ଷରୁ ଜାନୁଆରୀ ୧ରୁ ବନ୍ଦ କରାଯାଇଛି । ତେବେ ହକି ବିଶ୍ବକପ ପରେ ମଧ୍ୟ ରାଉରକେଲାବାସୀଙ୍କ ଜୀବନକୁ ଗୁରୁତ୍ବଦେଇ ପ୍ରଦୂଷଣ ରୋକାଯିବ ନା ଯଥାପୂର୍ବଂ ତଥାପରଂ ସ୍ଥିତିରେ ଚାଲିବ ?

ମୁଖ୍ୟମନ୍ତ୍ରୀ ପୂର୍ବରୁ ସହରବାସୀଙ୍କୁ ଅନେକ ପ୍ରତିଶୃତି ଦେଇଛନ୍ତି । ଏନେଇ ମୁକ୍ତିକାନ୍ତ କହିଛନ୍ତି, "ଆମ ମୁଖ୍ୟମନ୍ତ୍ରୀ ରାଉରକେଲା ଆସିବେ, ଆଗରୁ ମଧ୍ୟ ଆସିଛନ୍ତି । ୨୦୧୩ ମସିହାରେ ରାଉରକେଲା ଯାଇ ଡାକ୍ତରଖାନା, କୋଏଲ ନଦୀରେ ବ୍ୟାରେଜ, ରିଂ ରୋଡ୍‌ ଓ ଶୀତଳ ଭଣ୍ଡାର ଆଦିର ପ୍ରତିଶ୍ରୁତି ସହିତ ଶିଳାନ୍ୟାସ କରିଥିଲେ । ଏହିସବୁ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କର ମନେ ଅଛି ତ ? ଏସବୁ କାର୍ଯ୍ୟର ଅନୁଧ୍ୟାନ କରିବେ ନା ନାହିଁ ? ଯଦି ଭୁଲି ଯାଇଛନ୍ତି, ଆମେ ପୁନର୍ବାର ମନେପକାଇ ଦେଉଛୁ ।" ଏହାସହିତ ହକିର ଏନ୍ତୁଡ଼ିଶାଳ ରାଉରକେଲାରେ ହକିର ବିକାଶ ତଥା ଖେଳାଳିଙ୍କ ପ୍ରଶିକ୍ଷଣ ପାଇଁ ସରକାର କେତେ ସଚେତନ ବୋଲି ମୁକ୍ତିକାନ୍ତ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ଷ୍ଟିଲପ୍ଲାଣ୍ଟର ପ୍ରାୟ ୩ଟି ୟୁନିଟ ଓ ୨୨ଟି କାରଖାନାକୁ ସରକାର ବନ୍ଦ କରିଦେଉଛନ୍ତି । ତେବେ ଏହି କାରଖାନା ବନ୍ଦ କରିବା ପରେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଥଇଥାନ ଲାଗି ସରକାର କଣ ବ୍ୟବସ୍ଥା କରିଛନ୍ତି ସେ ସମ୍ପର୍କରେ ସୂଚନା ଦିଅନ୍ତୁ ବୋଲି ମୁକ୍ତିକାନ୍ତ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହାର ଉତ୍ତର ରଖିବେ ବୋଲି ଆଶା କରିଛନ୍ତି ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ କି ନାହିଁ ପ୍ରଶ୍ନରେ ଉତ୍ତର ଦେଇ ମୁକ୍ତିକାନ୍ତ କହିଛନ୍ତି ଏ ନେଇ ସେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାଁନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.