ETV Bharat / state

ସୁନ୍ଦରଗଡରେ ପୁଣି ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଆରମ୍ଭ, ଉପକୃତ ହେଉଛନ୍ତି ଗର୍ଭବତୀ

author img

By

Published : Jul 2, 2021, 8:57 AM IST

ପୁଣି ଆରମ୍ଭ ହେଲା ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ
ପୁଣି ଆରମ୍ଭ ହେଲା ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଗୁରୁବାର ପୁଣିଥରେ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସୁନ୍ଦରଗଡ: ପୁଣି ଆରମ୍ଭ ହେଲା ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ । ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ମା’ ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ଗୁରୁବାର ପୁଣିଥରେ ଆରମ୍ଭ ହୋଇଛି। ଗୁରୁବାର ଠାରୁ ଏହି କାର୍ଯ୍ୟକ୍ରମ ଅନୁବନ୍ଧିତ ୭ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୪୫ଟି ଘରୋଇ କ୍ଲିନିକରେ ଚାଲିଛି ।

ଗର୍ଭବତୀ ମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ମାଗଣାରେ ଡାକ୍ତର ପରାମର୍ଶ କରିବା ସହ ଅଲଟ୍ରାସାଉଣ୍ଡ୍ ଓ ଅନ୍ୟାନ୍ୟ ପରୀକ୍ଷା କରିଛନ୍ତି । ଏହିସବୁ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯାଉଛି । ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ୨୦୨୦ ଅକ୍ଟୋବର ୧୧ ତାରିଖରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା।

ସାରା ଜିଲ୍ଲାରେ ବିଧିବଦ୍ଧ ଭାବେ ଏହି କାର୍ଯ୍ୟକ୍ରମ ନଭେମ୍ବର ୯ ତାରିଖରୁ କାର୍ଯ୍ୟକାରୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀଙ୍କୁ ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ ସହ ଅନ୍ୟାନ୍ୟ ପରୀକ୍ଷା ସୁବିଧା ଦିଆଯାଉଛି ।

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି । ୨୦୨୧ ଏପ୍ରିଲ ୧୬ ତାରିଖ ସୁଦ୍ଧା ୧୬ ହଜାର ୨୧୯ ଜଣ ଗର୍ଭବତୀ ମା’ ଏହି କାର୍ଯ୍ୟକ୍ରମ ଅଧୀନରେ ସେବା ପାଇଛନ୍ତି । ସେହିପରି ୨୫୦ରୁ ଅଧିକ ଜଟିଳ କେସ୍ ଚିହ୍ନଟ କରାଯାଇ ଗର୍ଭବତୀ ମା’ମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି।

ଗର୍ଭାବସ୍ଥାରେ ମା’ ଓ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ବିଷୟରେ ଜାଣିବା ଲାଗି ଅଲଟ୍ରାସାଉଣ୍ଡ ପରୀକ୍ଷା ଏକ ବଡ଼ ଭୂମିକା ଗ୍ରହଣ କରିଥାଏ । ତେଣୁ ଜିଲ୍ଲାରେ ମାତୃ ଓ ଶିଶୁ ସୁରକ୍ଷା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ପ୍ରଭାବୀ ରୂପ ନେଇଛି । ଏହି କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ଗର୍ଭବତୀ ମହିଳାଙ୍କୁ ଘରୁ ସାଙ୍ଗରେ ନେଇ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଇବା ଦାୟିତ୍ବ ସେମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ପ୍ରଶାସନ ପକ୍ଷରୁ ଗର୍ଭବତୀ ମା’ମାନଙ୍କର ଯାତାୟତ ଓ ଖାଇବା ପିଇବା ସୁବିଧା ସହ ଦିନକ ଲାଗି ପାରିତୋଷିକ ଦିଆଯାଉଛି।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.