ETV Bharat / state

କିଛି ଦିନ ପରେ ସାଜିଥାଆନ୍ତେ ବର, ସନ୍ଦେହଜନକ ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Dec 15, 2023, 1:58 PM IST

ଯବାନଙ୍କ ମୃତଦେହ ଉଦ୍ଧାର
cisf jawans dead body found

CISF jawans dead body found: ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର । ଆତ୍ମହତ୍ୟା ସନ୍ଦେହ । ଅଧିକ ପଢନ୍ତୁ

ରାଉରକେଲା: ସରିଥିଲା ନିର୍ବନ୍ଧ, ଆଉ ଦିନ କେଇଟା ପରେ ପଡିଥାନ୍ତା ହାତ ଗଣ୍ଠି । ଏହା ପୂର୍ବରୁ ସିଆଇଏସଏଫ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଉରକେଲା ବିଶ୍ରା ଛକ ନିକଟରେ ସିଆଇଏସ୍‌ଏଫ୍‌ କ୍ୟାମ୍ପସ୍ ପରିସରରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଯବାନ ହେଲେ ଜମ୍ମୁକାଶ୍ମୀର କଠୁଆ ଜିଲ୍ଲାର ସାହିଲ କୁମାର । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ନିକଟରେ ମୃତ ଯବାନଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଫେବୃଆରୀ 26 ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ଯବାନଙ୍କ ମୃତ୍ୟୁ ହୋଇଛି । ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ନିର୍ବନ୍ଧ ସରିବା ପରେ ଗତ ଦୁଇ ଦିନ ତଳେ ସେ କ୍ୟାମ୍ପକୁ ଫେରିଥିଲେ । ନିର୍ବନ୍ଧ ପରେ ତାଙ୍କର ମୃତଦେହ ଉଦ୍ଧାର ହେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ମୃତ୍ୟୁ ପଛରେ ପାରିବାରିକ ଝଗଡ଼ା ନା ଅନ୍ୟ କିଛି କାରଣ ରହିଛି ବର୍ତ୍ତମାନ ତା’ର ଖୋଳତାଡ଼ କରୁଛି ପ୍ଲାଣ୍ଟ ସାଇଟ୍‌ ପୋଲିସ । ପ୍ଲାଣ୍ଟସାଇଟ୍‌ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି । ଆଜି ପରିବାର ଲୋକ ରାଉରକେଲାରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି ।

ଏହା ମଧ୍ୟ ପଢନ୍ତୁ- ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ମିଳିଥିବା ସୂଚନା ମୁତାବକ, ଜମ୍ମୁକାଶ୍ମୀର କଠୁଆ ଜିଲ୍ଲାର ସାହିଲଙ୍କର ରାଉରକେଲା ସିଆଇଏସ୍‌ଏଫ୍‌ କ୍ୟାମ୍ପକୁ ବଦଳି ହୋଇଥିଲେ । ତାଙ୍କୁ କ୍ୟାମ୍ପ ଅଧିକାରୀ ରାଉରକେଲା ଇସ୍ପାତ କାରଖାନା ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରିଥିଲେ। ଆସନ୍ତା ଫେବୃଆରା 26 ତାରିଖରେ ତାଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା । ନିର୍ବନ୍ଧ ପାଇଁ ଗତ ଦୁଇ ସପ୍ତାହ ତଳେ ସାହିଲ ଛୁଟି ନେଇ ଘରକୁ ଯାଇଥିଲେ । ଦିନକ ପୂର୍ବେ ସେ ରାଉରକେଲା ଫେରି ଡ୍ୟୁଟିରେ ଯୋଗ ଦେଇଥିଲେ । ପ୍ରତିଦିନ ପରି ଗୁରୁବାର ମଧ୍ୟ ସାହିଲ ଅନ୍ୟ ସହଯୋଗୀଙ୍କ ସହ କ୍ୟାଣ୍ଟିନ୍‌ରେ ଖାଇବା ପରେ ଶୋଇବାକୁ ଯାଇଥିଲେ । ସେ ରୁମ୍‌ରେ ନଥିବା ଦେଖି ସାଙ୍ଗମାନେ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ରୁମ୍‌ରେ ତାଙ୍କୁ ପାଇନଥିଲେ । କିଛି ଯବାନ ଖୋଜା ଖୋଜି କରୁଥିବା ବେଳେ କ୍ୟାମ୍ପସ୍‌ ପରିସରରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ସଙ୍ଗେ ସଙ୍ଗେ ଏନେଇ ବିଭାଗୀୟ ଅଧିକାରୀ ଓ ପୋଲିସକୁ ସୂଚନା ଦେଇଥିଲେ ସିଆଇଏସ୍‌ଏଫ୍‌ ଅଫିସର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯବାନଙ୍କ ମୃତଦେହ ଉଦ୍ଧାର କରିଥିଲା । ସିଆଇଏସ୍‌ଏଫ୍‌ ଅଧିକାରୀ ଓ ଯବାନଙ୍କ ବୟାନ ତଥା ପାରିପାର୍ଶ୍ବିକ ସ୍ଥିତି ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଆଜି ମୃତ ଯବାନଙ୍କ ପରିବାର ଲୋକେ ରାଉରେକାଲରେ ପହଞ୍ଚିବେ ଏବଂ ଏହାପରେ ହିଁ ମୃତଦେହ ବ୍ୟବଚ୍ଛେଦ ହେବ । ପୋଲିସ ଯବାନଙ୍କ ପରିବାର ଲୋକେ ଏବଂ କ୍ୟାମ୍ପସ ଭିତରେ ଅନ୍ୟ ଯବାନଙ୍କୁ ପଚରା ଉଚରା ଚଳାଇଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.