ETV Bharat / state

ସ୍ମାର୍ଟସିଟି ରାଉରକେଲାରେ ହଇଜା ଆତଙ୍କ; ଗଡୁଛି ମୁଣ୍ଡ, ଭୟରେ ସହରବାସୀ

author img

By ETV Bharat Odisha Team

Published : Dec 19, 2023, 10:08 PM IST

Cholera outbreak in Smart city Rourkela: ସ୍ମାର୍ଟସିଟି ରାଉରକେଲାରେ ସ୍ଥିତି ସଙ୍ଗୀନ । ଦୂଷିତ ଜଳ ଯୋଗୁଁ ଝାଡାବାନ୍ତି ପରେ ବ୍ୟାପିଲାଣି ହଇଜା । ପ୍ରାୟ ୬୦୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଗଡିଲାଣି । ସ୍ମାର୍ଟସିଟିରେ ଏଭଳି ସ୍ଥିତିକୁ ନେଇ ଭୟରେ ସହରବାସୀ । ଦେଖନ୍ତୁ ଏହି ରିପୋର୍ଟ

Cholera outbreak in Smart city Rourkela
Cholera outbreak in Smart city Rourkela

ଗଡୁଛି ମୁଣ୍ଡ, ଭୟରେ ସହରବାସୀ

ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ଝାଡାବାନ୍ତି ସାଙ୍ଗକୁ ବ୍ୟାପିଲାଣି ହଇଜା । ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଥିବା ବେଳେ ଭୟରେ ସହରବାସୀ । ଏଯାବତ ପାଖାପାଖି ୬୦୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସରକାରୀ ତଥ୍ୟ ଅନୁସାରେ ୬ ଜଣଙ୍କ ମୁଣ୍ଡ ଗଡିଛି । ମୁଖ୍ୟତଃ ପାଣି ପାଇଁ ଏହି ରୋଗ ବ୍ୟାପିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ସ୍ମାର୍ଟସିଟିରେ ଯଦି ଏପରି ଅବସ୍ଥା ତେବେ ଉପାନ୍ତ ଅଞ୍ଚଳରେ ଲୋକେ କିପରି ରହୁଥିବେ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ରାଉରକେଲା ମହାନଗର ନିଗମ କମିଶନର କହିଛନ୍ତି ।

ସହରରେ ପ୍ରଥମେ ଡାଇରିଆ ବା ଝାଡାବାନ୍ତି ହୋଇଥିଲା ବୋଲି କୁହାଯାଉଥିବା ବେଳେ ଗତ ୧୮ ତାରିଖ ରିପୋର୍ଟରେ କିଛି ବ୍ୟକ୍ତିଙ୍କଠାରେ ହଇଜା ଜୀବାଣୁ ଭିବ୍ରିଓ କଲେରା ଚିହ୍ନଟ ହୋଇଛନ୍ତି । ଏଣୁ ଏହି ଝାଡାବାନ୍ତି ପଛରେ ହଇଜା ବୋଲି କୁହାଯାଉଛି । ବର୍ତ୍ତମାନ ଯାଏଁ ୧୯ଜଣ ହଇଜା ଜୀବାଣୁ ଏବଂ ୧୦ଜଣ ଇ-କୋଲାଇରେ ପୀଡିତ ଅଛନ୍ତି । ହଇଜା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଭୟ ପଶିଥିବା ଦେଖିବାକୁ ମିଳିଛି । ତେବେ ଭୟଭୀତ ନହୋଇ ନିଜ ଧ୍ୟାନ ନିଅନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନ ରହିବାକୁ ଡାକ୍ତର ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ଝାଡାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା 580 ଟପିଲା, ସ୍ଥିତି ନିୟନ୍ତ୍ରଣରେ କହିଲେ କମିଶନର

ଏନେଇ ରାଉରକେଲା ସରକାରୀ ହସ୍ପିଟାଲ ଅଧିକ୍ଷକ ସୁଧାରାଣୀ ପ୍ରଧାନ କହିଛନ୍ତି, "ପାନୀୟ ଜଳକୁ ଫୁଟାଇ ପିଅନ୍ତୁ ଏବଂ ବାଥରୁମ ଯାଇ ଆସିବା ବେଳେ ଭଲ ଭାବରେ ହାତ ଧୁଅନ୍ତୁ । ଏଭଳି ସମସ୍ତ ପରିଷ୍କାର ପଦକ୍ଷେପ ଅପଣାଇଲେ ଡାଇରିଆ ଓ କଲେରା ରୋଗରୁ ସିଧାସଳଖ ରକ୍ଷା ପାଇବେ । ଏହି ରୋଗ ମୁଖ୍ୟତଃ ଦୂଷିତ ଖାଦ୍ୟ ବା ପାନୀୟ ଜଳରୁ ହୋଇଥାଏ । ଏହା ହେବା ଦ୍ବାରା ବହୁ ମାତ୍ରାରେ ଝାଡାବାନ୍ତି ହୋଇଥାଏ । ଏହି ରୋଗ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇପାରେ । ତେବେ ବର୍ତ୍ତମାନ ଯାଏଁ କଲେରାରେ କାହାରି ମୃତ୍ୟୁ ହୋଇନାହିଁ । ଆଗାମୀ ସମୟରେ ରିପୋର୍ଟ ଆସିବ ପରେ ହିଁ ଏହାର ସତ୍ୟତା କଣ ରହିଛି ଜଣାପଡିବ।"

ରାଉରକେଲା ମହାନଗର ନିଗମ କମିଶନରଙ୍କ ତଥ୍ୟ ଅନୁସାରେ ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାରୁ ମୋଟ ୫୮୦ରୁ ଊର୍ଦ୍ଧ୍ବ ଜଣ ଝାଡ଼ାବାନ୍ତିରେ ଚିହ୍ନଟ ହୋଇଛନ୍ତି । ତେବେ କେବଳ ରାଉରକେଲାରୁ ୪୨୯ ଜଣ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଲୋକଙ୍କୁ ସଚେତନ କରାଇବା ଲାଗି ପରାମର୍ଶ ଦିଆଯାଇଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି; ୬ ମୃତ, ୩୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ

ଅନ୍ୟପଟେ ବର୍ତ୍ତମାନର ସ୍ଥିତି ରାଉରକେଲା ସହରରେ ସଙ୍ଗୀନ ରହିଛି । ରାଉରକେଲା ସହରର ବିଭିନ୍ନ ହଟସ୍ପଟରେ ଲୋକେ ଭୟଭୀତ ହୋଇ ବସବାସ କରୁଛନ୍ତି । ତେବେ କେବଳ ରାଉରକେଲା ସହରର କିଷାନ ଟୋଲାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହି କିଷାନ ଟୋଲା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ କିଷାନ ଟୋଲା ବର୍ତ୍ତମାନ ଖାଁ ଖାଁ ଲାଗୁଛି । ସ୍ଥାନୀୟ ପ୍ରଶାସନ ଏବଂ ଡାକ୍ତରୀ ଟିମ ପକ୍ଷରୁ ସମସ୍ତ ଉଦ୍ୟମ ଜାରି ରହିଥିବା ବେଳେ ଖୁବଶୀଘ୍ର ଏହି ସ୍ଥିତି ବଦଳିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.