ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ବିଜେପିର ଟାର୍ଗେଟ, ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କଲେ ବିଜେପି ବିଧାୟକ

author img

By

Published : Mar 10, 2023, 7:50 PM IST

ବିଜେପିର ସାମ୍ବାଦିକ ସମ୍ମିଳନୀ
ବିଜେପିର ସାମ୍ବାଦିକ ସମ୍ମିଳନୀ

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ନେଇ ବିଜେପିର ଟାର୍ଗେଟ । ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ । ଅଧିକ ପଢ଼ନ୍ତୁ

ବିଜେପିର ସାମ୍ବାଦିକ ସମ୍ମିଳନୀ

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ନେଇ ଗର୍ଜିଲା ବିଜେପି । ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ତୀବ୍ର ସମାଲୋଚନା କରିଛନ୍ତି ବୀରମିତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମ । ହକି ନାମରେ ଟଙ୍କା ହରିଲୁଟ କରାଯାଉଛି ଏବଂ ହକି ନାମରେ ଲୋକଙ୍କୁ ଭୁଆଁ ବୁଲାଯାଉଛି କହି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ କାର୍ଯ୍ୟ କଳାପକୁ ବିରୋଧ କରିଛି ବିଜେପି ।

ଆଜି ରାଉରକେଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରାୟ ୯୦୦ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ କରିଛନ୍ତି । ତେବେ ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା ବିଜେପି । ଗୋଟିଏ ପକ୍ଷରୁ ରାଜ୍ୟ ସରକାର ହକି ବିଶ୍ବକପର ଆୟୋଜନ କରି ଲୋକଙ୍କ ପ୍ରଶଂସା ସାଉଁଟୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ହୀନ ରାଜନୀତି କରୁଥିବା ଅଭିଯୋଗ କରିଛି ବିଜେପି । ବୀରମିତ୍ରପୁରର ବିଜେପି ବିଧାୟକ ଶଙ୍କର ଓରାମ କହିଛନ୍ତି, "ରାଜ୍ୟ ସରକାର ସୁନ୍ଦରଗଡ଼ବାସୀଙ୍କ ସହ ପ୍ରକଳ୍ପ ନାମରେ ହୀନ ରାଜନୀତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଦୀର୍ଘ ବର୍ଷ ବିତିଯାଥିଲେ ମଧ୍ୟ ଆଜିଯାଏଁ ପ୍ରତିଶ୍ରୁତିରେ ହିଁ ରହିଯାଇଛି ।"

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେପି ବିଧାୟକ କହିଛନ୍ତି, "ଜିଲ୍ଲାରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ କେବଳ DMF ଫଣ୍ଡରୁ କରାଯାଉଛି । କିନ୍ତୁ ଏନେଇ ରାଜ୍ୟ ସରକାର ନିଜ ବାହାଦୁରି ନେବା କେତେଦୂର ଯଥାର୍ଥ । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ କେଉଁ କାମ ନିଜସ୍ବ ରାଜ୍ୟ ପାଣ୍ଠିରୁ କରୁଛନ୍ତି । ବହୁ ଚର୍ଚ୍ଚିତ ତାଳଚେର-ବିମଳାଗଡ଼ ରେଳପଥର ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଆଉ କେତେ ଦଶନ୍ଧି ଦରକାର ପଡିବ । କେନ୍ଦ୍ର ସରକାରଙ୍କ ଦ୍ବାରା ରାଉରକେଲାରେ ଦୁଇଟି ରେଲୱେ ଓଭରବ୍ରିଜ ଲୋକାର୍ପିତ ହୋଇ ସାରିଥିଲେ ବି ଆଜି ପର୍ଯ୍ୟନ୍ତ କୁକୁଡ଼ା ଗେଟ ଓଭରବ୍ରିଜର ଜମି ଅଧିଗ୍ରହଣ ସରିନାହିଁ । ରାଜ୍ୟ ସରକାର ଏହାର ଉତ୍ତର ଦିଅନ୍ତୁ । ରାଜ୍ୟ ଯୋଜନାଗୁଡିକ DMF ଫଣ୍ଡରୁ ଖର୍ଚ୍ଚ କରାଯିବାର ପ୍ରାବଧାନ ନଥିବା ସତ୍ତ୍ବେ ମମତା ଗୃହ କେମିତି DMF/OMBADCରୁ ଖର୍ଚ୍ଚ କରାଗଲା ତାର ଜବାବ ଦେବା ଜରୁରୀ ।"

୯ ବର୍ଷ ତଳୁ ପ୍ରସ୍ତାବିତ ବାଲୁଘାଟ ମେଗା ହୋଲସେଲ ମାର୍କେଟ ପ୍ରକଳ୍ପ ଏବେଯାଏଁ ଜିଲ୍ଲାପାଳଙ୍କ ପ୍ରଶାସନିକ ଅନୁମୋଦନ ପାଇ ପାରିନାହିଁ । କୁଆଁରମୁଣ୍ଡାରେ ପ୍ରସ୍ତାବିତ ମେଡିକାଲ କଲେଜ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଓରାମ । ସେ କହିଛନ୍ତି, "କୋଏଲ ବ୍ୟାରେଜ କେବେ ନିର୍ମାଣ ହେବ ସାଧାରଣ ଜନତାଙ୍କୁ ଜବାବ ଦିଅନ୍ତୁ । ରାଉରକେଲାରେ ଘୋଷଣା କରାଯାଇଥିବା ଜାଭିୟର ଇନ୍‌ଷ୍ଟିଚ୍ୟୁଟ ଗଲା କୁଆଡେ ?" ଏସବୁର ଉତ୍ତର ପ୍ରଥମେ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି କହିଛି ବିଜେପି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପାଇଁ ଜମି ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଅମଙ୍ଗ କାହିଁକି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ । ରାଜ୍ୟ ସରକାର ଲୋକଙ୍କୁ ପ୍ରଥମେ ସତ ସତିକା ପ୍ରକଳ୍ପ ଦିଅନ୍ତୁ, କେବଳ ମିଛ ବାହାସ୍ପଟ ମାରି ଲୋକଙ୍କୁ ଠକିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.