ETV Bharat / state

ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ସୁରେଶ୍ୱରୀ

author img

By ETV Bharat Odisha Team

Published : Oct 15, 2023, 3:02 PM IST

mahakali besha of maa sureswari
mahakali besha of maa sureswari

ଆଶ୍ବିନ ଶୁକ୍ଳ ପ୍ରତିପଦ ତିଥିରେ ମାଆ ସୁରେଶ୍ୱରୀଙ୍କ ମହାକାଳୀ ବେଶ । ଅଧିକ ପଢନ୍ତୁ

mahakali besha of maa sureswari

ସୋନପୁର: ଆଜି (ରବିବାର) ଆଶ୍ବିନ ଶୁକ୍ଳ ପ୍ରତିପଦ । ସୋନପୁର ଗଡଜାତରେ ଆରମ୍ଭ ହୋଇଛି ଐତିହାସିକ ବଳୀଯାତ୍ରା । ଏହି ଅବସରରେ ଇଷ୍ଟଦେବୀ ମାଆ ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରୁଛନ୍ତି । ନୂଆ ନୂଆ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଶନିବାର ଅମାବାସ୍ୟା ତିଥିରେ ଧବଳମୁଖୀ ବେଶରେ ମାଆ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ଆଜି ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ ବେଶ ଧାରଣ କରିଛନ୍ତି । ଗତକାଲି ରାତ୍ର 11 ଘଣ୍ଟା 22 ମିନିଟ ପରେ ଶୁକ୍ଲ ପ୍ରତିପଦ ତିଥିର ଆଗମନ ହେଉଥିବାରୁ ଇଷ୍ଟ ଦେବୀ ମାଆ ସୁରେଶ୍ବରୀ ନିଜର ଧବଳମୁଖୀ ରୂପ ପରିବର୍ତ୍ତନ କରି ମହାକାଳୀ ବେଶ ଧାରଣ କରିଥିଲେ ।

ଦେବୀ ମାଆଙ୍କ ପୀଠରେ ବଳୀଯାତ୍ରାର ପାରମ୍ପରିକ ବାହୁତି ଛତ୍ର ଶୋଭାଯାତ୍ରା କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାଳୟାରୁ ମାଆ ସୁରେଶ୍ବରୀ ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ଆଜି ଦେବୀ ମାଆ ମହାକାଳୀ ବେଶରେ ଦର୍ଶନ ଦେବା ପରେ ତାରା ,ଭୈରବୀ, ଉଗ୍ରତାରା, ଭୂବନଶ୍ବରୀ, ମହିଷା ମର୍ଦ୍ଦିନୀ, ରାଜରାଜେଶ୍ବରୀ ଆଦି ବେଶ ଦଶମୀ ତିଥି ଯାଏଁ ଧାରଣ କରିବେ । ରକ୍ତମୁଖା ଦେବୀ ମାଆ ସୁରେଶ୍ବରୀଙ୍କ ଠାରେ ବର୍ଷ ତମାମ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଆଜି ମାଆଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗାଜଳ ଆଦି ପ୍ରଲେପ କରାଯାଇ ବେଶ କରାଯାଇଥିଲା । ସକାଳୁ ସକାଳୁ ଦେବୀଙ୍କ ମହାକାଳୀ ବେଶ ଦର୍ଶନ କରିବା ପାଇଁ ପୀଠକୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସନ୍ଧ୍ୟା ଆରତୀ ସହତି ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହେବ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଶନିବାର ସୋନପୁରରେ ଆରମ୍ଭ ହେବ ବଳିଯାତ୍ରା, ବାଦ୍ୟ ଯନ୍ତ୍ରରେ କମ୍ପିବ ଚତୁର୍ଦ୍ଦିଗ

ଦେବୋତ୍ତର ବିଭାଗ,ମନ୍ଦିର କମିଟି,ବଳୀଯାତ୍ରା କମିଟି ପକ୍ଷରୁ ସଧ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବଳୀଯାତ୍ରା ଓ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ବଳୀଯାତ୍ରାରେ ବଳି କହିଲେ ଛାଗ, ମହିଷ ତଥା ବିଭିନ୍ନ ପକ୍ଷୀଙ୍କ ହତ୍ୟାକୁ ବୁଝାଇଥାଏ । ହେଲେ ସୋନପୁର ବଳି ଯାତ୍ରାରେ ବଳି କହିଲେ ବରୁଆକୁ ହିଁ ବୁଝାଇଥାଏ । ବରୁଆ କହିଲେ ଯେଉଁ ଲୋକଟି ଦେହରେ ରାଜପୁରୋହିତ ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଦୈବୀଶକ୍ତି ପ୍ରକଟିତ କରିଥାଆନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.