ETV Bharat / state

ଶନିବାର ସୋନପୁରରେ ଆରମ୍ଭ ହେବ ବଳିଯାତ୍ରା, ବାଦ୍ୟ ଯନ୍ତ୍ରରେ କମ୍ପିବ ଚତୁର୍ଦ୍ଦିଗ

author img

By ETV Bharat Odisha Team

Published : Oct 13, 2023, 2:27 PM IST

ବଳିଯାତ୍ରାକୁ ନେଇ ଚଳଚଞ୍ଚଳ ସୋନପୁର । ଆସନ୍ତା କାଲିଠାରୁ ଆରମ୍ଭ ହେବ ଐତିହାସିକ ବଳିଯାତ୍ରା । ଦେବୀ ମାଆ ସମଲେଇଙ୍କ ପୀଠରେ ଉଆଁସ ବଳି କାର୍ଯ୍ୟ ସମ୍ପନ୍ନ ହେବ । ଅଧିକ ପଢ଼ନ୍ତୁ

bali yatra
bali yatra

bali yatra

ସୋନପୁର: ଶନିବାର ଆରମ୍ଭ ହେବ ସୋନପୁରର ଗଡ଼ଜାତର ଐତିହାସୀକ ବଳିଯାତ୍ରା । ଏନେଇ ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଗଣ୍ଡା। ମହାଳୟାର ନିଶାର୍ଦ୍ଧରେ ଦେବୀ ମାଆ ସମଲେଇଙ୍କ ପୀଠରେ ଉଆଁସ ବଳି କାର୍ଯ୍ୟ ସମ୍ପନ୍ନ ହେବ । ପରେ ସହର ଉପକଣ୍ଠରେ ଥିବା ବୁଢ଼ାରଜା ପୀଠରେ ବୁଢ଼ାରଜା ବଳି କାର୍ଯ୍ୟ ହେବ । ଆଶ୍ବିନ ମହାଳୟାରୁ ପୂର୍ଣ୍ଣମୀ ଯାଏଁ ଏଠାରେ 16 ଦିନରେ 15 ଗୋଟି ବଳି କାର୍ଯ୍ୟ ସମ୍ପନ୍ନ କରାଯାଏ । ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ହେଉଥିବା ଏହି ବଳିଯାତ୍ରାରେ ଉଆଁସ ବଳି, ବୁଢ଼ାରଜା ବଳି, ନିଶା ବଳି, ଖଉଳଫିଟା ବଳି, ଡାଙ୍ଗୁଆ ବଳି, ଗାୟନ ବଳୀ, ମହାବଳୀ, ଦଶରା ବଳି ଓ ପୂର୍ଣ୍ଣମୀ ବଳି ପାଳନ କରାଯାଏ । ଦେବୀ ମାଆ ସମଲେଇ, ଦେବୀ ମାଆ ଖମ୍ବେଶ୍ବରୀ ଓ ଦେବୀ ମାଆ ସୁରେଶ୍ବରୀଙ୍କ ପୀଠକୁ ନେଇ ଏହି ବଳି ଯାତ୍ରା ପାଳନ କରାଯାଉଥିବା ବେଳେ 16 ଦିନ ଭିତରେ ବିଭିନ୍ନ ପୀଠରେ ସାତଗୋଟି ନିଶା ବଳି ପାଳନ କରାଯାଏ ।

ଏହା ମଧ୍ୟ ପଢନ୍ତୁ-ମହାଳୟାରୁ ଆରମ୍ଭ ହେବ ଐତିହାସିକ ବଳୀ ଯାତ୍ରା

ଅନେକ ଶକ୍ତି ପୀଠରେ ଆଶ୍ବିନ ମାସ ଶୁକ୍ଳ ପକ୍ଷରେ ପାଳନ କରାଯାଉଥିବା ବଳିଯାତ୍ରାରେ ବଳି କହିଲେ ଛାଗ, ମହିଷ ଅବା ବିଭିନ୍ନ ପକ୍ଷୀଙ୍କ ହତ୍ୟାକୁ ବୁଝାଇଥାଏ । ହେଲେ ସୋନପୁର ଗଡ଼ଜାତର ଐତିହାସିକ ବଳି ଯାତ୍ରାରେ ବଳି କହିଲେ ବରୁଆକୁ ହିଁ ବୁଝାଇଥାଏ । ବରୁଆ କହିଲେ ଯେଉଁ ଲୋକଟି ଦେହରେ ରାଜପୁରୋହିତ ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଦୈବୀଶକ୍ତି ପ୍ରକଟିତ କରିଥାଆନ୍ତି । ପୁରୋହିତଙ୍କ ତାନ୍ତ୍ରିକ ପୂଜା ଆରାଧନା ସହିତ ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ୱର ଷୋହଳ ବର୍ଣ୍ଣି ବାଦ୍ୟର ପ୍ରୟୋଗରେ ବରୁଆ ନିମ୍ନ ସମାଧୀ ସ୍ତରକୁ ଚାଲିଯାଏ । ଯନ୍ତ୍ରାଋଢ ବରୁଆ ଏକାଗ୍ରତା ଅବସ୍ଥାରୁ ନିମ୍ନ ସମାଧି ଅବା ସମୀକଳ୍ପ ସମାଧୀ ଅବସ୍ଥାକୁ ଚାଲିଯାଏ । ସମୀକଳ୍ପ ସମାଧୀ ଅବସ୍ଥାରେ ବରୁଆ ଶରୀରରେ କମ୍ପନ ସୃଷ୍ଟି ହୋଇଥାଏ । ପରେ ବରୁଆ ଧୀରେଧୀରେ ଷୋହଳ ବର୍ଣ୍ଣି ବାଦ୍ୟର ତାଳେତାଳେ ଉଦଣ୍ଡ ନୃତ୍ୟ କରେ ।

ତାନ୍ତ୍ରିକ ପଦ୍ଧତିରେ ଦେବୀ ମା' ଦୁର୍ଗା, ଭୁବନେଶ୍ବରୀ ଓ ମହାକାଳୀଙ୍କୁ ପୂଜା ଆରାଧନା କରିବା ପରେ ବଳୀ ପର୍ବ ପାଳନ କରାଯାଏ । ଉଡ୍ଡିୟାନ ତନ୍ତ୍ର ପୀଠର ଅନ୍ୟତମ ପ୍ରସିଦ୍ଧ ତନ୍ତ୍ରପୀଠ ଭାବେ ପରିଚିତ ସୋନପୁର ଗଡ଼ଜାତରେ ଏହି ବଳୀ ପରମ୍ପରା ବେଶ ପୁରୁୁଣା । ତେଣୁ ଏହି ଶକ୍ତିପୀଠକୁ ତନ୍ତ୍ରଶାଳାର ପ୍ରୟୋଗ ଶାଳା ଭାବେ ପ୍ରସିଦ୍ଧି ଲାଭ କରିଛି । ତେବେ ଏଥର ପାଗ ଶୁଖିଲା ଥିବାରୁ ଆସନ୍ତାକାଲି ଉଆଁସ ବଳୀ ଓ ବୁଢାରଜା ବଳୀ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.