ETV Bharat / state

କଲ୍ୟାଣ ମଣ୍ଡପ ଜାଗା ବିବାଦରୁ ସାମାଜିକ ବାସନ୍ଦ, କାର୍ଯ୍ୟାନୁଷ୍ଠାନ ପାଇଁ ଉଠିଲା ଦାବି

author img

By ETV Bharat Odisha Team

Published : Nov 22, 2023, 4:51 PM IST

କଲ୍ୟାଣ ମଣ୍ଡପ ଜାଗା ବିବାଦରୁ ସାମାଜିକ ବାସନ୍ଦ
କଲ୍ୟାଣ ମଣ୍ଡପ ଜାଗା ବିବାଦରୁ ସାମାଜିକ ବାସନ୍ଦ

କଲ୍ୟାଣ ମଣ୍ଡପ ପାଇଁ ଜାଗା ନଦେବାରୁ ସାମାଜିକ ବାସନ୍ଦ । ଗାଁ ଲୋକଙ୍କ ନାଁରେ ଏତଲା ଦେଲେ ପୀଡିତା । କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ଅଧିକ ପଢନ୍ତୁ

କଲ୍ୟାଣ ମଣ୍ଡପ ଜାଗା ବିବାଦକୁ ନେଇ ପରିବାରକୁ ସାମାଜିକ ବାସନ୍ଦ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ହରିହର ନଗର ଗାଁର ବୃଷଭ ସାହୁଙ୍କ ପରିବାରବର୍ଗଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗତ ଅକ୍ଟୋବର ଆଠ ତାରିଖରୁ ବୃଷଭଙ୍କ ପରିବାରକୁ ଗାଁର ନିଆଁ, ପାଣି, ରାସ୍ତା ଘାଟ ସହିତ ଦୋକାନ ବଜାରରୁ ବାସନ୍ଦ କରାଯାଇଛି । ଏନେଇ ବୃଷଭଙ୍କ ସପରିବାର ଜିଲ୍ଲାପାଳଙ୍କୁ ଦ୍ବିତୀୟ ଥର ସାକ୍ଷାତ କରି ସୂଚନା ଦେବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଗାଁରେ ନିର୍ମାଣାଧିକ କଲ୍ୟାଣ ମଣ୍ଡପ ଜାଗାକୁ ନେଇ ଗାଁଲୋକଙ୍କ ସହିତ ବୃଷଭଙ୍କ ବିବାଦ ହୋଇଥିଲା । ବୃଷଭଙ୍କ ଅଭିଯୋଗ ଅନୁଯାୟୀ ନିଜ ପୈତୃକ ଚାରି ଡିସିମିଲ ଜମି କଲ୍ୟାଣ ମଣ୍ଡପ ପାଇଁ ଗାଁ ଲୋକେ ତଥା କଲ୍ୟାଣ ମଣ୍ଡପ ଠିକାଦାର ମାଡି ବସିବାକୁ ନେଇ ବିବାଦ ଦେଖା ଦେଇଥିଲା । ବୃଷଭ ନିଜ ଜମିରେ ଘର ତିଆରି କରିବା ପାଇଁ ଯୋଜନା କରିଥିବା ବେଳେ ଗାଁର ପ୍ରାୟ 20ରୁ ଅଧିକ ଲୋକ ଜୋର ଜବରଦସ୍ତି ବୃଷଭଙ୍କ ଯାଗାରେ କଲ୍ୟାଣ ମଣ୍ଡପ ତିଆରି କରିବା ଆରମ୍ଭ କରିଛନ୍ତି । ବୃଷଭ ଏହି ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରୁ ଗାଁ ଲୋକେ ବୃଷଭଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ..18 ଘଣ୍ଟା ପଡିରହିଲା ବୃଦ୍ଧାଙ୍କ ମୃତଦେହ, ସ୍ବେଚ୍ଛାସେବୀ କଲେ ଅନ୍ତିମ ସଂସ୍କାର

ଏପରିକି ବୃଷଭଙ୍କ ପିଲାଛୁଆଙ୍କୁ ଗାଁରେ ଟିଉସନ ପଢାଇବା ଠାରୁ ଆରମ୍ଭ କରି ଗାଁ ଦୋକାନରୁ କିଛି କିଣିବା ପାଇଁ ମନା କରାଯାଇଥିବା କହିଛନ୍ତି ବୃଷଭ । ବୃଷଭ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ପ୍ରତିବାଦରେ ଡୁଙ୍ଗୁରିପାଲି ଥାନାରେ 22 ଜଣଙ୍କ ନାଁରେ ଲିଖିତ ଏତଲା ଦାୟର କରିଛନ୍ତି । ଏହା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

ତେବେ ଏହାପୂର୍ବରୁ ଗତ ଅକ୍ଟୋବର ନଅ ତାରିଖରେ ଡୁଙ୍ଗୁୁରିପାଲି ବ୍ଳକ କାର୍ଯ୍ୟାଳୟ ପରିସରରେ ହୋଇଥିବା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣୀ ଶିବିରରେ ଏନେଇ ଲିଖିତ ବୃଷଭ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଅଧିନସ୍ତ ରାଜସ୍ବ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡୁଙ୍ଗୁରିପାଲି ଥାନା ଅଧିକାରୀଙ୍କୁ ଏନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ବି ଦେଇଥିଲେ । ହେଲେ ଘଟଣାର ସମାଧାନ ନ ହେବା ସହିତ ଗାଁ ଲୋକେ ଶତ୍ରୁତା ଆଚରଣ କରି ସାମାଜିକ ବାସନ୍ଦ ବଜାୟ ରଖିବାରୁ ଆଜି ପୁଣି ବୃଷଭ ଜିଲ୍ଲାପାଳଙ୍କ ଆଗରେ ନିଜ ଦାବି ଉପସ୍ଥାପନ କରିଛନ୍ତି । ଜିଲ୍ଲାପାଳ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଅଧିନସ୍ତ କର୍ମଚାରୀଙ୍କୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.