ETV Bharat / state

ସୁବର୍ଣ୍ଣପୁର ଦୁର୍ଗାପୂଜା: ମହାନବମୀର ମହାବଳୀ ପର୍ବ

author img

By ETV Bharat Odisha Team

Published : Oct 23, 2023, 7:23 PM IST

ମହାନବମୀର ମହାବଳୀ ପର୍ବ ଆୟୋଜିତ
ମହାନବମୀର ମହାବଳୀ ପର୍ବ ଆୟୋଜିତ

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଜଗତଜନନୀ । ଏନେଇ ସୁବର୍ଣ୍ଣପୁର ଗଡଜାତର ଐତିହାସିକ ବଳୀଯାତ୍ରା ମହାନବମୀ ତିଥିର ମହାବଳୀ ଯାତ୍ରା ପାଳିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ମହାନବମୀର ମହାବଳୀ ପର୍ବ ଆୟୋଜିତ

ସୁବର୍ଣ୍ଣପୁର: ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଜଗତଜନନୀ । ମା'ଙ୍କ ଆଗମନରେ ସୃଷ୍ଟି ହୋଇଛି ଚଳଚଞ୍ଚଳ ପରିବେଶ । ଏନେଇ ସୁବର୍ଣ୍ଣପୁର ଗଡଜାତର ଐତିହାସିକ ବଳୀଯାତ୍ରା ମହାନବମୀ ତିଥିର ମହାବଳୀ ଯାତ୍ରା ପାଳିତ ହୋଇଯାଇଛି । ଗତକାଲି ରାତ୍ରୀର ଦ୍ବୀତିୟ ପ୍ରହରରୁ ମା' ଖମ୍ବେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଥିବା ଏହି ବଳୀଯାତ୍ରା ଆଜି ସକାଳ ପ୍ରାୟ 10 ଟା ସମୟରେ ମା' ସୁରେଶ୍ବରୀଙ୍କ ପୀଠରେ ସମାପନ ହୋଇଛି ।

ଗତକାଲି ନିଶାର୍ଦ୍ଧରେ ଦେବୀ ମା' ଖମ୍ବେଶ୍ବରୀ ପୀଠରେ ଆରମ୍ଭ ହୋଇଥିଲା ମହାନବମୀ ବଳୀ ପର୍ବ । ପ୍ରଥମ ପର୍ଯ୍ୟାୟରେ ଡାଙ୍ଗୁଆ ବଳୀ ଓ ଗାୟନ ବଳୀ କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାବଳୀ କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜପୁରୋହିତ ତାନ୍ତ୍ରୀକ ପଦ୍ଧତିରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ବଳୀ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଖମ୍ବେଶ୍ବରୀ ମନ୍ଦିର ସେବାୟତ, ବାଦ୍ୟକାର, ଚାରିଘରିଆ , ରାଜପୁରୋହିତ, ମାଳି, ତେଲି ଏବଂ ଛିପି ଆଦି ସଂପ୍ରଦାୟର ସମସ୍ତ ସେବାୟତ ସାମିଲ ହୋଇ ଖମ୍ବେଶ୍ବରୀ ମନ୍ଦିର ମୁଖଶାଳାରେ ବଳୀ କାର୍ଯ୍ୟ ସମ୍ପାଦନ କରିଥିଲେ ।

ତେବେ ଆଜି ସକାଳେ ମା' ମହାବଳୀ ମୁଖଶାଳାରୁ ବାହାରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ଦେବୋତ୍ତର କମିଟି ଓ ବଳୀଯାତ୍ରା କମିଟି ପକ୍ଷରୁ ଖମ୍ବେଶ୍ବରୀ ମନ୍ଦିର ବାହାରେ ଏଲଇଡି ମାଧ୍ୟମରେ ମନ୍ଦିର ମୁଖଶାଳାରେ ଆୟୋଜିତ ଡାଂଗୁଆ ବଳୀ, ଗାୟନ ବଳୀ ଓ ମହାବଳୀ ପର୍ବ ପ୍ରଦର୍ଶିତ କରାଯାଇଥିଲା । ଖମ୍ବେଶ୍ବରୀ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ବଳୀଯାତ୍ରା ଏଲଇଡି ମାଧ୍ୟମରେ ପ୍ରଦର୍ଶିତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ମହାନବମୀ ବଳୀର ମହାବଳୀ ପର୍ବରେ ସାମିଲ ହୋଇ ଦେବୀ କୃପା ଲାଭ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ମହାବଳୀ ମନ୍ଦିର ମୁଖଶାଳାରୁ ବାହାରି କଳା ଧଳା ଛତ୍ର ଧରି ନୃତ୍ୟ କରିଥିଲେ । ଦେବୀ ମା' ଖମ୍ବେଶ୍ବରୀ ପୀଠରେ ମହାବଳୀର ନୃତ୍ୟ ପରେ ସେବାୟତଙ୍କ ଗହଣରେ ମହାବଳୀ ଦେବୀ ମା' ସୁରେଶ୍ବରୀ ମନ୍ଦିରକୁ ପ୍ରସ୍ଥାନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ସୁବର୍ଣ୍ଣପୁରର ଐତିହାସିକ ମହାବଳୀ ଯାତ୍ରା; ସମ୍ପନ୍ନ ହେଲା ଉଁଆସ ବଳି କାର୍ଯ୍ୟ

ମହାବଳୀ ଦେବୀ ମା' ସୁରେଶ୍ବରୀଙ୍କ ଦର୍ଶନ ପରେ ରାଜ ପୁରୋହିତଙ୍କ ମହାବଳୀର ଚୁଳ ବନ୍ଧନରେ ମହାବଳୀ ପର୍ବର ସମାପ୍ତି ହୋଇଥିଲା । ତେବେ ମହାବଳୀ ଯାତ୍ରାର ଶୃଙ୍ଖଳିତ ଦର୍ଶନ ପାଇଁ ଦେବୋତ୍ତର କମିଟି, ମହାବଳୀ ଯାତ୍ରା କମିଟି ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ରାତି ତମାମ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା । ମହାନବମୀର ମହାବଳୀ ପର୍ବର ପରିସମାପ୍ତି ପରେ ଆଜି ମଧ୍ୟ ରାତ୍ରରେ ଦଶହରା ବଳୀ ଓ ଅନ୍ତିମରେ ପୂର୍ଣ୍ଣମୀ ବଳୀର ଆୟୋଜନରେ ବଳୀଯାତ୍ରା ପର୍ବର ପୂର୍ଣ୍ଣାହୂତି ହେବ ।

ଇଟିବି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.