ETV Bharat / state

ଉଦଘାଟିତ ହେବ ସମଲେଇ ପ୍ରକଳ୍ପ, କାର୍ଯ୍ୟ ସମ୍ପୂର୍ଣ୍ଣତାକୁ ନେଇ ଅନିଶ୍ଚିତତା

author img

By ETV Bharat Odisha Team

Published : Jan 10, 2024, 8:31 PM IST

ଉଦଘାଟିତ ହେବ ସମଲେଇ ପ୍ରକଳ୍ପ , କାର୍ଯ୍ୟ ସମ୍ପୂର୍ଣ୍ଣତାକୁ ନେଇ ପ୍ରଶ୍ନ
ଉଦଘାଟିତ ହେବ ସମଲେଇ ପ୍ରକଳ୍ପ , କାର୍ଯ୍ୟ ସମ୍ପୂର୍ଣ୍ଣତାକୁ ନେଇ ପ୍ରଶ୍ନ

Samaleswari Project: ଆସନ୍ତା 27 ତାରିଖରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଉଦଘାଟନ କରିବେ । ଏହାରି ଭିତରେ ପ୍ରକଳ୍ପର ସମ୍ପୂର୍ଣ୍ଣତାକୁ ନେଇ ପ୍ରଶ୍ନ କରିଛି ବିଜେପି । ଅଧିକ ପଢନ୍ତୁ

ଉଦଘାଟିତ ହେବ ସମଲେଇ ପ୍ରକଳ୍ପ , କାର୍ଯ୍ୟ ସମ୍ପୂର୍ଣ୍ଣତାକୁ ନେଇ ପ୍ରଶ୍ନ

ସମ୍ବଲପୁର: ଆସନ୍ତା 27 ତାରିଖରେ ସମ୍ବଲପୁର ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମଲେଇ ଯୋଜନାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପର କାର୍ଯ୍ୟ ସମ୍ପର୍ଣ୍ଣ ହେବ ନା ନାହିଁ ସେନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ମୁଖ୍ୟତଃ ବର୍ତ୍ତମାନର ସ୍ଥିତିକୁ ଦେଖିଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ନାହିଁ ବୋଲି କେତେକ ଲୋକ କହୁଥିବା ବେଳେ କିନ୍ତୁ ସମ୍ବଲପୁର ମହାନଗର ନିଗମର କମିଶନର ବେଦ ଭୂଷଣ ଏହା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସରିଯିବ ବୋଲି ଆଶା ପ୍ରକାଶ କରିଛନ୍ତି । ଏଥିପାଇଁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଛି ।

ତେବେ ସମଲେଇ ଯୋଜନାର ନିର୍ମାଣ କାର୍ଯ୍ୟ ଏବେ ମଧ୍ୟ ବହୁତ ବାକି ଥିବାପରି ଲାଗୁଛି । ତେବେ ଏନେଇ ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ହୀରାଲାଲ ବେହେରା କହିଛନ୍ତି ଯେ, ସମଲେଇ ଯୋଜନାର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆଗକୁ ଦ୍ଵିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହାସହ 27 ତାରିଖ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଯିବ ।


ଅନ୍ୟପଟେ ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି କହିଛନ୍ତି ଯେ, ନିକଟ ଅତୀତରେ ରାଜ୍ୟ ସରକାର ଯେଉଁ ସବୁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ତାହା ସବୁ ନିର୍ବାଚନକୁ ଆଖି ଆଗରେ ରଖି କରିଛନ୍ତି । ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ଶୁଭାରମ୍ଭ କରୁଛନ୍ତି l ଆଉ ଏହା ଦ୍ୱାରା ତରବରିଆ ଭାବେ ନିମ୍ନ ମାନର କାମ ହେଉଛି । ତେଣୁ ଭବିଷ୍ୟତରେ ସେ ଉନ୍ନତମାନର କାର୍ଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ।


ଅନ୍ୟପଟେ ସମ୍ବଲପୁର ମହାନଗର ନିଗମର କମିଶନର ବେଦ ଭୂଷଣ କହିଛନ୍ତି ଯେ ମନ୍ଦିର ପାରିପାର୍ଶ୍ଵିକ କାମ ଶେଷ ପର୍ଯ୍ୟାୟରେ ରହିଛି । କନଷ୍ଟ୍ରକ୍ସନ ସାଇଟରେ ଦ୍ବିତୀୟ ସ୍ତର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ରିଭର ଫ୍ରଣ୍ଟ ସାଇଟ ଅଞ୍ଚଳରେ 3ଟି ଜୋନ ଥିବାବେଳେ ଆଗାମୀ କିଛି ଦିନ ଭିତରେ କାର୍ଯ୍ୟ ଶେଷ ହୋଇଯିବ । ଫୁଟ ଓଭର ବ୍ରିଜର ଫେବ୍ରିକେସନ ରେଡି ହୋଇ ସାରିଛି । କିଛି ଦିନ ପରେ ତାକୁ ଇନଷ୍ଟଲ କରି ଦିଆଯିବ ।


ଏହା ମଧ୍ୟ ପଢନ୍ତୁ.....୧୧ସୁଦ୍ଧା ସରିବ ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ; ତଦାରଖ କଲେ କେନ୍ଦ୍ରାଞ୍ଚଳ ଆରଡିସି

ସୂଚନାଯୋଗ୍ୟ ସମଲେଇ ଯୋଜନାକୁ ରାଜ୍ୟ ସରକାର 21 ଫେବୃଆରୀ 2021ରେ ଘୋଷଣା କରିଥିଲେ । ଏଥିପାଇଁ 200 କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ଏହି ଯୋଜନାରେ ମନ୍ଦିର ନିକଟ 108 ଏକର ପରିମିତ ଜମିର ବିକାଶ କରାଯାଉଛି । ଯୋଜନା ମୁତାବକ ମନ୍ଦିର ଚତୁପାର୍ଶ୍ଵରେ ସୁଉଚ୍ଚ ତୋରଣ, ଐତିହାସିକ କରିଡର, ଶୌଚାଳୟ, ଭକ୍ତଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବା ସହ ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଂ ଜୋନର ବିକାଶ କାର୍ଯ୍ୟ ଜାରି ରହିଛି । ଏହାସହ ମହାନଦୀ ଘାଟର ଉନ୍ନତିକରଣ ଓ ମହାନଦୀ ଆଳତୀ ବ୍ୟବସ୍ଥା, 22 ଏକର ଆଦ୍ରଭୂମି, ରିଙ୍ଗ ରୋଡ଼ ସୌନ୍ଦର୍ଯ୍ୟକରଣ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ ହେଉଛି । ଏଭଳି ସ୍ଥଳରେ ନିକଟରେ ଥିବା ଘୁନଘୁଟିପଡାକୁ ଉଚ୍ଛେଦ କରାଯାଇଥିବା ବେଳେ 220 ପରିବାରଙ୍କୁ ବିସ୍ଥାପିତ କରାଯାଇ ଥଇଥାନ କରାଯାଇଛି ।


ଇଟିଭା ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.