ETV Bharat / state

୧୧ସୁଦ୍ଧା ସରିବ ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ; ତଦାରଖ କଲେ କେନ୍ଦ୍ରାଞ୍ଚଳ ଆରଡିସି

author img

By ETV Bharat Odisha Team

Published : Jan 9, 2024, 6:37 PM IST

Puri Parikrama Project: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ମଙ୍ଗଳବାର ପୁରୀ ଗସ୍ତରେ ଆସି କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ ପରିକ୍ରମା ପ୍ରକଳ୍ପ ସମେତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରି 11 ତାରିଖ ରାତି ସୁଦ୍ଧା ସମସ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

୧୧ ସୁଦ୍ଧା ସରିବ ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ
୧୧ ସୁଦ୍ଧା ସରିବ ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ

୧୧ ସୁଦ୍ଧା ସରିବ ପରିକ୍ରମା ପ୍ରକଳ୍ପ ପ୍ରସ୍ତୁତି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରସ୍ତୁତି କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିବାକୁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହା ପୂର୍ବରୁ ପୁରୀକୁ ଲାଗି ରହିଛି ସଚିବ ମାନଙ୍କ ଘନ ଘନ ଗସ୍ତ । ଏହାରି ଭିତରେ ଆଜି (ମଙ୍ଗଳବାର) ପୁରୀ ଗସ୍ତରେ ଆସି କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ଶ୍ରୀସେତୁ ଓ ସମଙ୍ଗ ପାର୍କିଂର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ତେବେ ସମସ୍ତ ନିର୍ମାଣ କାର୍ଯ୍ୟ ୧୧ ତାରିଖ ରାତି ସୁଦ୍ଧା ସାରିବାକୁ କେନ୍ଦ୍ରାଞ୍ଚଳ ଆରଡିସି ଓବିସିସି ଏବଂ ଟାଟା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଶ୍ରୀମନ୍ଦିର ଚାରିଦ୍ଵାରରେ ବେଦ ପାଠ କରାଯିବ । ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉଥିବା ବେଳେ ଐଶାନ୍ୟ କୋଣରେ ଯଜ୍ଞ ମଣ୍ଡପର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦେଶ ବିଦେଶରୁ ଅନେକ ଅତିଥି ଆସିବାକୁ ଥିବାରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୨ ତାରିଖରୁ ଗଜପତିଙ୍କ ଦ୍ବାରା ବ୍ରାହ୍ମଣ ବରଣ ସହ ଅଙ୍କୁରାରୋପଣ, ୧୩ରେ ଅଙ୍କୁର ପୂଜନ, ୧୪ରେ ମଣ୍ଡପ ସ୍ଥାପନ ସହ ଅଙ୍କୁର ପୂଜନ, ୧୫ରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ୧୬ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ଆରତି, ପୁଷ୍ପାଞ୍ଜଳି ସହ ୧୭ ତାରିଖ ୧ଟା ୩୦ ରୁ ୨ଟା ୨୫ ମଧ୍ୟରେ ଯଜ୍ଞରେ ପୂର୍ଣ୍ଣାହୁତି ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ ଉତ୍ସବ; ପାରମ୍ପରିକ ଚିତ୍ରକଳା ଓ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଶ୍ରୀକ୍ଷେତ୍ର

ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ମଠ ଓ ମନ୍ଦିର ଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା ବେଶ ଆକର୍ଷଣୀୟ ହୋଇଛି । ସେହିପରି ପୁରୀ ପୌରପାଳିକା ପକ୍ଷରୁ ସହରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବିଭିନ୍ନ ସ୍ଥାନରେ ପାରମ୍ପରିକ ଚିତ୍ରକଳା ସହ ରଙ୍ଗୀନ ଆଲୋକମାଳାରେ ସଜେଇ ଦିଆଯାଉଛି । ମନ୍ଦିର ଚତୁଃପାର୍ଶ୍ବକୁ ବିଭିନ୍ନ ଆକର୍ଷଣୀୟ ଫୁଲ ଗଛରେ ମଧ୍ୟ ସଜା ଯାଇଛି । ଫଳରେ ଭକ୍ତମାନେ ଏକ ନୂଆ ଅନୁଭୂତି ନେଇ ଫେରିବେ ବୋଲି ପୌରପାଳିକା ଅଧିକାରୀ କହିଛନ୍ତି । ଦେଶ ବିଦେଶରୁ ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ଅତିଥି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରିତ ହୋଇଥିବାରୁ ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ପୂର୍ଣ୍ଣ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସହରର ପ୍ରମୁଖ ସ୍ଥାନରେ ବ୍ୟାପକ ଭାବେ ସିସିଟିଭି ଲଗାଯାଇ କଡ଼ା ନଜର ରଖିଛି ପୋଲିସ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.