ETV Bharat / state

ଚାଲି ଚାଲି ବିଶ୍ବବିଦ୍ୟାଳୟ ଯିବେ ଭିସୁଟ ଛାତ୍ରଛାତ୍ରୀ, ଆସିଲା କୂଳପତିଙ୍କ ନୋଟିସ୍‌

author img

By

Published : Jul 13, 2023, 4:19 PM IST

VSSUT campus
VSSUT campus

ସମ୍ବଲପୁର ବୁର୍ଲା ଭିସୁଟ ଛାତ୍ରଛାତ୍ରୀ ଆଉ ନିଜ ପାଖରେ ରଖିପାରିବେନି ବାଇକ କି କାର । ନୋଟିସ ଜାରି କଲେ ନିର୍ଦ୍ଦେଶ ଦେଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଚାଲି ଚାଲି ବିଶ୍ବବିଦ୍ୟାଳୟ ଯିବେ ଭିସୁଟ ଛାତ୍ରଛାତ୍ରୀ, ଆସିଲା କୂଳପତିଙ୍କ ନୋଟିସ୍‌

ସମ୍ବଲପୁର: ଏଣିକି ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟକି ବିଶ୍ବବିଦ୍ୟାଳୟ (VSSUT)ର ଛାତ୍ରଛାତ୍ରୀ ଚାଲି ଚାଲି କିମ୍ବା ସାଇକେଲରେ ଯିବେ କଲେଜ । ହଷ୍ଟେଲରୁ ଶିକ୍ଷା ଅନୁଷ୍ଠାନ କ୍ୟାମ୍ପସ ପର୍ଯ୍ୟନ୍ତ ଚାଲି ଚାଲି ଯିବା ଆସିବା କରିବେ । କାରଣ ଭିସୁଟରେ ଛାତ୍ରଛାତ୍ରୀଙ୍କୁ ବାଇକ କିମ୍ବା ଚାରି ଚକିଆ ଯାନ ରଖିବା ଲାଗି ବାରଣ କରାଯାଇଛି । ବିଶ୍ବବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟି କିଛି ଛାତ୍ରଛାତ୍ରୀଙ୍କ ପ୍ରାଣହାନି ଘଟିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି ।

ଏନେଇ ଭିସୁଟ କୂଳପତି ବଂଶୀଧର ମାଝୀ କହିଛନ୍ତି, " ଭିସୁଟରେ ସବୁ ହଷ୍ଟେଲରେ ଦୂରତା ଶିକ୍ଷା ଅନୁଷ୍ଠାନ ଠାରୁ ମାତ୍ର 1 କିଲୋମିଟର । ତେଣୁ ଛାତ୍ରଛାତ୍ରୀ ଆରାମରେ ଚାଲି ଚାଲି ଅଥବା ସାଇକେଲରେ ଆସି ପାରିବେ । ଏହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟ ଭଲ ରହିବ । ଏହାଦ୍ବାରା ଭିସୁଟ କ୍ୟାମ୍ପସ ପ୍ରଦୂଷଣ ମୁକ୍ତ ହେବ । ଅନ୍ୟପଟେ ଅଧିକ ସଂଖ୍ୟକ ବାଇକ ଅଥବା କାର ଭିସୁଟ କ୍ୟାମ୍ପସକୁ ଆସିଲେ ପାର୍କିଂରେ ସମସ୍ୟା ହେଉଥିଲା । ବାଇକ ବ୍ୟବହାର କାରଣରୁ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟୁଥିଲା । ଏହାକୁ ରୋକିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି ।"

ଏହା ବି ପଢନ୍ତୁ- VSSUT ହେବ ରୂପାନ୍ତରିକରଣ, ୫ ବର୍ଷରେ ଖର୍ଚ୍ଚ ହେବ ୨୦୦୦ କୋଟି

ଛାତ୍ରଛାତ୍ରୀଙ୍କ ପାଖରେ ବାଇକ, ଚାରି ଚକିଆ ଯାନ ରହିଲେ ସେମାନେ ବିଳମ୍ବିତ ରାତିରେ ଆଖପାଖରେ ଢାବା ଓ ହୋଟେଲକୁ ଖାଇବାକୁ ଯାଇ ଫେରିବା ବେଳେ ରାଜରାସ୍ତାରେ ଦୁର୍ଘଟଣାର ଶିକାର ହେଉଥିଲେ । ବିଭିନ୍ନ ସମୟରେ ବାଇକରେ ରାତି ସମୟରେ ଏଣେତେଣେ ବୁଲି କେତେକ ଛାତ୍ରଛାତ୍ରୀ ନିଜର ଜୀବନ ହେରାଇଥିବା ନଜିର ରହିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସ୍ବାଗତ କରାଯାଇଛି । ତେବେ ଆଖପାଖ ଟାଉନରୁ ଯେଉଁ ଛାତ୍ରଛାତ୍ରୀ ଯିବା ଆସିବା କରୁଛନ୍ତି ସେମାନଙ୍କ ପାଇଁ ଆଗକୁ ବ୍ୟବସ୍ଥା କରାଯିବାର ଯୋଜନା ଥିବାର ସୂଚନା ଦିଆଯାଇଛି ।

ବିଶ୍ବବିଦ୍ୟାଳୟ ପରିସର ମଧ୍ୟକୁ ଗାଡ଼ି ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେମାନେ ନିଜ ଦାୟିତ୍ବରେ ଗାଡ଼ି ରଖିବା ବ୍ୟବସ୍ଥା ଅନ୍ୟତ୍ର କରିବେ ବୋଲି କୁହାଯାଇଛି । ଉପରୋକ୍ତ ନିର୍ଦ୍ଦେଶକୁ ଅବମାନନା କଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିସୁଟ କର୍ତ୍ତୃପକ୍ଷ କହିଛନ୍ତି । ଯେଉଁମାନେ ବୁର୍ଲା ସହର ବାହାରେ ରହୁଛନ୍ତି ସେମାନେ ସର୍ବସାଧାରଣ ପରିବହନ ସୁବିଧା ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.