ETV Bharat / state

ଦଶନ୍ଧିର ଦୁଃଖ, ଘରଡିହ ପାଇଁ ଆଜି ବି ସଂଘର୍ଷରତ ହୀରାକୁଦ ବିସ୍ଥାପିତ

author img

By ETV Bharat Odisha Team

Published : Sep 30, 2023, 9:41 PM IST

Etv Bharat
Etv Bharat

ଭିଟାମାଟି ଛାଡିବାକୁ ପୁରିଲାଣି ଦଶନ୍ଧି । ହେଲେ ଆଜି ବି ନିଜ ହକ୍‌ ପାଇଁ ସଂଘର୍ଷରତ ହୀରାକୁଦ ବିସ୍ଥାପିତ । ଅଧିକ ପଢନ୍ତୁ

ଦଶନ୍ଧିର ଦୁଃଖ, ଘରଡିହ ପାଇଁ ଆଜି ବି ସଂଘର୍ଷରତ ହୀରାକୁଦ ବିସ୍ଥାପିତ

ସମ୍ବଲପୁର: ଆଜି ବି ସଂଘର୍ଷରତ ହୀରାକୁଦ ବିସ୍ଥାପିତ । ରାଜ୍ୟର ବିକାଶ ପାଇଁ ନିଜ ଘରଡ଼ିହକୁ ସରକାରଙ୍କୁ ଟେକିଦେଇଥିଲେ କାହିଁ କେତେ ଯେ ପରିବାର । ସେତେବେଳେ ଘରଡ଼ିହ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିଲେ ସରକାର । ହେଲେ ଇତିମଧ୍ୟରେ ବିତିଗଲାଣି ଅନେକ ବର୍ଷ । ନିଜର ଭିଟାମାଟି, ଗାଁକୁ ହରେଇ ଆଜି ବି ସଂଘର୍ଷ କରୁଛନ୍ତି ହୀରାକୁଦ ବିସ୍ଥାପିତ । ବିସ୍ଥାପିତ ପରିବାରକୁ ପ୍ରତିଶ୍ରୁତି ମୁତାବକ 10 ଡିସିମିଲ ଘରଡିହ ଜମି ମିଳିନଥିବା ଅଭିଯୋଗ ହେଉଛି । ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ସମ୍ବଲପୁର ବହୁମୁଖୀ ହୀରାକୁଦ ନଦୀବନ୍ଧ ଯୋଜନା l 1957 ମସିହା ଜାନୁଆରୀ 13 ତାରିଖ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହୁରୁ ଏହାକୁ ଲୋକାର୍ପିତ କରି ଥିଲେ l ସେହି ଦିନ ଠାରୁ ଏହା ରାଜ୍ୟର ବନ୍ୟା ନିୟନ୍ତ୍ରଣ ରେ ପ୍ରମୁଖ ଭୂମିକା ନିଭେଇବା ସହ ଜଳ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ କରି ଆସୁଛି l ତେବେ ଏହି ପ୍ରକଳ୍ପ ପାଇଁ କେତେଯେ ପରିବାର ବିଭାଜିତ ହୋଇଗଲା, କେତେ ଗାଁ ଜଳମଗ୍ନ ହୋଇଗଲା, କେତେ ଲୋକ ବିସ୍ଥାପିତ ହୋଇଗଲେ ତାହା ବହୁତ କମ ଲୋକଙ୍କୁ ଜଣା l ହୀରାକୁଦ ନଦୀବନ୍ଧ ଯୋଗୁଁ ସେତେବେଳେ 26500 ପରିବାର ବିସ୍ଥାପିତ ହୋଇଗଲେ l

ଏହା ବି ପଢନ୍ତୁ- ଦଶନ୍ଧିର ଦୁଃଖ, ସିଂହାସନ ଛାଡି କୁଡିଆ ଘରେ ବିସ୍ଥାପିତ ଠାକୁର

ଲୋକଙ୍କୁ ଜୋର ଜବରଦସ୍ତ ତାଙ୍କ ଘରୁ ବାହାର କରି ଅନ୍ୟତ୍ର ଛାଡି ଦିଆଗଲା l ଆଉ ସେହି ଦିନ ଠାରୁ ଏହି ବିସ୍ଥାପିତ ଙ୍କ ସଂଘର୍ଷ ଆରମ୍ଭ ହୋଇଥିଲା l ଶହ ଶହ ଏକର ଜମିର ମାଲିକ ଏବେ 10 ଡ଼ିସିମିଲ ଘର ଡିହ ଜମି ପାଇଁ ସଂଘର୍ଷ କରି ଆସୁଛି l ଏହି ବିସ୍ଥାପିତ ପରିବାର ସବୁ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁର ରେ ରହି ଆସୁଛନ୍ତି l ବିଭିନ୍ନ ସମୟରେ ଏହି ବିସ୍ଥାପିତ ପରିବାର ଲୋକେ ସମ୍ବଲପୁର ଜିଲ୍ଲାପାଳ ଓ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କୁ କେଵଳ ପ୍ରତିଶୃତି ହିଁ ମିଳିଛି l

ଏହା ବି ପଢନ୍ତୁ- Hirakud Dam: 65 ବର୍ଷର ସଂଘର୍ଷ, ଆଜି ବି ଥଇଥାନ-କ୍ଷତିପୂରଣ ଅପେକ୍ଷାରେ ବିସ୍ଥାପିତ

ଗତବର୍ଷ ଅକ୍ଟୋବର 1 ତାରିଖରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ନେତୃତ୍ବରେ ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଓ ସୁନ୍ଦରଗଡ଼ ଅଞ୍ଚଳର ବିସ୍ଥାପିତମାନେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ 15 ଦିନ ଭିତରେ 50ଟି ପରିବାରକୁ ଘରଡିହ ଜମି ଦେବାକୁ ପ୍ରତିଶୃତି ଦିଆଯାଇଥିଲା । ତେବେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ଲୋକଙ୍କୁ ପଟା ଦିଆଯାଇନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ । ତେଣୁ ପୁଣି ଥରେ ଏଥର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ଉତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ଏହା ବି ପଢନ୍ତୁ- ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଆମରଣ ଅନଶନ

ସମିତି ଅଭିଯୋଗ କରିଛି ଯେ 2002 ମସିହାରେ ମୁଖ୍ୟମନ୍ତ୍ରୀ ହୀରାକୁଦ ବିସ୍ଥାପିତଙ୍କୁ 10 ଡିସିମିଲ ଲେଖାଏଁ ଘର ଡିହ ଜମି ଦେବାକୁ ଘୋଷଣା କରିଥିଲେ । ତେବେ ଆଜି ମଧ୍ୟ ବହୁ ଲୋକଙ୍କ ଆବେଦନ ପତ୍ର ତହସିଲ ଅଫିସଗୁଡିକରେ ପଡି ରହିଛି । ଅନ୍ୟପଟେ ପୁଣି ଏଥର ଗତ ସେପ୍ଟେମ୍ବର 4 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରତିଶୃତିକୁ ଦୋହରାଇଛନ୍ତି । ଏଭଳି ସ୍ଥିତିରେ ଯଥାଶୀଘ୍ର ବିସ୍ଥାପିତ ପରିବାର ଲୋକଙ୍କୁ ଘରଡ଼ିହ ଜମି ଦିଆ ନଗଲେ ଆମରଣ ଅନଶନ କରାଯିବ ବୋଲି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ଲୋକନାଥ ସାହୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.