ETV Bharat / state

ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, 4 ଅଗ୍ନିଶମ କର୍ମଚାରୀ ଆହତ

author img

By

Published : Mar 1, 2023, 1:57 PM IST

ନିଆଁ ଲିଭାଇବା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର । ଏହି ଅଘଟଣ ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଚାଆରପୁର ଅଞ୍ଚଳରେ ହୋଇଛି । ଅଧିକ ପଢନ୍ତୁ

Firefighter injured in sambalpur
Firefighter injured in sambalpur

Firefighter injured in sambalpur

ସମ୍ବଲପୁର: ନିଆଁ ଲିଭାଇବା ବେଳେ ଅଘଟଣ । ଗ୍ୟାସ ଟ୍ୟାଙ୍କି ବିସ୍ଫୋରଣ ଘଟି ୪ ଅଗ୍ନିଶମ ବିଭାଗ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି । ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଚାଆରପୁର ଅଞ୍ଚଳରେ ଏହି ଅଘଟଣ ହୋଇଛି । ୪ଜଣ କର୍ମଚାରୀଙ୍କ ମଧ୍ୟରୁ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆଜି ସକାଳେ ଏହି ଅଘଟଣ ହୋଇଥିବା ବେଳେ ସମ୍ବଲପୁର ଅଗ୍ନିଶମ ବିଭାଗର ଫାୟାର ଅଫିସର ଜିତେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି ।

ସମ୍ବଲପୁର ସହରର ଦ୍ଵିତୀୟ ମହାନଦୀ ସେତୁ ଆରପଟ ବୁର୍ଲା ଥାନା ଅନ୍ତର୍ଗତ ଚାଁଆରପୁର ଛକ ନିକଟରେ ଏକ ଚା’ ଦୋକାନରେ ନିଆଁ ଲାଗି ଯାଇଥିବା ବେଳେ ସମ୍ବଲପୁର ଅଗ୍ନିଶମ ବିଭାଗର ଏକ ଟିମ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି ସମୟରେ ହଠାତ୍‌ ଗ୍ୟାସ ଟାଙ୍କି ବିସ୍ଫୋରଣ ହୋଇଥିଲା । ଫଳରେ ୪ ଜଣ କର୍ମଚାରୀ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ 2 ଜଣଙ୍କୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣକୁ ବୁର୍ଲା ଭୀମସାର ମେଡିକାଲକୁ ପଠାଯାଇଛି l

ଅନ୍ୟଜଣକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଦୋକାନଟି ଛିନଛତ୍ର ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଦୋକାନର ଭଗ୍ନାବଶେଷ ଏଣେ ତେଣେ ପଡି ରହିଥିବା ଦେଖିବାକୁ ମିଳିଛି । ଗ୍ୟାସ ଟ୍ୟାଙ୍କର ଶବ୍ଦରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଅଞ୍ଚଳ ଛାଡି ବହୁ ଦୂରକୁ ପଳାଇଥିଲେ । ଆହତ ଅଗ୍ନିଶମ କର୍ମଚାରୀଙ୍କ ପିଠି, ଜଙ୍ଘ, ହାତ ଆଦି ସ୍ଥାନ ପୋଡି ଯାଇଥିବା ସହ ଗଭୀର ଆଘାତ ଲାଗିଛି । ଆହତ ମାନେ ହେଲେ LFM ରଘୁମଣୀ କାଲୋ, ଫାୟାର ମ୍ୟାନ 3660 ଅଜୟ ମିଞ୍ଚ, ଫାୟାର ମ୍ୟାନ 0886 ରତିକାନ୍ତ ମାଝୀ, ଫାୟାର ମ୍ୟାନ 1089 ଶ୍ରୀକାନ୍ତ ମଲ୍ଲିକ ।

ସୂଚନା ଯୋଗ୍ୟ ଯେ, ମହାନଦୀର ଦ୍ୱିତୀୟ ସେତୁ ତିଆରି ହେବା ପରେ ଏହି ଚାଁଆରପୁର ଅଞ୍ଚଳରେ ରାସ୍ତା କଡରେ ବହୁଗୁଡିଏ ଦୋକାନ ନୂତନ ଭାବେ ଖୋଲିଛି l ମୁଖ୍ୟତଃ ଏହି ଅଞ୍ଚଳରେ ସକାଳ ସଞ୍ଜ ବେଳାରେ ଛାତ୍ରଛାତ୍ରୀଙ୍କ ଚା’ ଦୋକାନରେ ଭିଡ଼ ଦେଖିବାକୁ ମିଳିଥାଏ l ତେବେ ଆଜିର ଏହି ଅଗ୍ନି ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏନେଇ ଅଗ୍ନିଶମ ବିଭାଗ ପ୍ରାଥମିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ବୁର୍ଲା ପୋଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.