ETV Bharat / state

ଗୋଟିଏ ପଡିଆରେ ଦୁଇଟି କାର୍ଯ୍ୟକ୍ରମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

author img

By

Published : Apr 7, 2023, 1:44 PM IST

press meet
press meet

ଜିସିଡି ପଡିଆରେ ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଭୀମରାଓ ଅମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଓ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଅଧିକ ପଢନ୍ତୁ

press meet

ରାୟଗଡା: ଜିସିଡି ପଡିଆରେ ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଭୀମରାଓ ଅମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଓ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ବିବାଦ । ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ଦ୍ୱାରା ସ୍ଥାନୀୟ ଜିସିଡି ଉଚ୍ଚ ବିଦ୍ୟାଳୟ ପଡିଆରେ ପଣା ସଂକ୍ରାନ୍ତି ତଥା ହିନ୍ଦୁ ନବବର୍ଷ ପାଳନ ଉପଲକ୍ଷେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ହେଲେ ଅପରପକ୍ଷେ ଉକ୍ତ ସ୍ଥାନରେ ଭୀମରାଓଙ୍କ ଜନ୍ମ ଜୟନ୍ତୀ ପାଳନ ସକାଶେ ଅମ୍ବେଦକର ଜୟନ୍ତୀ ସମାରୋହ କମିଟି ପକ୍ଷରୁ ସେହି ଦିନ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଗୋଟିଏ ସ୍ଥାନରେ ଦୁଇଟି କାର୍ଯ୍ୟକ୍ରମ କିଭଳି ଆୟୋଜନ ହେବ ସେନେଇ ଉଭୟଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି ଉପୁଜିଛି ।

ତେବେ ଗତକାଲି ଜିସିଡି ବିଦ୍ୟାଳୟ ପଡିଆ ଠାରେ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ଦ୍ୱାରା ଆସନ୍ତା ୧୪ରିଖରେ ହେବାକୁ ଥିବା କାର୍ଯ୍ୟକ୍ରମ ସକାଶେ ଭୂମି ପୂଜନ ଆୟେଜିତ ହୋଇଯାଇଛି । ଏହି ଅବସରରେ କମିଟି ସଦସ୍ୟ ପୂର୍ବତନ ପୌରଉପାଧ୍ୟକ୍ଷ ଡଃ. ନିରଞ୍ଜନ ବକ୍ସିପାତ୍ର, ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ ପାଢୀ, ଶିବାଜୀ ଦାଶ, ବସନ୍ତ ଉଲାକା, ପଦ୍ମନାଭ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଅନ୍ୟପଟେ ଭାରତରତ୍ନ ଭୀମରାଓଙ୍କ ଜନ୍ମ ଜୟନ୍ତୀ ଅନୁରୂପ ୧୪ରିଖରେ ଥିବାରୁ ଉକ୍ତ ଦିନ ଅମ୍ବେଦକର ଜୟନ୍ତୀ ସମାରୋହ କିମିଟି ଦ୍ୱାରା ଏହି ସ୍ଥାନରେ ସମ୍ବିଧାନ ପ୍ରଣେତାଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ନେଇ ସ୍ଥିର ହୋଇଛି । ଏନେଇ କମିଟି ସଭାପତି ଗଙ୍ଗାଧର ପୁଆଲା ଗତକାଲି ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଏଥିସହିତ ସେ କହିଛନ୍ତି, ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଅମ୍ବେଦକରଙ୍କ ଜୟନ୍ତୀ ପାଳନ ପାଇଁ ଜିଲ୍ଲା ପ୍ରଶାସନଠୁ ଅନୁମତି ମାଗିଥିବାବେଳେ ଜିଲ୍ଲାପାଳ ସ୍ୱଧାଦେବ ସିଂ ସିଧାସଳଖ ମନା କରିଛନ୍ତି । ତେବେ ଉଭୟ ପକ୍ଷରୁ ମାର୍ଚ୍ଚ ୩୧ରିଖ ଦିନ ଦରଖାସ୍ତ ଯୋଗେ ନିବେଦନ କରିଥିବା ସ୍ଥଳେ ଉକ୍ତ ଗୋଷ୍ଠୀକୁ କେଉଁ ଆଧାରରେ ଅନୁମତି ପ୍ରଦାନ କରାଗଲା ବୋଲି ପୁଆଲା ପ୍ରଶ୍ନ କରିଛନ୍ତି । ଜିଲ୍ଲାପାଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଚାପରେ ଆସି ଏଭଳି ନିଷ୍ପତ୍ତି ନେଇଥିବା କମିଟି ତରଫରୁ ଅଭିଯୋଗ ହୋଇଛି । ତେବେ ଓଡିଆ ହିନ୍ଦୁ ପରମ୍ପରାରେ ପଣା ସଂକ୍ରାନ୍ତି ତଥା ନବ ବର୍ଷର ସତନ୍ତ୍ର ସ୍ଥାନ ଅଛି । ଗୋଟିଏ ଗୋଷ୍ଠୀ ଚାପରେ ଆସି ଜିଲ୍ଲା ପ୍ରଶାସନ ଏକ ତରଫା ନିଷ୍ପତ୍ତି ନେଇଥିବାରୁ କମିଟି ସଦସ୍ୟ ଏହାକୁ ତିବ୍ର ବିରୋଧ ଜଣାଇଛନ୍ତି ।

ଅପରପକ୍ଷେ ବିଦ୍ୟାଳୟ ଖେଳ ପଡିଆରେ କୌଣସି ସଂସ୍ଥା, ବ୍ୟକ୍ତି ବିଶେଷ କିମ୍ବା ଗୋଷ୍ଠୀର କାର୍ଯ୍ୟକ୍ରମ ଆୟୋଜନକୁ ନେଇ ଉଚ୍ଚ ନ୍ୟାୟାଳୟ ସିଧାସଳଖ ବାରଣ କରିଛନ୍ତି । କିନ୍ତୁ ଜିଲ୍ଲାପାଳ ଏହି ନିର୍ଦ୍ଦେଶକୁ ଖିଲାପ କରି ବିଷୁବ ବନ୍ଧୁ ମିଳନ କମିଟିକୁ କେଉଁ ଆଧାରରେ ଅନୁମତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଯଦି ଲିଖିତ ଅନୁମତି ମିଳିଥାଏ ତାହା ସାର୍ବଜନୀନ କରାଯିବା ସହ ଏହା ସମ୍ପୂର୍ଣ୍ଣ ଅମାନ୍ୟ ବୋଲି ଗଙ୍ଗାଧର ପୁଆଲା କହିଛନ୍ତି । ତେବେ ଏହି ପରିପେକ୍ଷରେ ଆମ୍ବେଦକର ଜୟନ୍ତୀ କମିଟି ସଦସ୍ୟମାନେ ଗଙ୍ଗା ପୁଆଲାଙ୍କ ନେତୃତ୍ବରର ଜିଲ୍ଲାପାଳ, ଜ଼ିଲ୍ଲା ପୋଲିସ ଆରକ୍ଷୀ ଅଧ୍ୟକ୍ଷଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l

ତେବେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁପାଳନ ନ କଲେ ଆଗାମୀ ଦିନରେ ଅମ୍ବେଦକର ଜୟନ୍ତୀ ସମାରୋହ କମିଟି ଆଇନ ଦ୍ୱାରସ୍ଥ ହେବା ସହ ଜିଲ୍ଲାପାଳଙ୍କ ନିଷ୍ପତ୍ତି ବିରୋଧରେ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବା ସହିତ ବସଷ୍ଟାଣ୍ଡ ଆମ୍ବେଦକର ପ୍ରତିମୂର୍ତ୍ତି ଠାରୁ ଜିସିଡି ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚରମବାଣୀ ଶୁଣାଇଛନ୍ତି ଆମ୍ବେଦକର ଜୟନ୍ତୀ ସମାରୋହ କମିଟି ସଦସ୍ୟ ।

ସେହିପରି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଙ୍ଘ ସଦସ୍ୟ ବସନ୍ତ ଉଲାକା କହିଛନ୍ତି ଯେ, ସହରକୁ ଆଶାନ୍ତି କରିବାକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉଦ୍ୟମ କରିଛନ୍ତି । ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ସକାଶେ ସହରର ବିଭିନ୍ନ ପ୍ରାନ୍ତରେ ଉପଯୁକ୍ତ ସ୍ଥାନ ରହିଛି । ତେଣୁ ଏହାକୁ ସଦୁପଯୋଗ କରି ସମାରୋହ ଧୁମଧାମରେ ପାଳନ କରାଯିବା ଉଚିତ । ଏଭଳି କରାଗଲେ ଦଳ, ଜାତି, ବର୍ଗ ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତ ସହରବାସୀ ଏକତ୍ରିତ ହୋଇ ଭବ୍ୟ ଭାବେ ଭାରତରତ୍ନ ଭୀମରାଓଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ଉଲାକା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.