ETV Bharat / state

ହଟିଲା ୧୪୪ ଧାରା, ଶୃଙ୍ଖଳା ପାଇଁ ପୋଲିସ ଓ ସିଆରପିଏଫ ଯବାନଙ୍କ ଫ୍ଲାଗ ମାର୍ଚ୍ଚ

author img

By

Published : Jun 22, 2023, 10:38 PM IST

ହଟିଲା ୧୪୪ ଧାରା
ହଟିଲା ୧୪୪ ଧାରା

ହଟିଲା ରାୟଗଡାରେ ଜାରି ହୋଇଥିବା ୧୪୪ ଧାରା । ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଓ ସିଆରପିଏଫ ଫ୍ଲାଗ ମାର୍ଚ୍ଚ କରିଥିବା ଜଣାପଡିଛି। ସୋମବାର ଦୁଇ ସାହି ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଅଧିକ ପଢନ୍ତୁ

ହଟିଲା ୧୪୪ ଧାରା

ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷକୁ ନିୟନ୍ତ୍ରଣକୁ ଆଣିଛି ରାୟଗଡା ପୋଲିସ । ଥାନା ପଛପାର୍ଶ୍ୱ ସାହି ଏବଂ ରୟତ କଲୋନୀ ଛକ ନିକଟସ୍ଥ ସାହିରେ ଗତ ମଙ୍ଗଳବାରଠାରୁ ୧୪୪ ଧାରା ଲାଗୁ କରାଯାଇଥିଲା । ଏନେଇ ମଙ୍ଗଳବାରଠାରୁ ଏସଡିପିଓ ଦେବଜ୍ୟୋତି ଦାସ ଓ ଆଇଆଇସି କେକେ ବିକେ କହଁରଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଓ ସିଆରପିଏଫ ଯବାନ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଥିଲା । ସହରର ରାମା ଟକିଜ ଛକ, ମେଜନତର ସାହି, ରାମକୃଷ୍ଣ ନଗର, ଉତ୍କଳମଣି ନଗର, ରୟତ କଲୋନୀ ଛକ, ରେଲି ସାହି, ହରିଜନ ସାହି ଆଦି ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିବା ସହିତ ଘରୁ ନ ବାହାରିବା ପାଇଁ ଡାକ ବାଜି ଦ୍ୱାରା ଘୋଷଣା ମଧ୍ୟ କରାଯାଇଥିଲା ।

ଯଦିଓ ଗତ ରାତି ଠାରୁ ପୁଲିସ ଏହି ସବୁ ଅଞ୍ଚଳରୁ ୧୪୪ ଧାରା ଉଠାଇ ନେଇଛି ତଥାପି ଦିନରେ ଥରେ ପୋଲିସ ଫୋର୍ସ ଓ ସିଆରପିଏଫ ଯବାନ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ଦୁଇ ସାହି ମଧ୍ୟରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ମୁନା ପ୍ରଧାନ ଓ କାମେଶ୍ୱର ନାଏକ ନାମକ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ । ଆହତ ଦୁଇ ଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହୋଇଥିବାରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଚିକିତ୍ସାରେ ମୁନାଙ୍କ ଅବସ୍ଥା ଭଲ ରହିଥିବାବେଳେ କାମେଶ୍ୱରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣା ପଡ଼ିଛି ।

ଏହି ଗୋଷ୍ଠୀ ସଂଘର୍ଷରେ ଜଡ଼ିତ ଉଭୟ ପକ୍ଷର ୧୨ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସ୍ଥିତି ଉପରେ ପୋଲିସ ନିୟନ୍ତ୍ରଣ ରଖିଥିବା କହିଛନ୍ତି ଏସଡିପିଓ । ୯ ଦିନ ରଥଯାତ୍ରା ଚାଲିଥିବାରୁ ଗୋଷ୍ଠୀ ସଂଘର୍ଷ ହେବା ନେଇ ଆଶଙ୍କାଥିବାରୁ ମଙ୍ଗଳବାର ରାତି ଠାରୁ ଦୁଇ ସାହି ସମେତ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏହି ଘଟଣାରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ଅଭିଯୁକ୍ତମାନେ ଧରା ପଡିଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଦେବଜ୍ୟୋତି ଦାସ ପ୍ରକାଶ କରିଛନ୍ତି । ଅପରପକ୍ଷେ ପ୍ରାୟ ୪୮ ଘଣ୍ଟା ପରେ ଆଜିଠାରୁ ଅଞ୍ଚଳରେ ସମସ୍ତ ଦୋକାନ ବଜାର ଖୋଲିଛି । ଦୁଇ ସାହି ଏବଂ ନିକଟସ୍ଥ ଅଞ୍ଚଳରେ ପୋଲିସ ଓ ସିଆରପିଏଫ ଯବାନ ନିୟୋଜିତ ରହିଛନ୍ତି।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.