ETV Bharat / state

ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶେରେ ଦର୍ଶନ ଦେବେ ଶ୍ରୀଜିଉ

author img

By

Published : Mar 7, 2023, 8:53 AM IST

Updated : Mar 7, 2023, 2:42 PM IST

suna besha of lord jagannath
ପବିତ୍ର ଦୋଳ ପୂର୍ଣ୍ଣିମା

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ମହାପ୍ରଭୁ ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଅଧିକ ପଢନ୍ତୁ

ସୁନାବେଶେରେ ଦର୍ଶନ ଦେବେ ଶ୍ରୀଜିଉ
ପବିତ୍ର ଦୋଳ ପୂର୍ଣ୍ଣିମା

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏ ନେଇ ଗାଁଠୁ ସହର ଉତ୍ସବ ମୁଖର ହୋଇଛି । ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ମହଣ ମହଣ ସୁନା ଅଳଙ୍କାରରେ ମହାପ୍ରଭୁ ସଜେଇ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବେ । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦଳଗୋବିନ୍ଦ ଦୋଳ ବେଦୀକୁ ବିଜେ କରିବେ । ରତ୍ନ ସିଂହାସନରେ ମହାପ୍ରଭୁ ରାଜା ରାଜେଶ୍ବର ବା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଦୋଳ ଉତ୍ସବ ଅବସରରେ ଶ୍ରୀମନ୍ଦିରରେ ହୋଲିକା ଦହନ ବିଧି ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦିବ୍ୟ ରାଜ ରାଜେଶ୍ବର ବେଶ ତଥା ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଗହଳି ଜମାଇଛନ୍ତି ।

ଶ୍ରୀମନ୍ଦିର ନିତୀ ନିର୍ଘଣ୍ଟ ଅନୁଯାୟୀ ସକାଳ 8ଟାରୁ ସୁନାବେଶ ଆରମ୍ଭ ହୋଇ ରାତି 9ଟା 30ରେ ଶେଷ ହେବ । ରାତି 10 ଟା 30ରେ ବେଶ ଉଲାଗୀ ହେବ । ଦୋଳ ପୁର୍ଣ୍ଣିମା ଅବସରରେ ମହାପ୍ରଭୁ ଦୋଳବେଦୀରେ ଭକ୍ତଙ୍କ ସହ ଅବିର ଓ ଫଗୁ ଖେଳିବେ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବି ସ୍ଵତନ୍ତ୍ର ବିମାନରେ ଦୋଳ ବେଦୀକୁ ବିଜେ କରି ଭକ୍ତଙ୍କ ଗହଣରେ ଫଗୁ ଖେଳିବେ । ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ଶ୍ରଦ୍ଧା, ଭକ୍ତି ଓ ପ୍ରେମର ପର୍ବ ହେଉଛି ଦୋଳ ଉତ୍ସବ ।

ଦୋଳ ଯାତ୍ରା ନେଇ ସବୁଆଡେ ରାଧାକୃଷ୍ଣ ବିଜେ ହେଉଥିବା ବେଳେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଶ୍ରୀ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ, ଭୂଦେବୀ ବିଜେ ହୋଇଛନ୍ତି । ଠାକୁରଙ୍କୁ ବଡ ଦେଉଳରେ 7 ଘେରା ବେଢ଼ା ପରିକ୍ରମା କରାଯାଇ ଦୋଳ ବେଦୀରେ ବିଜେ କରାଯାଏ । ମହାଜନ ସେବକମାନେ ଏହି କାର୍ଯ୍ୟ ସାରିବା ପରେ ଭକ୍ତମାନେ ଦୋଳ ବେଦୀରେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ଦୋଳବେଦୀରୁ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁଙ୍କ ସୁନାବେଶ ଉଲାଗି ହୋଇ ମହାସ୍ନାନ ନୀତି କରାଯିବ । ପରେ ଅନ୍ୟାନ୍ୟ ନୀତି ବଢି ରାତ୍ର ପହୁଡ଼ ହେବ ।

ଏହା ବି ପଢନ୍ତୁ...ହସ୍ତକ୍ଷେପ କଲେ ମୁଖ୍ୟ ଶାସନ ସଚିବ, ସାହାରା ପାଇଲେ ବଲାଙ୍ଗୀରର ତିନି ଅନାଥ ଶିଶୁ

ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଅବସରରେ ହୋଲିକା ଦହନ ବିଧି ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ସୋମବାର ସଂଧ୍ୟାରେ ତିନି ଠାକୁର ଶ୍ରୀଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀ ଦେବୀ ଶ୍ରୀମନ୍ଦିରରୁ ଦୋଳ ବେଦୀରେ ବିଜେ ହୋଇଥିଲେ । ପୂର୍ବରୁ ଭକ୍ତଙ୍କ ଦ୍ବାରା ପ୍ରସ୍ତୁତ ହୋଇ ଥିବା ଗୋବରରୁ ଶୁଖିଲା ଘସିକୁ ସୂତାରେ ଭିଡା ଯାଇ ହୋଲିକା ରାକ୍ଷସୀର ପ୍ରତିକୃତିକୁ ଅଗ୍ନି ସଂଯୋଗ କରାଯାଇ ଥିଲା । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହାକୁ ମେଣ୍ଢା ପୋଡି ନୀତି କୁହାଯାଏ । ଏଥିସହ ମହାପ୍ରଭୁ ଶ୍ରୀ ମନ୍ଦିରରେ ଚାଚେରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ।

ଇଟିଭି ଭାରତ, ପୁରୀ

Last Updated :Mar 7, 2023, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.