ETV Bharat / state

ସଞ୍ଜୟଙ୍କ ବିସ୍ଫୋରକ ବୟାନ, ବିରୋଧୀ କହିଲେ ରାଜ୍ୟରେ ଚାଲିଛି ଅମଲାତନ୍ତ୍ର

author img

By

Published : Nov 16, 2022, 8:34 PM IST

Opposition targets BJD over Sanjaya Das Burma controversial statement on party
ସଞ୍ଜୟଙ୍କ ବିସ୍ଫୋରକ ବୟାନ, ବିରୋଧୀ କହିଲେ ରାଜ୍ୟରେ ଚାଲିଛି ଅମଲାତନ୍ତ୍ର

ଚର୍ଚ୍ଚାରେ ସଞ୍ଜୟ ଦାସବର୍ମାଙ୍କ ଭାଷଣ । ବ୍ରହ୍ମଗିରିରେ ଜନସମ୍ପର୍କ ପଦଯାତ୍ରା ବେଳେ ବିସ୍ଫୋରକ ବୟାନ ଦେଇଥିଲେ ସଞ୍ଜୟ । ବିଜେଡି ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନଥିବା ବେଳେ ବିରୋଧୀ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଚର୍ଚ୍ଚାରେ ସଞ୍ଜୟ ଦାସବର୍ମାଙ୍କ ଭାଷଣ । ଜନସମ୍ପର୍କ ପଦଯାତ୍ରାରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ଭାଷଣ ତାଙ୍କ ଅସନ୍ତୋଷ ଭାବକୁ ପ୍ରକାଶ କରିଛି । ବ୍ରହ୍ମଗିରି ସଦର ବ୍ଲକ 11 ନମ୍ବର ପଞ୍ଚାୟତ ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା । କିଛି ବିଦେଶୀ ଶକ୍ତି ଓଡ଼ିଶାକୁ ଲୁଟିବାକୁ ଚାହୁଁଛନ୍ତି ବୋଲି କହିଥିଲେ ସଞ୍ଜୟ । ଏହାପରେ ବିଜେଡି ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ମିଳୁନଥିବା ବେଳେ ବିରୋଧୀଙ୍କ ପ୍ରତିକ୍ରିୟା ମିଳିବାରେ ଲାଗିଛି ।

ସଞ୍ଜୟଙ୍କ ବିସ୍ଫୋରକ ବୟାନ, ବିରୋଧୀ କହିଲେ ରାଜ୍ୟରେ ଚାଲିଛି ଅମଲାତନ୍ତ୍ର

ଆଗକୁ ଆସିବ ଆହୁରି ବିସ୍ଫୋରକ ବୟାନ

ପୂର୍ବତନ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବୟାନ ରାଜ୍ୟ ରୀନଜୀତିରେ ନିଆଁ ଲଗାଇ ଦେଇଛି । ବିଜେଡି ଏହି ପ୍ରସଙ୍ଗରେ ଚୁପ ରହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ପିସିସି ସଭାପତି କହିଛନ୍ତି, "ବିଜେଡି ଦଳ ଭିତରେ ପୁଞ୍ଜିଭୂତ ଅସନ୍ତୋଷ ଭରି ରହିଛି । ସରପଞ୍ଚ, ଜିଲ୍ଲା ପରିଷଦ, ବିଧାୟକଙ୍କ ମଧ୍ୟରେ ମତାନ୍ତର ରହିଛି । ବିଜେଡି ଦଳରେ ଗଣତନ୍ତ୍ର ନାହିଁ ଅମଲାତନ୍ତ୍ର ରାଜ ଚାଲିଛି । ସଞ୍ଜୟ ତାଙ୍କ ବୟାନରେ ଅମଲାତନ୍ତ୍ର ଆଡ଼କୁ ଇସାରା କରିଥିବା ସନ୍ଦେହ ହେଉଛି । ଏବେ ସଂଜୟ ବିସ୍ଫୋରଣ କରିଛନ୍ତି । ଆଗକୁ ମଧ୍ୟ ଆହୁରି ବିସ୍ଫୋରଣ ହେବାର ଆଶଙ୍କା ରହିଛି ।"

ବିଜେଡିକୁ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ

ବିଜେଡିକୁ ଟାର୍ଗେଟ କରିବା ସୁଯୋଗ ହାତଛଡ଼ା କରିନି ବିଜେପି । ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ ପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଏକଥା ଆମେ ସମସ୍ତେ ଜାଣିଛୁ, ସରକାର କିଏ ଚଳାଉଛି । ଲୋକଙ୍କୁ ବୁଝିବାକୁ ସମୟ ଲାଗିଲା, ବିଳମ୍ବରେ ହେଉ ପଛେ ଯଦି ସମସ୍ତେ ବୁଝି ପାରୁଛନ୍ତି ଏବଂ ଦଳୀୟ ଲୋକ ବି ବୁଝି ପାରୁଛନ୍ତି । ତେବେ 2024 ପାଇଁ ଏକ ନୂଆ ଯୁଗ ଆରମ୍ଭ ହେବ । ଭାରତୀୟ ଜନତା ପାର୍ଟିର ସରକାର ହେବ ଏଥିରେ ଦ୍ବିମତ ନାହିଁ ।"

ଟାର୍ଗେଟ୍‌ରେ ଖଣି ବ୍ୟବସାୟୀ !

ସଞ୍ଜୟଙ୍କ ବୟାନରୁ କେଉଁଠି ନା କେଉଁଠି ପ୍ରଶ୍ନ ଉଠୁଛି, ସଞ୍ଜୟ କାହା ଆଡକୁ ଇସାରା କରିଛନ୍ତି ? କିଏ ସେ ଏହି ବିଦେଶୀ ଶକ୍ତି । ପ୍ରଶ୍ନ ହେଉଛି ଏହା ସଞ୍ଜୟଙ୍କ ପୁଞ୍ଜିଭୂତ ଅସନ୍ତୋଷ ନୁହେଁ ତ ? କାହିଁକି ସଞ୍ଜୟ ଅସନ୍ତୁଷ୍ଟ ?

ଏହାକୁ ନେଇ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ସଞ୍ଜୟ ଦାସବର୍ମା ସିଧାସଳଖ ରାଜ୍ୟ ବାହାରର କିଛି ବ୍ୟବସାୟୀଙ୍କ ଆଡକୁ ଅଙ୍ଗୁଳି ଦେଖାଇଛନ୍ତି । ଯେଉଁମାନେ ଖଣି କାରବାରରେ ଲିପ୍ତ ଅଛନ୍ତି ସେମାନଙ୍କୁ ବିଦେଶୀ ଶକ୍ତି ବୋଲି କହିଛନ୍ତି । ଏଥିରେ ଓଡ଼ିଶାର କିଛି ସରକାରୀ ଅଧିକାରୀ କିମ୍ବା ନେତା ମଧ୍ୟ ସାମିଲ ଥିବା ନେଇ ସଞ୍ଜୟ ଇସାରା ଇସାରାରେ କହିଛନ୍ତି । ଏମାନଙ୍କଠାରୁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି । ବଡ଼ କଥା ହେଲା ବିଜେଡିରେ ସଞ୍ଜୟଙ୍କୁ ଦୀର୍ଘଦିନ ଧରି ଅଣଦେଖା କରାଯିବା କାରଣରୁ ସେ ଏପରି ବୟାନ ରଖିଛନ୍ତି ।"

ସଞ୍ଜୟଙ୍କ ସହ ଏକମତ ଜୟନ୍ତ

ଏହାକୁ ନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ସେ ଯାହା କହିଛନ୍ତି ଠିକ୍‌ କହିଛନ୍ତି । ସେ ଜଣେ ପୁରୁଖା ନେତା । ସେ ଯାହା କହିଛନ୍ତି ତାହାର ବହୁତ ବ୍ୟାପକ ଅଛି । ସମସ୍ତେ ସବୁ କଥା ଜାଣୁଛନ୍ତି । ତାଙ୍କର ଲମ୍ବା ସମୟର ଅନୁଭୁତି ଅଛି । ତାଙ୍କ କଥାରେ ନିଶ୍ଚିତ ସତ୍ୟତା ଅଛି । ଦଳରେ ଭିତରେ ସବୁ କିଛି ସଫାସୂତୁରା ରହିବା ଦରକାର । ସେ ବହୁତ ଦିନ ଧରି ଭିତରେ କଥା ରଖିଥିଲେ ଏବେ ବାହାର କଲେ ।"

କଣ କହିଥିଲେ ସଞ୍ଜୟ

ବ୍ରହ୍ମଗିରିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଯୋଗ ଦେଇ ସଞ୍ଜୟ ବିସ୍ଫୋରକ ବୟାନ ଦେଇଥିଲେ । ସେ କହିଥିଲେ, "ବିଦେଶୀ ଶକ୍ତି ଓଡ଼ିଶାର ଖଣି ଖାଦାନ ସହ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମଧ୍ୟ ଲୁଟ୍‌ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆମକୁ ତାଙ୍କୁ ପ୍ରତିହତ କରିବାକୁ ହେବ । ସେମାନେ କରିଥିବା ଷଡ଼ଯନ୍ତ୍ରର ଉଚିତ ଜବାବ ଦେବାକୁ ହେବ । କିଛି ଭାବୁଛନ୍ତି ଆମେ ଯାହା ନିଷ୍ପତ୍ତି ନେବୁ ସମସ୍ତେ ମାନିନେବେ । ଷଡ଼ଯନ୍ତ୍ରକାରୀଙ୍କୁ କଡ଼ା ଜବାବ ମିଳିବ । ରାଜନୈତିକ ଲାଭ ପାଇଁ ଆମେ ବ୍ରହ୍ମଗିରି ମୁଣ୍ଡ ନୁଇଁବାକୁ ଦେବୁନାହିଁ ।"

ଧାମନଗର ଉପ ନିର୍ବାଚନ ବେଳେ ଟିକେଟ ବଣ୍ଟାକୁ କେନ୍ଦ୍ର କରି ଦଳ ମଧ୍ୟରେ ବିଦ୍ରୋହ ସୃଷ୍ଟି ହୋଇଥିଲା । ରାଜୁ ଦାସ କାହିଁକି ବିଜେଡି ଟିକେଟ ପାଇବେ ନାହିଁ ବୋଲି ଗୋଟିଏ ଗୋଷ୍ଠୀ ଜିଦ ଧରି ବସିଥିଲେ । ପ୍ରଥମେ ରାଜୁ ଦାସ ବିଜେଡି ପ୍ରାର୍ଥୀକୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ ରାଜୁ ଦାସ । ସ୍ବାଧୀନ ଭାବେ ନାମାଙ୍କନ ଭରିଥିଲେ । ଏବେ ସଞ୍ଜୟ ଦାସବର୍ମା ଖୋଲାଖୋଲି ଭାବେ ତେରେଛା ବାଣ ମାରିଛନ୍ତି । ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.