ETV Bharat / state

ପୌଷ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Jan 6, 2023, 11:12 AM IST

Updated : Jan 6, 2023, 12:22 PM IST

ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ସୁନାବେଶରେ ଦର୍ଶନ ହେଇଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଅଧିକ ପଢନ୍ତୁ

Pushya Abhishek rituals of Lord Jagannath
ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି ( Pushya Abhishek rituals of Lord Jagannath ) । ରତ୍ନ ସିଂହାସନରେ ଶ୍ରୀଜିଉମାନେ ରାଜରାଜେଶ୍ବର ବେଶ ବା ସୁନାବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥାଏ । ମହାପ୍ରଭୁଙ୍କ ଏହି ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମାଆ ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଥାନ୍ତି । ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ହେବା ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ । ଏହା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ । ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ବର ବେଶରେ ବିଭୂଷିତ ହୋଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।

ଏହା ବି ପଢନ୍ତୁ...CM Naveen To visit Puri: ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜନଅରରେ ହେବ ପୁଷ୍ୟାଭିଷେକ ନୀତି: ଅନ୍ୟପଟେ ଆଜି ମଧ୍ୟ ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ରାଜନହରରେ ଅନୁଷ୍ଠିତ ହେବ । ପଞ୍ଚଦେବତା ପୂଜାଠାରୁ ଆରମ୍ଭ କରି ଶାସ୍ତ୍ରୀୟ ପୂଜା ପରେ ଗଜପତି ମହାରାଜ ଅଭିଷେକ ହେବେ। ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତ ମାନେ ନଡ଼ିଆ, ପଇତା ପ୍ରଦାନ କରିବା ସହ ମହାରାଜାଙ୍କୁ ଆଶୀର୍ବାଦ ଦେବେ। ଗଜପତିଙ୍କ ଶାସନ ଶୁଭ ଓ ମଙ୍ଗଳପ୍ରଦ ହେବା ସହ ଜଗତର କଲ୍ୟାଣ ପାଇଁ ଏହି ନୀତି କରାଯାଉଥିବା ବେଳେ ଏନେଇ ବ୍ରାହ୍ମଣ ମାନେ ଆଶିଷ ମଧ୍ୟ ଦେଇଥାନ୍ତି ।‌ ଏହାସହ ଆଜି ସନ୍ଧ୍ୟାରେ ସ୍ବର୍ଗଦ୍ବାର ସମ୍ମୁଖ ମହୋଦଧିରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ମହୋଦଧି ଆରତୀ ଅନୁଷ୍ଠିତ ହେବ । ପୌଷ ପୂର୍ଣ୍ଣିମା ତିଥିରେ ଦେବାଭିଷେକ ନୀତି ସହ ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କରି ଧନ୍ୟ ହୋଇଛନ୍ତି ଶ୍ରଦ୍ଧାଳୁ । ଏହି ବେଶ ଦର୍ଶନ କରିବାରୁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

ଇଟିଭି ଭାରତ, ପୁରୀ

Last Updated :Jan 6, 2023, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.