ETV Bharat / state

ଗ୍ୟାସ ଡିପୋରୁ ସିଲିଣ୍ଡର ଚୋରି, ୮ ଚୋର ଗିରଫ - Gas cylinder theft

author img

By ETV Bharat Odisha Team

Published : May 23, 2024, 4:17 PM IST

Gas cylinder theft: ଜାଳେଣି ଗ୍ୟାସ ଡିପୋରୁ ସିଲିଣ୍ଡର ଚୋରି ଘଟଣାରେ ୮ଜଣ ଗିରଫ, ୧୮ ଗ୍ୟାସ ସିଲିଣ୍ଡର ସମେତ ପିକଅପ ଭ୍ୟାନ ଓ କାର ଜବତ ।

GAS CYLINDER THEFT
GAS CYLINDER THEFT (ETV BHARAT ODISHA)

GAS CYLINDER THEFT (ETV BHARAT ODISHA)

ରାଇରଙ୍ଗପୁର: ଏକ ବଡ଼ ଧରଣର ଗ୍ୟାସ ସିଲିଣ୍ଡର ଚୋରି ରାକେଟର ପର୍ଦ୍ଦାଫାସ କରିଛି ମୟୂରଭଞ୍ଜ ପୋଲିସ । ଗ୍ୟାସ ଡିପୋରୁ ୫୦ ରୁ ଊର୍ଦ୍ଧ୍ବ ସିଲିଣ୍ଡର ଚୋରି ଘଟଣାରେ ୮ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଆଠ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ଚୋରି କରି ୩ ଜଣଙ୍କୁ ସିଲିଣ୍ଡର ବିକ୍ରି କରିଥିବା ପୋଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି କୁଳିଅଣା ଥାନା ସୌରୀ ଗ୍ରାମର ଶକ୍ତି ପାଣି, ସୌମ୍ୟ ରଞ୍ଜନ ପାଣି, ଟିଟ୍ରି ଗ୍ରାମର ଅଜୟ କୁମାର ବେହେରା, ବାଲିମୁଣ୍ଡଳି ଗ୍ରାମର ସିପୁ ସିଂ ଓ ଉମାଶଙ୍କର ନାୟକ । ସିଲିଣ୍ଡର କିଣିଥିବା ଯୁବକ ମାନେ ବାରିପଦା ଟାଉନ ଥାନା ଅନ୍ତର୍ଗତ ତୁଳସୀଚୌରାର ନିର୍ମଳ ଗୋଛାୟତ, ବାଲେଶ୍ଵର ଜିଲ୍ଲା ଖନ୍ତାପଡାର ରାଜ ନାରାୟଣ ପାଣିଗ୍ରାହୀ ଓ କୁଳିଅଣା ଥାନା ପରିଆକୁଳି ଗ୍ରାମର ସନଥୁ ଚୌହାନ ବୋଲି ଜଣାପଡିଛି ।

ଏହା ମଧ୍ଯ ପଢନ୍ତୁ-ସାଇକେଲରେ ବୁଲି ଚୋରି କରୁଥିଲା, ସାଢ଼େ ୪ ଲକ୍ଷର ଗହଣା ଜବତ ସହ ଚୋର ଗିରଫ - NANDANKANAN ROBBERY CASE

ସେମାନଙ୍କ ନିକଟରୁ ୧୮ଟି ଗ୍ୟାସ ସିଲିଣ୍ଡର ସମେତ ଗୋଟିଏ ପିକଅପ ଭ୍ୟାନ, ଗୋଟିଏ କାର ଓ ୬ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଘଟଣା ସମ୍ପର୍କରେ ବାରିପଦା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ପ୍ରଧାନ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ପୋଲିସର ସୂଚନା ଅନୁଯାୟୀ, ଗତ ଜାନୁଆରୀ ମାସ ୨୫ ତାରିଖ ବିଳମ୍ବିତ ରାତିରେ ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଧନପୁର ସ୍ଥିତ ଏଚପି ଗ୍ୟାସ ଗୋଦାମରୁ ୫୬ଟି ଗ୍ୟାସ ସିଲିଣ୍ଡର ଚୋରି ହୋଇଥିଲା । ଦୁର୍ବୃତ୍ତ ମାନେ ବିଳମ୍ବିତ ରାତିରେ କେହି ନଥିବାର ସୁଯୋଗ ନେଇ ଗ୍ୟାସ ଗୋଦାମର ତାଲା ଭାଙ୍ଗି ଖାଲି ସିଲିଣ୍ଡର ଗୁଡ଼ିକୁ ଚୋରି କରି ନେଇ ଯାଇଥିଲେ । ଘଟଣା ପର ଦିନ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ୫୬ଟି ଖାଲି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୨୩,୨୦୦.୦୦ ଟଙ୍କା ହେବ ବୋଲି ଗୋଦାମ ମାଲିକ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ବାରିପଦା ସଦର ଥାନା ପୋଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଜାରି ରହିଥିବା ବେଳେ ଧନପୁର ଅଞ୍ଚଳରେ ଏକ ପିକଅପ ଭ୍ୟାନ ଓ କାରରେ ଗ୍ୟାସ ସିଲିଣ୍ଡର ନେଇ କିଛି ଲୋକେ ଯାଉଥିବା ବେଳେ ବାରିପଦା ସଦର ଥାନା ପୋଲିସକୁ ଖବର ମିଳିଥିଲା। ସନ୍ଦେହରେ ୫ ଜଣକୁ ଥାନାକୁ ଆଣି ପଚରାଉଚରା କରିଥିଲା ପୋଲିସ । ପରେ ଚୋରି ଘଟଣାର ସମସ୍ତ ତଥ୍ୟ ପୋଲିସକୁ ମିଳିଥିଲା । ଧନପୁର ଗ୍ୟାସ ଗୋଦାମ ସମେତ ଗତ ଫେବ୍ରୁଆରୀ ମାସରେ ବଡ଼ସାହି ଓ ଏପ୍ରିଲ ମାସରେ ବିଶୋଇ ଗ୍ୟାସ ଗୋଦାମରୁ ଗ୍ୟାସ ସିଲିଣ୍ଡରରେ ମଧ୍ୟ ସେମାନେ ସମ୍ପୃକ୍ତ ଥିବାର ନେଇ ସ୍ବୀକାର କରିଥିଲେ । ତେବେ ଅଭିଯୁକ୍ତଙ୍କ ଠାରୁ ତଥ୍ୟ ପାଇ ପୋଲିସ ଚଢ଼ାଉ କରି ଗୋଟିଏ ସ୍ଥାନରୁ ୧୪ ଓ ଅନ୍ୟ ସ୍ଥାନରୁ ୪ଗୋଟି ଗ୍ୟାସ ସିଲିଣ୍ଡର ଜବତ କରିବା ସହ ୩ଜଣ ସିଲିଣ୍ଡର କିଣିଥିବା ଯୁବକଙ୍କୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ଆଉ କେତେ ଜଣଙ୍କର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.