ETV Bharat / state

ସାଇକେଲରେ ବୁଲି ଚୋରି କରୁଥିଲା, ସାଢ଼େ ୪ ଲକ୍ଷର ଗହଣା ଜବତ ସହ ଚୋର ଗିରଫ - NANDANKANAN ROBBERY CASE

author img

By ETV Bharat Odisha Team

Published : May 17, 2024, 8:30 PM IST

Accused Arrested in Robbery Case: ନନ୍ଦନକାନନ ପୋଲିସ ଚୋର ସହିତ ଚୋରି ହୋଇଥିବା ଅଳଙ୍କାର, ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଠାବ କରିଛି । ଅଧିକ ପଢ଼ନ୍ତୁ

One Accused Arrested in Robbery Case
One Accused Arrested in Robbery Case (ETV Bharat Odisha)

One Accused Arrested in Robbery Case (ETV Bharat Odisha)

ଭୁବନେଶ୍ବର: ନନ୍ଦନକାନନ ଥାନା ଅଞ୍ଚଳରୁ ଧରା ପଡିଲା ଚୋର । ସକାଳେ ସାଇକେଲରେ ବୁଲି ଘରକୁ ଟାର୍ଗେଟ କରୁଥିଲା, ଆଉ ରାତି ହେଲେ ସେ ଘରୁ କଳାକନା ବୁଲାଉ ଥିଲା । ଏହିଭଳି ଘଟଣା ଭୁବନେଶ୍ବରର ନନ୍ଦନକାନନ ଥାନା ଅଞ୍ଚଳ ହେଉଥିବା ବେଳେ ପୋଲିସ ଚୋରକୁ ଧରିବାରେ ସଫଳ ହୋଇଛି । ତେବେ ଅଭିଯୁକ୍ତ ଯୁବକ ଜଣକ ହେଲେ ତାରିଣୀ ବସ୍ତି ଭିଏସଏସ ନଗର ଅଞ୍ଚଳର 24 ବର୍ଷର ସୁମନ ଶବର । ତେବେ ତାଙ୍କ ପାଖରୁ ଗହଣା ଏବଂ ଟଙ୍କା ସମେତ ଡିଏସଲାର ଓ ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ଯାହାର ସୂଚନା ଆଜି ଜୋନ ୬ର ଏସିପି ରମେଶ ଚନ୍ଦ୍ର ବିଶୋଇ ଦେଇଛନ୍ତି ।

ପୋଲିସଙ୍କ ସୂଚନା ଅନୁଯାୟୀ, ନନ୍ଦନକାନନ ଥାନା ଅଞ୍ଚଳର ପଦାସାହିର ବାବୁଲି ଜେନା ଏବଂ ତାଙ୍କ ଘର ଲୋକେ ଛାତ ଉପରେ ଶୋଇଥିଲେ । ସେ ଉଠି ଦେଖିବାକୁ ପାଇଲେ ତାଙ୍କ ଘରେ କିଏ ପସି ଏକ ଲକ୍ଷ ୩୫ ହଜାର ଟଙ୍କା ସହ ସୁନାହାର ଏବଂ ଅଳଙ୍କାର ନେଇ ଛୁ ମାରିଥିଲେ । ସାମଗ୍ରୀ ରଖାଯାଇଥିବା ବାକ୍ସ ଖୋଲି ସେଥିରୁ ଗହଣା ନେଇ ଯିବା ପରେ ସେହି ବାକ୍ସକୁ ପାଖ ଖୋଲା ପଡ଼ିଆରେ ଫୋପାଡ଼ି ଦେଇ ଚାଲି ଯାଇଥିଲା ଦୁର୍ବୃତ୍ତ । ତେବେ ସେ ପରଦିନ ଯାଇ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ଜାଣିବାକୁ ପାଇଥିଲେ ଯେ, କେବଳ ବାବୁଲି ଜେନାଙ୍କ ଘରେ ନୁହେଁ ଏହିଭଳି ଚୋରୀ ଆଖପାଖ ଅଞ୍ଚଳରେ ହେଉଥିବା ଅଭିଯୋଗ କରାଯାଇଛି । ଗତକିଛି ଦିନ ହେବ କନ୍ଦରପୁର, ଗୋବିନ୍ଦପୁର, ବାରଙ୍ଗ ଅଞ୍ଚଳରେ ମଧ୍ୟ ଏହିଭଳି ଚୋରୀ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ।

ଏହା ମଧ୍ୟ ପଡ଼ନ୍ତୁ.. ପୁରୀ ରେଳୱେ ଷ୍ଟେସନରେ ସାଙ୍ଗକୁ ଛୁରି ମାଡ କଲା ସାଙ୍ଗ - Youth Brutally Attacked

ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକ ସୁମନ ଶବରଙ୍କୁ ଧରିବାରେ ସଫଳ ହୋଇଥିଲା । ତାଙ୍କ ପାଖରୁ ସାଢେ ଚାରି ଲକ୍ଷ ଟଙ୍କାର ଗହଣା ସହ ନଗଦ ୩୭ ହଜାର ଟଙ୍କା ଓ କ୍ୟାନନ କ୍ୟାମେରା ଏବଂ ୫ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ଯେଉଁଥିରେ ଗହଣାରେ ଥିଲା ନେକଲେସ, ଗୋଟେ ମୁଦି, ୫ଟା କାନଫୁଲ, ୫ଟି ହାତ ଚୁଡ଼ି, ୪ଟି ନାକଫୁଲ ଆଦି ରହିଥିଲା । ପଚରାଉଚରା ଜଣା ପଡ଼ିଥିଲା ଯେ, ନିଜ ସାଇକେଲ ଜରିଆରେ ବୁଲାବୁଲି କରି ସେ ବିଭିନ୍ନ ଘରକୁ ରେକି କରେ । ଯେଉଁ ଘର ପାଖ ଦେଇ ପଡ଼ିଆ ବା ନିଛାଟିଆ ସ୍ଥାନ ଥିବ, ସେହି ସବୁ ଇଲାକାକୁ ଠାବ କରେ । ପରେ ରାତିରେ ଯାଇ ଘରେ ପସି ଚୋରୀ କରୁଥିଲା। ତେବେ ଅଭିଯୁକ୍ତକୁ ପଚରାଉଚରା କରି ତଦନ୍ତ କରିବା ସହିତ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବା ନେଇ ତଦନ୍ତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.