ETV Bharat / state

Ratna Bhandar Issue: ପୁଣି ଉଠିଲା ଦାବି, ଦୁର୍ମୂଲ୍ୟ ଅଳଙ୍କାର ଭର୍ତ୍ତି ରତ୍ନ ଭଣ୍ଡାର ଖୋଲିବେ ତ ସରକାର ?

author img

By

Published : Jul 3, 2023, 7:42 PM IST

Updated : Jul 3, 2023, 8:07 PM IST

କାହିଁକି ଖୋଲୁନାହିଁ ରତ୍ନ ଭଣ୍ଡାର ? ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ? ଲୁଟ ହୋଇଯାଇଛି ନା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି ? ଆଇନ ମନ୍ତ୍ରୀଙ୍କ ଚାବି ହଜିଲା କି ନାହିଁ ସେନେଇ ଜାଣିନାହାନ୍ତି କହିବା ପରେ ପୁଣି ଉଠିଲା ଦାବି । ଆବଦେନକାରୀ କହିଲେ ରତ୍ନ ଭଣ୍ଡାର ଖୋଲିଲେ ଏ ସରକାର ଭାଙ୍ଗିଯିବ। ଦେଖନ୍ତୁ ଏହି ରିପୋର୍ଟ

Ratna Bhandar Issue
Ratna Bhandar Issue

ଦୁର୍ମୂଲ୍ୟ ଅଳଙ୍କାର ଭର୍ତ୍ତି ରତ୍ନ ଭଣ୍ଡାର ଖୋଲିବେ ତ ସରକାର ?

ଭୁବନେଶ୍ବର/ପୁରୀ: ସୁନାବେଶରେ ବ୍ରହ୍ମାଣ୍ଡ ଠାକୁର ମହାପ୍ରଭୁ ଜଗନ୍ନାଥ ଭଙ୍ଗା ଅଳଙ୍କାର ପିନ୍ଧିବା ପରେ ପୁଣି ତେଜିବାରେ ଲାଗିଛି ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ। କାହିଁକି ଖୋଲୁନାହିଁ ରତ୍ନ ଭଣ୍ଡାର ? ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ? ଲୁଟ୍‌ ହୋଇଯାଇଛି ନା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀ କହୁଛନ୍ତି ଚାବି ହଜିଲା କି ନାହିଁ ସେନେଇ ସେ କିଛି ଜାଣିନାହାନ୍ତି । ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଏହାକୁ ହାସ୍ୟାସ୍ପଦ କହିଥିବା ବେଳେ ଆବେଦନକାରୀ ଦିଲ୍ଲୀପ ବରାଳ କହିଛନ୍ତି ସରକାର ଯେଉଁ ଚାବି ହଜିବା କଥା କହୁଛନ୍ତି ତାହା ନାଟକ । ରତ୍ନ ଭଣ୍ଡାର ଖୋଲିଲେ ଏ ସରକାର ଭାଙ୍ଗିଯିବ । ବିଭିନ୍ନ ମହଲରୁ ଏମିତି ଅନେକ ପ୍ରକାର ପ୍ରତିକ୍ରିୟା ରଖାଯାଇଛି। ହେଲେ ସମସ୍ତଙ୍କର ଗୋଟିଏ ଦାବି ରତ୍ନ ଭଣ୍ଡାର ସରକାର ତୁରନ୍ତ ଖୋଲି ନିଜର ସ୍ବଚ୍ଛତା ପ୍ରକାଶ କରନ୍ତୁ ।

ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, "ଜଗନ୍ନାଥଙ୍କର ରତ୍ନ ଭଣ୍ଡାରରେ ନୂଆ ଅଳଙ୍କାର ରହିଛି । କିନ୍ତୁ ଏହାକୁ ଖୋଲାଯାଉନଥିବାରୁ ପ୍ରଭୁ ସେହି ପୁରୁଣା ଅଳଙ୍କାର ପିନ୍ଧୁଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପିଲାଳିଆମି ଯାଇନି । ଯଦି ଏତେ ବଡ଼ ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତ୍ରୀ କହିବେ ଜାଣିନାହାନ୍ତି ଏହାଠାରୁ ଲଜ୍ୟାକର ବିଷୟ କଣ ହୋଇପାରେ । ସରକାର କୌଣଶି ପ୍ରକାର ଭୟ ନକରି ରତ୍ନ ଭଣ୍ଡାର ଖୋଲନ୍ତୁ । କମ ସେ କମ ଏହାର ମରାମତି ହୋଇପାରିବ ଏବଂ ମହାପ୍ରଭୁଙ୍କ ଅଳଙ୍କାରକୁ ସୁରକ୍ଷିତ ରଖାଯାଇପାରିବ ।" ଖୋଲିବାରେ ଅସୁବିଧା କଣ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

'ରତ୍ନ ଭଣ୍ଡାର ଖୋଲିଲେ ଏ ସରକାର ଭାଙ୍ଗିଯିବ':- ଅନ୍ୟପଟେ ଆବେଦନକାରୀ ଦିଲ୍ଲୀପ ବରାଳ କହିଛନ୍ତି , ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଳଙ୍କାର ସୁରକ୍ଷିତ ନାହିଁ । ଏହି ସରକାର ସମୟରେ ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି । ଯଦି ସରକାର ସ୍ବଚ୍ଛ ତେବେ ରତ୍ନଭଣ୍ଡାର ଖୋଲନ୍ତୁ, ଗଣତି କରନ୍ତୁ । ସରକାର ଯଦି ସ୍ବଚ୍ଛ ତେବେ ସ୍ବଚ୍ଛତା ରକ୍ଷା କରନ୍ତୁ । ଯଦି ଚାବି ହଜିବା ଚାବି ମିଳିବା ଏ ସବୁ ନାଟକ ଥିଲା । ଯଦି ଚାବି ହଜିଲା, ତଦନ୍ତ କମିଶନ ବସିଲା ସେହି ରିପୋର୍ଟ କାହିଁକି ସାର୍ବଜନୀନ କରାଯାଉନାହିଁ । ରତ୍ନ ଭଣ୍ଡାର ଖୋଲିଲେ ଏ ସରକାର ଭାଙ୍ଗିଯିବ ବୋଲି ସେ ଭୟରେ ଖୋଲୁନଥିବା କହିଛନ୍ତି ଦିଲ୍ଲୀପ । 2018 ପରିଚାଳନା କମିଟିର ନିଷ୍ପତ୍ତି କାହିଁକି କାର୍ଯ୍ୟକାରୀ କରାଯାଉନାହିଂ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗ:- ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, "ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ ଶ୍ରୀମନ୍ଦିରର କୌଣସି କାର୍ଯ୍ୟରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି । ଶ୍ରୀମନ୍ଦିର ପରିଚାଲନା କମିଟି କିମ୍ବା ରାଜ୍ୟ ସରକାର ଯଦି ମୋ ପାଖକୁ ଆସନ୍ତେ ତେବେ ରତ୍ନ ଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ମୁଁ ପରାମର୍ଶ ଦିଅନ୍ତି । କିନ୍ତୁ ଏହି ପ୍ରସଙ୍ଗରେ ମୋତେ ଅଣଦେଖା କରାଯାଉଛି । ଏଣୁ ଏହି ପ୍ରସଙ୍ଗରେ କିଛି ପରାମର୍ଶ ଦେବା ମୋ ପାଇଁ ଅପମାନ ହେବ ।"

ଏହା ବି ପଢନ୍ତୁ- ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ଘୋଷଣା କର: ବିଜୟ ମହାପାତ୍ର

ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, "ରହସ୍ୟମୟ ଠାକୁର ପ୍ରଭୁ ଜଗନ୍ନାଥ । ରତ୍ନ ଭଣ୍ଡାର ମଧ୍ୟ ଏକ ରହସ୍ୟ । ଏଥିରେ କେତେ ସମ୍ପତ୍ତି ଅଛି ତାହା ଜାଣିବା କେତେ ଦୂର ସମୀଚୀନ ତାହା ମୁଁ କହିପାରିବେ ନାହିଁ । ସରକାର ରତ୍ନ ଭଣ୍ଡାର ଖୋଲି ସମ୍ପତ୍ତି ତାଲିକା ଜାଣି କଣ କରିବେ ? ଚାବି ହଜିବା, ନକଲି ଚାବି ମିଳିବା, ରତ୍ନ ଭଣ୍ଡାର ଖୋଲାନଯିବା ପଛରେ ମହାପ୍ରଭୁଙ୍କ କିଛି କାରସାଦି ରହିଛି ।"

ଓଡିଶା ନାଗରିକ ମଞ୍ଚର ସଭାପତି ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, "1444 ମସିହାରେ କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ ସମୟରେ ହାତୀ ଉପରେ ଅନେକ ସୁନା ଗହଣା ଆଣିଥିଲେ । ଯାହାକି ରତ୍ନ ଭଣ୍ତାରରେ ରହିଥିଲା । 1898 ଏବଂ ପରେ 1921 ମସିହାରେ ଏହାର ଗଣନା କରାଯାଇ ତାଲିକା ପ୍ରସ୍ତୁତ ହୋଇଥିଲା । 1978 ମସିହାରେ 3 ମାସ ଧରି ଏହାର ଗଣତି ହୋଇଥିଲା । ତାଲିକା ପ୍ରସ୍ତୁତ ହୋଇଥିଲା । ଏବେ ନିଶ୍ଚିତ ଭାବେ ଖୋଲାଯିବା ଦରକାର । ଗଣନା କରାଯାଇ ପୁରୁଣା ତାଲିକା ସହିତ ମେଳ ଖାଉଛି କି ନାହିଁ ତାର ତର୍ଜମା ହେବା ଦରକାର । ଯଦି ସବୁ ଠିକ ଅଛି ରତ୍ନ ଭଣ୍ଡାର ଖୋଲିଦିଆଯାଉ ଏବଂ ସ୍ବଚ୍ଚତା ପ୍ରକାର କରାଯାଉ ।"

ଗୋଟିଏ ପଟେ ଆଇନ ମନ୍ତ୍ରୀ କହୁଛନ୍ତି ଭିତର ରତ୍ନ ଭଣ୍ଡାରର ଚାବି ହଜିଛି କି ନାହିଁ ସେ କିଛି ଜାଣିନାହାନ୍ତି । ଅନ୍ୟପଟେ ବରିଷ୍ଠ ସେବାୟତଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ଦାବି ରତ୍ନ ଭଣ୍ଡାର ଖୋଲି ରାଜ୍ୟ ସରକାର ସ୍ବଚ୍ଛତା ପ୍ରକାଶ କରନ୍ତୁ । ଦେଖିବାର କଥା ଆଗକୁ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ କଣ ନିଷ୍ପତ୍ତି ନେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ପୁରୀ

Last Updated :Jul 3, 2023, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.