ETV Bharat / state

ରତ୍ନଭଣ୍ଡାର ଖୋଲିବା ନେଇ ତାରିଖ ଘୋଷଣା କର: ବିଜୟ ମହାପାତ୍ର

author img

By

Published : Jul 2, 2023, 3:50 PM IST

Updated : Jul 2, 2023, 5:22 PM IST

ରତ୍ନଭଣ୍ଡାର ଖୋଲିବା ନେଇ ଦିନକୁ ଦିନ ରାଜନୀତି ତେଜିବାରେ ଲାଗିଛି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନ ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ

ratna bhandar issue
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

ପୁରୀ: ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ନେଇ ପୁଣି ଦାବି ଜୋର ଧରିଛି । ପୁଣି ଥରେ ମାମଲା ହାଇକୋର୍ଟରେ ପହଞ୍ଚିଛି । ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନ ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଆଗରେ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରତ୍ନ ଭଣ୍ଡାରର ସ୍ଥିତି କଣ ରହିଛି ? କେତେ ଅଳଙ୍କାର ରହିଛି, ମୁଖ୍ୟମନ୍ତ୍ରୀ ଏକ ଶ୍ୱେତପତ୍ରରେ ପ୍ରକାଶ କରିବାକୁ ମନମୋହନ ଦାବି କରିଛନ୍ତି । ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ଏକ ତାରିଖ ଘୋଷଣା କରିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜଗା ପ୍ରସଙ୍ଗରେ ‘ଜଗନ୍ନାଥ’ଙ୍କ ବେପରୁଆ ମତ; ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ, ଘେରିଲେ ବିରୋଧୀ

ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ମନମୋହନ ଦାବି ଉଠାଇ କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସ୍ଥିତି କଣ ତାହା ପ୍ରତ୍ୟେକ ଜଗନ୍ନାଥ ପ୍ରେମୀଙ୍କ ଜାଣିବା ଅଧିକାର ରହିଛି । ଏଣୁ ରାଜ୍ୟର ସାଢେ଼ ଚାରି କୋଟି ଓଡ଼ିଆଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇ ତୁରନ୍ତ ରତ୍ନ ଭଣ୍ଡାର ସ୍ଥିତି ନେଇ ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ।" ସେପଟେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ନିହାତି ଆବଶ୍ୟକ ଥିବା ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମତ ରଖିଛନ୍ତି । ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ଯାହା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ସରକାର ରତ୍ନଭଣ୍ଡାର ଖୋଲି କୋଟିକୋଟି ଜଗନ୍ନାଥ ପ୍ରେମୀ ଜଣାଇ ବିଧାୟକ ମତ ରଖିଛନ୍ତି । ଆଗାମୀ ବର୍ଷା କାଳୀନ ବିଧାନସଭା ଅଧିବେଶନରେ ଏ ପ୍ରସଙ୍ଗରେ ପ୍ରଶ୍ନ ଉଠାଇବେ ବୋଲି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ପହଞ୍ଚିଲା ରତ୍ନଭଣ୍ଡାର ମାମଲା, ପ୍ରଶ୍ନକୁ ଗତକାଲି ଏଡ଼ାଇଯାଇଥିଲେ ମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଗଜପତି ମହାରାଜା, ସେବାୟତ, ଶଙ୍କରାଚାର୍ଯ୍ୟ, ହାଇକୋର୍ଟ, ଜଗନ୍ନାଥ ପ୍ରେମୀ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରସ୍ତାବ ଦେଇ ସାରିଛନ୍ତି ସେତେବେଳେ ରାଜ୍ୟ ସରକାର ଚୁପ ରହିବା ଠିକ୍ ନୁହେଁ । ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ପକ୍ଷରୁ ଯେଉଁ ଦାବି ହୋଇଛି ତାହାର ଜବାବ ଦେବାକୁ ଏଡ଼ାଇ ଯାଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଏହି ପ୍ରସଙ୍ଗ ଏବେ କୋର୍ଟରେ ବିଚାରଧୀନ ଥିବା ବେଳେ ସେ କୌଣସି ମତ ଦେବା ଠିକ ହେବ ନାହିଁ ବୋଲି ପିନାକୀ କହିଛନ୍ତି । ତେବେ ମହାପ୍ରଭୁଙ୍କ ଯାହା ଇଚ୍ଛା ଥିବ ସେହି ଅନୁଯାୟୀ ସବୁ କିଛି ହେବ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଚାଲି ଯାଇଥିଲେ ପୁରୀ ସାଂସଦ ପିନାକୀ ମିଶ୍ର ।

ଅନ୍ୟପଟେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନ ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି,"ରତ୍ନ ଭଣ୍ଡାର ସରାକାରୀ ସମ୍ପତ୍ତି ନୁହେଁ, ଏହା ମହାପ୍ରଭୁଙ୍କର । ତେଣୁ ରତ୍ନଭଣ୍ଡାର ଖୋଲିବାରେ ଅସୁବିଧା କେଉଁଠି ତାହା ସବୁଠି ବଡ଼ ପ୍ରଶ୍ନ । ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବରୁ ଦାବି ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଖୋଲିବା ପାଇଁ କମିଟି ଗଠନ କରାଯାଇଥିଲା । ହେଲେ ଆଜି ଯାଏଁ ଖୋଲି ପାରିଲେନି । ସରକାର କହିଲେ ନକଲି ଚାବି ମିଳିଲା । କିନ୍ତୁ ଆଇନ ମନ୍ତ୍ରୀ କହିଲେ ଜାଣି ନାହାନ୍ତି । ଆଇନ ମନ୍ତ୍ରୀଙ୍କୁ ଅବଗତ କରିନାହାନ୍ତି କି ରାଜ୍ୟ ସରକାର? ତେଣୁ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଏକ ତାରିଖ ଘୋଷଣା କରନ୍ତୁ । ମନ୍ଦିର ପରିଚାଳନା କମିଟି ଓ ସରକାର ଏ ଦିଗରେ ନିଷ୍ପତି ନିଅନ୍ତୁ ଏବଂ ଲୋକଙ୍କ ମନରୁ ସନ୍ଦେହ ଦୂର କରନ୍ତୁ ।"

ଇଟିଭି ଭାରତ, ପୁରୀ

Last Updated : Jul 2, 2023, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.