ETV Bharat / state

ଜଗା ପ୍ରସଙ୍ଗରେ ‘ଜଗନ୍ନାଥ’ଙ୍କ ବେପରୁଆ ମତ; ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ, ଘେରିଲେ ବିରୋଧୀ

author img

By

Published : Jul 1, 2023, 5:48 PM IST

ରତ୍ନଭଣ୍ଡାର ନେଇ ରାଜନୈତିକ ବୟାନବାଜି ଆରମ୍ଭ
ରତ୍ନଭଣ୍ଡାର ନେଇ ରାଜନୈତିକ ବୟାନବାଜି ଆରମ୍ଭ

ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପି ନେତା ସମୀର ମହାନ୍ତି । ଏହାରି ଭିତରେ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଜାଣିନଥିବା କହିଛନ୍ତି । ଯାହାକୁ ନେଇ ରାଜନୀତି ତେଜିଛି । ଆଇନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ

ରତ୍ନଭଣ୍ଡାର ନେଇ ରାଜନୈତିକ ବୟାନବାଜି ଆରମ୍ଭ

ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି । ପୂର୍ବତନ ବିଜେପି ସଭାପତି ସମୀର ମହାନ୍ତି ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଗଣତି ନେଇ ପିଟିସନ ଦାଖଲ କରିଛନ୍ତି । ଏନେଇ ରାଜ୍ୟରେ ତୁମ୍ବିତୋଫାନ ଜାରି ରହିଛି । ଅନ୍ୟପଟେ ଏହି ପ୍ରସଙ୍ଗରେ ବେପରୁଆ ମତ ରଖିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଯାହାକୁ ନେଇ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ।

ରତ୍ନ ଭଣ୍ଡାର ଚାବି ହଜିଛି କି ନାହିଁ ଜାଣିନାହାନ୍ତି ଆଇନ ମନ୍ତ୍ରୀ !: ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହାଇକୋର୍ଟରେ ପିଟିସନ ଦାଖଲ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ସେ କହିଛନ୍ତି, "ରତ୍ନ ଭଣ୍ଡାର ଚାବି ହଜିଛି କି ନହଜିଛି ଆମେ ସେ ବିଷୟରେ ଜାଣିନୁ । ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହାଇକୋର୍ଟ ଯାଇଛି । ଯାହା ନିର୍ଦ୍ଦେଶ ଆସିବ ହାଇକୋର୍ଟଙ୍କ ପକ୍ଷରୁ ତାକୁ ରାଜ୍ୟ ସରକାର ବିଚାର ବିମର୍ଶ କରି ପଦକ୍ଷେପ ନେବେ । କିଏ ରାଜନୀତି କରିବେ ସେଇଟା ମୁଁ କହିବି ନାହିଁ । ବିଭିନ୍ନ ଲୋକ ବିଭିନ୍ନ ସ୍ତରରେ ରାଜନୀତି କରନ୍ତି । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତିବଦ୍ଧ ।"

'ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ': ଜଗନ୍ନାଥଙ୍କ ବେପରୁଆ ମନ୍ତବ୍ୟକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ସେ କହିଛନ୍ତି. "ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ନା ନାହିଁ, ତାହା ସମସ୍ତେ ଜାଣିବା ଉଚିତ । କାରଣ ଏହା ସାଢ଼େ ୪ କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡିତ । ରାଜ୍ୟ ସରକାର ତଦନ୍ତ କମିଶନ ବସାଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ସରକାର ରତ୍ନଭଣ୍ଡାର ଖୋଲୁ ନାହାନ୍ତି । କିନ୍ତୁ ରାଜ୍ୟ ସରକାର ଜାଣିଛନ୍ତି ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ପୋଲ୍‌ ଖୋଲିଯିବ । ଏପରିକି ସରକାର ଭାଙ୍ଗି ଯିବାର ସମ୍ଭାବନା ରହିଛି । ଆଇନ ମନ୍ତ୍ରୀ କହୁଛନ୍ତି ଚାବି ହଜିଛି କି ନାହିଁ ଜାଣିନୁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।"

'ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ': ସେହିଭଳି ରତ୍ନଭଣ୍ଡାର ଯାଞ୍ଚ ଓ ନିର୍ମାଣ ପାଇଁ ରତ୍ନଭଣ୍ଡାର ଖୋଲିବା ଜରୁରୀ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି, "ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବାକୁ ନେଇ ଏବେ ଜନମତ ଆସିଛି । ଯେଉଁଥିରେ ଗଜପତି ମହାରାଜା ହୁଅନ୍ତୁ, ପୂଜା ପଣ୍ଡା କିମ୍ବା ଦଇତାପତି ହୁଅନ୍ତୁ, ସାଧାରଣ ଲୋକେ ମଧ୍ୟ ରତ୍ନଭଣ୍ଡାର ଖୋଲିବା ପାଇଁ ମତ ରଖିଛନ୍ତି । ସମସ୍ତେ ଚାହିଁଛନ୍ତି ଏଠିକାର ସମ୍ପତ୍ତି ତାଲିକା ପ୍ରସ୍ତୁତ ହେଉ । ହେଲେ ସରକାର ଏଥିରେ ଚୁପ ବସିଛନ୍ତି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ଦେଖାଦେଇଛି । ରତ୍ନଭଣ୍ଡାର ଖୋଲିବା ଆବଶ୍ୟକ ଅଛି । ରତ୍ନଭଣ୍ଡାରରୁ ଲୁଟ ହୋଇଛି ବୋଲି ମୁଁ କହୁନାହିଁ । କିନ୍ତୁ ଏଏସ୍‌ଆଇ ରତ୍ନ ଭଣ୍ଡାର ମରାମତି ଆବଶ୍ୟକ ଥିବା କହିଛନ୍ତି । ଏଥିପାଇଁ ରତ୍ନଭଣ୍ଡାର ଖୋଲିବାକୁ ପଡିବ । ରତ୍ନ ଭଣ୍ଡାର ଖୋଲିଲେ ସମ୍ପତ୍ତିର ତାଲିକା ମଧ୍ୟ ହୋଇପାରିବ ।" ସେହି ତାଲିକାକୁ ପୂର୍ବ ତାଲିକା ସହିତ ମେଳ ହେଲେ ଲୋକଙ୍କ ସନ୍ଦେହ ଦୂର ହେବ ବୋଲି ସେ କହିଛନ୍ତି ।

ମୁଣ୍ଡ ବିହୀନ ସରକାର ରତ୍ନଭଣ୍ଡାର କଥା ଜାଣିପାରୁନାହାନ୍ତି: ସେପଟେ ରାଜ୍ୟ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, "ରାଜ୍ୟ ସରକାର ମୁଣ୍ଡ ବିହୀନ ସରକାର ବୋଲି ରତ୍ନଭଣ୍ଡାର କଥା ଜାଣିପାରୁନାହାନ୍ତି । ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦର୍ଶାଉଛି ଯେ ରତ୍ନ ଭଣ୍ଡାରରୁ ଲୁଟ ହୋଇଛି । ଜଗନ୍ନାଥ ପ୍ରେମୀଙ୍କ ପାଖକୁ ସତ୍ୟତା କେବଳ ସିବିଆଇ ତଦନ୍ତରୁ ଆସିପାରିବ । ମୁଁ ଜଣେ ଜଗନ୍ନାଥ ପ୍ରେମୀ ହିସାବରେ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଛି । ନିବେଦନ କରିଛି ଯେ, ରାଜ୍ୟପାଳ କିମ୍ବା ସିଟିଂ ବିଚାରପତିଙ୍କ ଦ୍ଵାରା ଯାଞ୍ଚ କରାଯାଉ ।" ତେବେ ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ସମୀର ମହାନ୍ତି । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଗଣତି ନେଇ ପିଟିସନ ଦାଖଲ କରିଛନ୍ତି । ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନରେ ଦର୍ଶାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର/ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.