ETV Bharat / state

ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ନୀତି ବିଳମ୍ବ, ଭକ୍ତ ମହଲରେ ଅସନ୍ତୋଷ

author img

By

Published : Jun 25, 2023, 12:26 PM IST

Updated : Jun 25, 2023, 1:46 PM IST

Delay In Mangala Alati
Delay In Mangala Alati

ଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ନୀତି ବିଳମ୍ବ ହୋଇଛି । ନୀତିକାନ୍ତି ବିଳମ୍ବ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ

Delay In Mangala Alati

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ବିଳମ୍ବ । ହେରା ପଞ୍ଚମୀ ନୀତି ମଧ୍ୟ ବିଳମ୍ବ ହୋଇଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ରଥଯାତ୍ରା ଠାରୁ ଆରମ୍ଭ କରି ଦୁଇ ଦିନ ହେବ ପହୁଡ଼ ନୀତି ହୋଇପାରିନି । ଯାହାଫଳରେ ମହାପ୍ରଭୁ ଅନିଦ୍ରା ଥିବା କୁହାଯାଉଛି ।

ଶନିବାର ଶ୍ରୀମନ୍ଦିରରେ ପବିତ୍ର ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ମା' ଲକ୍ଷ୍ମୀ ଠାକୁରାଣୀ ଦର୍ଶନ କରି ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗିଛନ୍ତି । କାରଣ ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବା ବେଳେ ସାଙ୍ଗରେ ପତ୍ନୀଙ୍କୁ ଆଣି ନଥିବାରୁ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ ରାଗରେ ଜର୍ଜରିତ ହୋଇଥିଲେ । ଏଥିପାଇଁ ଠାକୁରାଣୀ ନନ୍ଦିଘୋଷ ରଥ କିଛି ଅଂଶ ଭାଙ୍ଗି ଦେଇଥିଲେ । ଏହି ମାନବୀୟ ଅନନ୍ୟ ଲୀଳା ଦେଖିବାକୁ ଭକ୍ତମାନେ ଅପେକ୍ଷାରେ ଥିଲେ । ହେଲେ ଆଡ଼ପ ମଣ୍ଡପରେ ମଧ୍ୟାହ୍ନ ଧୂପ ନୀତି ଅହେତୁକ ବିଳମ୍ବ ଯୋଗୁଁ ପରବର୍ତ୍ତୀ ନୀତି ବିଳମ୍ବ ହୋଇଥିଲା । ଫଳରେ ହେରା ପଞ୍ଚମୀ ନୀତି ମଧ୍ୟ ବିଳମ୍ବ ହୋଇଥିଲା ।

ଆଜି ଭୋର 3ଟା 20ରେ ମା' ଲକ୍ଷ୍ମୀ ଠାକୁରାଣୀ ବିମାନରେ ବିଜେ କରି ଆଡ଼ପ ମଣ୍ଡପ ଯାତ୍ରା କରିଥିଲେ । ସେଠାରେ ସକାଳ 5ଟା 20ରେ ରଥ ନିକଟରେ ବନ୍ଦାପନା, 5ଟା 40ରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ । ସବୁ ବର୍ଷ ରାତ୍ର 12 ସୁଦ୍ଧା ଏହି ନୀତି ଅନୁଷ୍ଠିତ ହେଇଥାଏ । ଫଳରେ ଏହି ନୀତିକୁ ହଜାର ହଜାର ଭକ୍ତ ଦର୍ଶନ କରିଥାନ୍ତି । କିନ୍ତୁ ନୀତିରେ ଅହେତୁକ ବିଳମ୍ବ ଯୋଗୁଁ ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

ସେହିପରି ନୀତି ବିଳମ୍ବ ଯୋଗୁଁ ଗତକାଲି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ହୋଇପାରି ନାହିଁ । ଏଥିସହ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ମଧ୍ୟ ବିଳମ୍ବ ହୋଇଛି । ନୀତି ବିଳମ୍ବକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଗୋଟିଏ ପଟେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତି ପାଇଁ ପ୍ରତିଦିନ ସେବାୟତ ଓ ପ୍ରଶାସକଙ୍କ ମଧ୍ୟରେ ଘନ ଘନ ବୈଠକ ବସୁଛି । କିନ୍ତୁ ନୀତି ଠିକରେ ହୋଇ ପାରୁନାହିଁ । ତେଣୁ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଆଜି ତିନି ରଥର ଦକ୍ଷିଣ ମୋଡ ହେବ । ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲିରେ ଲଗାଯିବ ।

ଇଟିଭି ଭାରତ, ପୁରୀ

Last Updated :Jun 25, 2023, 1:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.