ETV Bharat / state

ଖାଇଗଲେ ଆଦିବାସୀ ମହିଳାଙ୍କ ଆବାସ ଘର, ରେକର୍ଡ ଦେଖାଇ ଏକ ଲକ୍ଷ ଚଳୁ

author img

By

Published : Jan 28, 2022, 3:14 PM IST

ଆବାସ ଯୋଜନାରେ ମହାଘୋଟାଲା । ହିତାଧିକାରୀଙ୍କ ନାଁରେ ଆସିଛି ଟଙ୍କା ହେଲେ ଯାଇଛି ଅନ୍ୟ ଜଣଙ୍କ ଆକାଉଣ୍ଟକୁ । ଜାଲିଆତି କରି ଲକ୍ଷାଧିକ ଟଙ୍କା ଚଳୁ କରିନେଲେ ବିଭାଗୀୟ ଅଧିକାରୀ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା କମ୍ପାନୀଗୁମା ଗାଁରୁ । ଅଧିକ ପଢନ୍ତୁ

ଆବାସ ଯୋଜନାରେ ମହା ଘୋଟାଲା, ଜାଲିଆତି କରି ଠକି ଦେଲେ ଝମ ମାଝୀଙ୍କୁ
ଆବାସ ଯୋଜନାରେ ମହା ଘୋଟାଲା, ଜାଲିଆତି କରି ଠକି ଦେଲେ ଝମ ମାଝୀଙ୍କୁ

ନୂଆପଡା: ଅସହାୟ ଓ ଗରିବ ପରିବାରକୁ ପକ୍କା ଘରଟିଏ ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଏହି ଯୋଜନା ଏବେ ବାଟବଣା । ହିତାଧିକାରୀଙ୍କ ନାଁରେ ଟଙ୍କା ଆସୁଛି ସତ କିନ୍ତୁ ତାହା ଆତ୍ମସାତ କରୁଛନ୍ତି କିଛି ସରକାରୀ ଅଧିକାରୀ । ଟଙ୍କା ହିତାଧିକାରୀ ନାଁରେ ଆସୁଥିବା ବେଳେ ଯାଉଛି ଅନ୍ୟ ଆକାଉଣ୍ଟକୁ । ଆବାସ ଯୋଜନାରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ରାଣୀମୁଣ୍ଡା ଗ୍ରାମପଞ୍ଚାୟତର ଦୁର୍ଗମ କମ୍ପାନୀଗୁମା ଗାଁରୁ । ଗ୍ରାମର ଝମ ମାଝୀଙ୍କ ଆବାସ ଗୃହରେ ଏଭଳି ଘୋଟାଲା ହୋଇଛି ।

ଆବାସ ଯୋଜନାରେ ମହା ଘୋଟାଲା, ଜାଲିଆତି କରି ଠକି ଦେଲେ ଝମ ମାଝୀଙ୍କୁ

ଝମ ମାଝୀ, ସ୍ବାମୀ ଓ ତାଙ୍କ ୪ଟି ସନ୍ତାନ ଏବେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି । ମୂଲ ଲାଗିଲେ ପରିବାରର ପେଟ ପୁରୁଛି । ଆଶା କରିଥିଲେ ଆବାସ ଗୃହରେ ଟଙ୍କା ଆସିଲେ ଭଙ୍ଗା ଘର ବଦଳରେ ପକ୍କା ଘରେ ରହିବେ । ହେଲେ ସେ ଆଶା ଏବେ ଆଶା ହୋଇ ରହିଯାଇଛି । ୨୦୧୮-୧୯ ରେକର୍ଡରେ ଝମ ମାଝୀଙ୍କୁ ଆବାସ ଗୃହ ମିଳିଛି ଏବଂ ଅନଲାଇନ ରେକର୍ଡରେ ମଧ୍ୟ ଝମଙ୍କ ନାମ ଆସୁଛି । ମାତ୍ର ୩ ବର୍ଷ ବିତିଯାଇ ଥିଲେବି ଆଜି ପର୍ଯ୍ୟନ୍ତ ଯୋଜନାରେ ଟଙ୍କା ନପାଇ ଘରଟିଏ କରିପାରିନାହାନ୍ତି ଝମ । ଫଳରେ କୁଡିଆରେ କଟୁଛି ଜୀବନ । ଏବେ ଏହି ରେକର୍ଡ ସାମ୍ନାକୁ ଆସିବା ପରେ ବିଭାଗୀୟ ଅଧିକାରୀ ଏଭଳି ଜାଲିଆତି କରିଥିବା ଅଭିଯୋଗ ହୋଇଛି ।

ଆବାସ ଗୃହ ହିତାଧିକାରୀ ଝମ ମାଝୀ ଙ୍କ ଆବାସ ଗୃହ ID ନଂ OR୪୨୯୪୭୦୮ ଆର୍ଥିକ ବର୍ଷ ୨୦୧୮-୧୯ର । ସେହି ସମୟରେ ଗୃହ ପାଇଁ ତାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ନଭେମ୍ବର ୧, ୨୦୧୮ରେ ଆସିଥିବା ବେଳେ ଦ୍ବିତୀୟ କିସ୍ତିରେ ୩୫ହଜାର ମାର୍ଚ୍ଚ ୨୨, ୨୦୧୯ରେ ଆସିଛି । ସେହିପରି ତୃତୀୟ କିସ୍ତିରେ ୪୫ ହଜାର ଅକ୍ଟୋବର ୨୮, ୨୦୧୯ରେ ଆସିଥିଲା ଓ ଚତୁର୍ଥ କିସ୍ତିରେ ୩୦ ହଜାର ଟଙ୍କା ଅକ୍ଟୋବର ୫, ୨୦୨୦ରେ ଆସିଥିଲା । ଏଭଳି ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ପେମେଣ୍ଟ ହୋଇଛି ଝମ ମାଝୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ, ଯାହା ରେକର୍ଡ କହୁଛି। ହେଲେ ସତ୍ୟତା ଏହା ଯେ ଏହି ସବୁ ପେମେଣ୍ଟ ଝମ ମାଝୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନ ଯାଇ ଚତୁରତାର ସହ ଅନ୍ୟତ୍ର ଆକାଉଣ୍ଟକୁ ଚଳୁ କରିଛନ୍ତି ଅଧିକାରୀ। ।

ଟଙ୍କା ପେମେଣ୍ଟ ରେକର୍ଡରେ ଝମଙ୍କ ନା ଅଛି ସତ, ଆକାଉଣ୍ଟ କିନ୍ତୁ ଅନ୍ୟ କାହାର, ଯାହା ବିଭାଗୀୟ ଅଧିକାରୀଙ୍କ ଜାଲିଆତିକୁ ଏବେ ପଦାରେ ପକାଇଛି । ଏଠି ପ୍ରଶ୍ନ ଉଠୁଛି ଝମ ମାଝୀଙ୍କ ଆବାସ ଗୃହ ଗଲା କୁଆଡେ ? ସରକାରୀ ଟଙ୍କା ଆତ୍ମସାତ କଲା କିଏ ?ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଆଦିବାସୀ ମହିଳା ଝମ ମାଝୀ। ଏନେଇ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଖଡ଼ିଆଳ BDO ଙ୍କୁ ପଚାରିବାରୁ ୨୦୧୮-୧୯ ବର୍ଷରେ ଆମେ ନଥିଲୁ ଓ ଏକ ତଦନ୍ତ କାରୀ ଟିମ ଗଠନ କରି ତଦନ୍ତ କରିବେ ବୋଲି ଖଡ଼ିଆଳ BDO ପ୍ରକାଶ କରିଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.