ETV Bharat / state

ରାତିରେ ଆସୁଛନ୍ତି, ତାଣ୍ଡବ କରି ସକାଳେ ଫେରୁଛନ୍ତି

author img

By

Published : Jan 5, 2022, 10:13 AM IST

ରାତିରେ ଆସୁଛନ୍ତି, ତାଣ୍ଡବ କରି ଫେରି ସକାଳେ ଫେରୁଛନ୍ତି
ରାତିରେ ଆସୁଛନ୍ତି, ତାଣ୍ଡବ କରି ଫେରି ସକାଳେ ଫେରୁଛନ୍ତି

ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ହାତୀ ଉପଦ୍ରବ ପୁଣି ଆରମ୍ଭ ହୋଇଛି । ରାତିରେ ଛତିଶଗଡ ଜଙ୍ଗଲରୁ ଆସି ଓଡିଶା ସୀମାନ୍ତରେ ତାଣ୍ଡବ କରି ସକାଳେ ଫେରି ଯାଉଛନ୍ତି ହାତୀପଲ । ଅଧିକ ପଢନ୍ତୁ

ନବରଙ୍ଗପୁର: ଆତଙ୍କ ଖେଳାଉଛନ୍ତି ହାତୀ । ରାତିରେ ଆସୁଛନ୍ତି ଏବଂ ତାଣ୍ଡବ କରି ସକାଳେ ଫେରିଯାଉଛନ୍ତି । ଦୀର୍ଘ ତିନି ମାସ ପରେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ହାତୀ ଉପଦ୍ରବ ପୁଣି ଆରମ୍ଭ ହୋଇଛି । ବିଗତ କିଛି ଦିନ ହେଲା ଛତିଶଗଡ ସାଲେଭାଟା ଜଙ୍ଗଲରରୁ ୩୦ରୁ ଊର୍ଦ୍ଧ୍ବ ଏକ ହାତୀପଲ ଆସି ରାତି ତମାମ୍ ଓଡିଶା ସଂରକ୍ଷିତ ଜଙ୍ଗଲ ଓ ଛାପର୍ ଅଞ୍ଚଳରେ ଉପଦ୍ରବ କରୁଛନ୍ତି । ଅମଳ ପରେ ଗଚ୍ଛିତ ଥିବା ମକା, ଧାନ ଫସଲ ସମେତ ବାଡ଼ିରେ ଥିବା ପନିପରିବା ସହ ଖପର ଘର ନଷ୍ଟ କରି ଫେରି ଯାଉଛନ୍ତି l ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି l

ରାତିରେ ଆସୁଛନ୍ତି, ତାଣ୍ଡବ କରି ଫେରି ସକାଳେ ଫେରୁଛନ୍ତି

ସେପଟେ ରାଇଘର ବନ ବିଭାଗର ଏକ ଟିମ୍ ସ୍ଥାନୀୟ ବାସିନ୍ଦାଙ୍କ ସହ ମିଶି ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଛି । ବିଭାଗ ପକ୍ଷରୁ ହାତୀଗାଁ ସଂରକ୍ଷିତ ଜଙ୍ଗଲର କାଣ୍ଡେତରା ଓ ଛାପର୍ ଅଞ୍ଚଳକୁ ଯାଇ ହାତୀ ଜନିତ କ୍ଷୟକ୍ଷତିର ଆକଳନ କରାଯିବା ସଙ୍ଗେ ସଙ୍ଗେ ଜଙ୍ଗଲ ମଧ୍ୟରେ ସେମାନଙ୍କ ଗତିବିଧି ଅନୁଧ୍ୟାନ କରାଯାଇଛି l ପଡୋଶୀ ରାଜ୍ୟର ଉଦନ୍ତୀ ସୀତାନଦୀ ଅଭୟାରଣ୍ୟରୁ ହାତୀପଲଙ୍କୁ ଓଡିଶା ସୀମାନ୍ତ ଅଞ୍ଚଳରେ ପ୍ରବେଶ କରିବା ନେଇ ରୋକିବାକୁ ନିଆଁ ହୁଳା, ଟର୍ଚ୍ଚ, ସାଇରନ ସହ ହୋହାଲ୍ଲା କରି ରୋକାଯାଉଛି ।

ଜଙ୍ଗଲ ହ୍ରାସ ପାଇବା ସହିତ ବନ୍ୟପ୍ରାଣୀଙ୍କ ଖାଦ୍ୟଭାବ ଯୋଗୁଁ ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଏଭଳି ଗାଁ ମୁହାଁ ହେଉଛନ୍ତି l ରାଇଘର ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକେ ଆଗକୁ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ବନ ବିଭାଗ ଓ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ବନ ବିଭାଗ ପକ୍ଷରୁ ଏକ ତିରିଶ ଜଣିଆ ଟିମ୍ ଗଠନ କରାଯାଇ ଛତିଶଗଡ ବନ ବିଭାଗ ସହ ମିଳିତ ଭାବେ ପହରା ଦିଆଯିବା ସଙ୍ଗେ ସଙ୍ଗେ ହାତୀପଲଙ୍କ ଚଳପ୍ରଚଳ ଉପରେ ନଜର ରଖାଯାଇଛି । ଏଥିସହ ହାତୀ ଯେପରି ତାଙ୍କ ପ୍ରାକୃତିକ ବାସସ୍ଥଳକୁ ଫେରିଯିବେ ସେନେଇ ପ୍ରୟାସ କରାଯାଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.